‘ଓଡ଼ିଆ ସାମ୍ବାଦିକତା ପୁରସ୍କାର- ୨୦୨୩ ପ୍ରଦାନ

ଭୁବନେଶ୍ୱର: ପଲ୍ଲୀବାଣୀ ମିଶନ ପକ୍ଷରୁ ନୂଆଦିଲ୍ଲୀ ଠାରେ ‘ଓଡ଼ିଆ ସାମ୍ବାଦିକତା ପୁରସ୍କାର-୨୦୨୩’ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଓଡ଼ିଶା ଗଣମାଧ୍ୟମରେ ପୁରସ୍କୃତ ସାମ୍ବାଦିକଙ୍କ ଭୂମିକାକୁ ପ୍ରଶଂସା କରିବା ସହ କହିଛନ୍ତି ଯେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ଫକୀର ମୋହନ ସେନାପତିଙ୍କ ଭଳି ଅନେକ ମହାପୁରୁଷ ସାମ୍ବାଦିକ ଥିଲେ । ଫକୀରମୋହନ ଥିଲେ ଗାନ୍ଧୀ ଚେତନାର ଅଗ୍ରଦୂତ । ଗାନ୍ଧିଜୀଙ୍କ ଅସହଯୋଗ ଓ ଲବଣ ସତ୍ୟାଗ୍ରହର ବହୁ ପୂର୍ବରୁ ଏହି କଥା କହିଥିଲେ ଫକୀରମୋହନ । ନୂଆଦିଲ୍ଲୀରେ ଓଡ଼ିଆ ସାମ୍ବାଦିକ ମାନଙ୍କୁ ପ୍ରତିବର୍ଷ ସମ୍ମାନିତ କରିବାର ପରମ୍ପରାକୁ ଜାରି ରଖି ସେମାନଙ୍କର କାର୍ୟ୍ୟ ତଥା ଅବଦାନକୁ ସମ୍ମାନ ଜଣାଉଥିବାରୁ ପଲ୍ଲୀବାଣୀ ମିଶନକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।
ଏହି ପୁରସ୍କାର ସମାରୋହରେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାର କଳିଙ୍ଗ ଟିଭିର ସମ୍ପାଦକ ସୌମ୍ୟଜିତ୍ ପଟ୍ଟନାୟକ, ଅର୍ଗସ୍ ନ୍ୟୁଜର କାର୍ୟ୍ୟନିର୍ବାହୀ ସମ୍ପାଦକ ଦୁର୍ଗାଶିଷ, ଓଟିଭିର ପଶ୍ଚିମ ଓଡ଼ିଶା ବ୍ୟୁରୋ ଚିଫ୍ ମନୋରଞ୍ଜନ ଯୋଶୀ, ସମ୍ବାଦ ଡି.ଜି.ଏମ୍. (ନ୍ୟୁଜ୍) ତଥା ବ୍ୟୁରୋ ହେଡ୍ ଭବାନୀ ଶଙ୍କର ତ୍ରିପାଠୀ, ପ୍ରମେୟର ମୁଖ୍ୟ ସମ୍ବାଦ-ସଂଯୋଜକ ସୁଦୀପ କୁମାର ରାଉତଙ୍କୁ ‘ଓଡ଼ିଆ ସାମ୍ବାଦିକତା ପୁରସ୍କାର- ୨୦୨୩’ ପ୍ରଦାନ କରିଛନ୍ତି । ସେହିପରି ବରିଷ୍ଠ ସାମ୍ବାଦିକ ଶାରଦା ଲାହାଙ୍ଗୀରଙ୍କୁ ପ୍ରତିଭା ପଟ୍ଟନାୟକ ଜର୍ଣ୍ଣାଲିଜିମ ଆଓ୍ୱାର୍ଡ ଅଫ୍ ଏକ୍ସଲେନ୍ସରେ ସମ୍ମାନିତ କରାଯାଇଥିଲା । ଏହି ସମାରୋହରେ କେନ୍ଦ୍ର କ୍ରୀଡ଼ା ଏବଂ ଯୁବ ବ୍ୟାପାର, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର, ପତଞ୍ଜଳି ଆୟୁର୍ବେଦର ଅଧ୍ୟକ୍ଷ ଆଚାର୍ୟ୍ୟ ବାଲ୍ କ୍ରିଷ୍ଣା ଯୋଗ ଦେଇଥିଲେ ।