ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ୟ୍ୟ ଅନୁକୂଳ

ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ୟ୍ୟ ଅନୁକୂଳ

ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟ । ବୈଶାଖ ଶୁକ୍ଳପକ୍ଷ ତୃତୀୟା ତିଥି ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ୟ୍ୟ ଅନୁକୂଳ ହେବ । ଏଣୁ ଶ୍ରୀଜଗନ୍ନାଥ ମନ୍ଦିର କାର୍ୟ୍ୟାଳୟ ସମ୍ମୁଖସ୍ଥ ରଥଖଳାରେ ଚାଲିଛି ପ୍ରସ୍ତୁତି । ତିନିଟି ୧୨ ଫୁଟିଆ ଧଉରା କାଠକୁ ବାରିକେଡ୍‌ ଘେରାଇ ସାଇତା ଯାଇଛି । ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସୋତ୍ରୀୟ ବ୍ରାହ୍ମଣମାନେ ବନଯାଗ ବିଧିରେ ପୂଜା ସମ୍ପାଦନା କରିବେ । ମନ୍ତ୍ର ଧ୍ୱନି ମଧ୍ୟରେ ବିଶ୍ୱର୍କମାମାନେ ପାରମ୍ପରିକ ରୀତିନୀତିରେ ଉକ୍ତ କାଠରେ ରଥ ନିର୍ମାଣର ଶୁଭାରମ୍ଭ କରିବେ । ରଥ ନିର୍ମାଣକୁ ଆଗେଇ ନେବାକୁ ଶ୍ରୀନହର ସମ୍ମୁଖରେ ନିର୍ମାଣ ହୋଇଛି ରଥଚାଳି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହେଉଛି ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ ଅନୁକୂଳ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହେବ ଅପରାହ୍ନ ୪ଟାରେ । ଶ୍ରୀମନ୍ଦିରରୁ ଶ୍ରୀଜିଉଙ୍କ ଆଜ୍ଞାମାଳ ଚନ୍ଦନ ଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ବିଜେ ହେବେ । ତିନି ଜଣ ପୂଜାପଣ୍ଡା ସାମନ୍ତ ଆଣିବେ ୩ଟି ଆଜ୍ଞାମାଳ । ମୁଖ୍ୟ ବିଶ୍ୱକର୍ମା ରୂପକାର, କମାର, ଚିତ୍ରକର, ଭୋଇ, ଅମୀନ ସେବକମାନେ ଉପସ୍ଥିତ ଥିବେ । ପ୍ରମୁଖ ନିର୍ମାଣକାରୀଙ୍କ ମସ୍ତକରେ ଶାଢିବନ୍ଧା ନୀତି ହେବ । ଏହାପରେ ଯଥାବିଧି ପୂଜାର୍ଚ୍ଚନା ସରି ବିଶ୍ୱକର୍ମାମାନେ ନୂତନ କୁରାଢ଼ିରେ ରଥ ନିର୍ମାଣ ଅନୁକୂଳ କରିବେ । ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ ହୋଇଥାଏ କୁରାଢ଼ି । ତିନି ରଥର ମୁଖ୍ୟ ବିଶ୍ୱକର୍ମା ନୂତନ ଲୌହ କୁରାଢ଼ିକୁ ରଥତ୍ରୟର ତିନି କାଠଖଣ୍ଡକୁ ସ୍ପର୍ଶ କରି ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନିର୍ମାଣାର୍ଥେ ପ୍ରାର୍ଥନା କରିବେ । ପରଦିନ ଠାରୁ ଶ୍ରୀନହର ସମ୍ମୁଖ ଚାଳିରେ ତିନି ରଥ ତିଆରିର ଶୁଭାରମ୍ଭ ହେବ ।