ଅବକାରୀ ଦୁର୍ନୀତି ମାମଲାରେ ସିବିଆଇରେ ହାଜର ହେଲେ କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ସିବିଆଇ ଅଫିସରେ ହାଜର ହୋଇଛନ୍ତି। ଏଥିନେଇ ଦୁଇ ଦିନ ତଳେ ସିବିଆଇ ପକ୍ଷରୁ କେଜ୍ରିୱାଲଙ୍କୁ ସମନ କରାଯାଇଥିଲା। ଏହାପରେ କେଜ୍ରିୱାଲ ସିବିଆଇକୁ ସହଯୋଗ କରିବେ ବୋଲି କହିଥିଲେ। କିନ୍ତୁ ଜେରାରେ କେଜ୍ରିୱାଲଙ୍କୁ ଗିରଫ ହେବାର ଭୟ ଘାରିଛି। ସେ ନିଜେ ମଧ୍ୟ ଏଥିନେଇ ଶନିବାର ଇସାରା ଦେଇଛନ୍ତି। ତାଙ୍କୁ ସିବିଆଇ ନିଶ୍ଚିତ ଗିରଫ କରିବ ବୋଲି କହିଥିଲେ। ଏହିକ୍ରମରେ ବିଜେପି ଉପରେ ବର୍ଷିବା ସହିତ ପ୍ରଧାନମନ୍ତ୍ରୀଙ୍କୁ ନିଶାଣ କରିଥିଲେ କେଜ୍ରିୱାଲ। ସିବିଆଇ ମୁଖ୍ୟ କାର୍ୟ୍ୟାଳୟ ସମେତ ରାଉଜ୍ ଆଭେନ୍ୟୂସ୍ଥିତ ଆମ ଆଦମୀ ପାର୍ଟି (ଆପ୍)ମୁଖ୍ୟାଳୟ ପରିସର ସାମ୍ନାରେ ବ୍ୟାରକେଡ୍ ଲଗାଯିବା ସହିତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଦିଲ୍ଲୀ ପୁଲିସ ବ୍ୟତୀତ ଅର୍ଦ୍ଧ ସାମରିକ ବାହିନୀର ୧୦୦୦ ରୁ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଏହାବ୍ୟତୀତ ଆପ୍ କର୍ମୀଙ୍କ ଦ୍ବାରା କୌଣସି ଗଣ୍ଡଗୋଳ କରାଯିବା ଆଶଙ୍କାରେ ସହରର ପ୍ରମୁଖ ଅଞ୍ଚଳରେ ମଧ୍ୟ ବ୍ୟାପକ ପୁଲିସ କର୍ମୀଙ୍କୁ ମୁତୟନ କରାଯାଇଛି। ଦିଲ୍ଲୀ ପୁଲିସର ବହୁ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ବିଭିନ୍ନ ଇଲାକାରେ ଆଇନଶୃଙ୍ଖଳା ବଜାୟ ରଖିବା ଦାୟିତ୍ବ ଦିଆଯାଇଛି।




admin 