ମୋଦୀଙ୍କ ଭାଷଣରେ ‘ଦି କେରଳ ଷ୍ଟୋରୀ’

ମୋଦୀଙ୍କ ଭାଷଣରେ ‘ଦି କେରଳ ଷ୍ଟୋରୀ’

ବେଲ୍ଲାରୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି । କର୍ଣ୍ଣାଟକର ବେଲାରୀରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି । ଏହି ସମୟରେ ସେ ଫିଲ୍ମ ‘ଦି କେରଳ ଷ୍ଟୋରୀ’ର ମଧ୍ୟ ଉଲ୍ଲେଖ କରିଥିଲେ। ସେ କହିଛନ୍ତି ଯେ ଫିଲ୍ମ କେରଳ ଷ୍ଟୋରୀ ଆଜିକାଲି ଚର୍ଚ୍ଚାରେ ରହିଛି ।

ପରିଶ୍ରମୀ, ପ୍ରତିଭାବାନ ଏବଂ ବୁଦ୍ଧିଜୀବୀଙ୍କ ସୁନ୍ଦର ଭୂମି ପାଇଁ ଜଣାଶୁଣା ରାଜ୍ୟ କେରଳରେ କିପରି ଆତଙ୍କବାଦ ଷଡ଼ଯନ୍ତ୍ରକୁ ପ୍ରୋତ୍ସାହିତ କରାଯାଉଛି ତାହା ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି । କଂଗ୍ରେସ ଇସ୍ତାହାରରେ ଅନେକ ମିଥ୍ୟା ପ୍ରତିଶ୍ରୁତି ରହିଛି। କଂଗ୍ରେସର ଇସ୍ତାହାରର ଅର୍ଥ ହେଉଛି ତାଲାବନ୍ଦୀ ଏବଂ ତୁଷ୍ଟୀକରଣର ଏକ ବଣ୍ଡଲ । ଏବେ କଂଗ୍ରେସର ଅବସ୍ଥା ଏତେ ଖରାପ ଯେ ସେମାନଙ୍କ ପାଦ ଥରିବାରେ ଲାଗିଛି ଏବଂ ସେଥିପାଇଁ କଂଗ୍ରେସ ମୁଁ ଜୟ ବଜରଙ୍ଗ ବାଲି କହିଲେ ବି ବିରୋଧ କରୁଛି ।

କଂଗ୍ରେସକୁ ସମାଲୋଚନା କରି ମୋଦୀ କହିଛନ୍ତି ଯେ ନିଜର ଭୋଟବ୍ୟାଙ୍କ ପାଇଁ କଂଗ୍ରେସ ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇ ଦେଇଛି ।  ଏଭଳି ଦଳ କେବେ କର୍ଣ୍ଣାଟକକୁ ସୁରକ୍ଷା ଦେଇପାରିବ କି? ଆତଙ୍କର ବାତାବରଣରେ ଶିଳ୍ପ, ଆଇଟି ଶିଳ୍ପ, କୃଷି, ଚାଷ ଓ ଗୌରବମୟ ସଂସ୍କୃତି ନଷ୍ଟ ହୋଇଯିବ। କର୍ଣ୍ଣାଟକକୁ ଦେଶର ଏକ ନମ୍ବର ରାଜ୍ୟ ରେ ପରିଣତ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା, ଆଇନ ଶୃଙ୍ଖଳା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା । କର୍ଣ୍ଣାଟକ ପାଇଁ ଆତଙ୍କବାଦମୁକ୍ତ ରହିବା ମଧ୍ୟ ସେତିକି ଜରୁରୀ । ଆତଙ୍କବାଦ ବିରୋଧରେ ବିଜେପି ସବୁବେଳେ କଠୋର ରହିଛି। ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲେ କଂଗ୍ରେସ ର ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଯାଏ ।