କେମିତି ହଜିଲା ଶ୍ରୀମନ୍ଦିରର ଫାଇଲ ?

କେମିତି ହଜିଲା ଶ୍ରୀମନ୍ଦିରର ଫାଇଲ ?

ଭୁବନେଶ୍ୱର:  କେମିତି ହଜିଲା ଶ୍ରୀମନ୍ଦିରର ଫାଇଲ । ଆଇନ୍ ବିଭାଗ ଦୁଇଟି ଫାଇଲ ହଜିବା ପରେ ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ର । ଫାଇଲରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି । ତେଣୁ ଏହା ହଜିବ କେମିତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଫାଇଲ ହଜିନଥିବ ବରଂ ଫାଇଲକୁ ପ୍ରଶାସନ ଲୁଚେଇବାକୁ ଚେଷ୍ଟା କରୁଥିବ । ଯଦି ହଜିଛି ସରକାର ଏନେଇ ଥାନାରେ ଏତଲା ଦିଅନ୍ତୁ ବୋଲି ବିଜୟ ମହାପାତ୍ର କହିଛନ୍ତି । ସେପଟେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଘଟଣା ତଦନ୍ତ କରି ଫାଇଲ ଖୋଜିବାକୁ ଚେଷ୍ଟା କରାଯିବ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବିକୁ ହଜାଇ ଦେଇଥିବା ରାଜ୍ୟ ପ୍ରଶାସନ ଏବେ ଶ୍ରୀମନ୍ଦିରର ୨ଟି ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ହଜାଇ ଦେଇଛନ୍ତି । ଜଗନ୍ନାଥ ମନ୍ଦିର ପ୍ରଶାସନର ଉକ୍ତ ଦୁଇଟି ଫାଇଲକୁ ଖୋଜିବା ପାଇଁ ଆଇନ ବିଭାଗର ଉପସଚିବ ବିଭାଗୀୟ ସମସ୍ତ ଶାଖାକୁ ଚିଠି ଲେଖାଯିବା ପରେ ଏହି ସଙ୍ଗୀନ ତଥ୍ୟ ପଦାକୁ ଆସିଛି ।
ମିଳିଥିବା ସୂଚନା ଅନୁସାରେ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ ଏବେ ଆଇନ ବିଭାଗରେ ହଜିଯାଇଛି । ଉକ୍ତ ଦୁଇଟି ଫାଇଲ କେଉଁଠି ରହିଛି ତାକୁ ପ୍ରାଥମିକତା ଭିତ୍ତିରେ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଓ ଠାବ କରିବାକୁ ଆଇନ ବିଭାଗର ଉପସଚିବ ଅଂଶୁମାନ ମହାନ୍ତି ନିଜ ବିଭାଗ ଅଧୀନସ୍ଥ ସମସ୍ତ ଶାଖାକୁ ଚିଠି ଲେଖି ଅବଗତ କରାଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶର ତୁରନ୍ତ ଅନୁପାଳନ ରିପୋର୍ଟ ଦାଖଲ ନିମନ୍ତେ ଏହି ଦୁଇଟି ଫାଇଲର ଆବଶ୍ୟକତା ରହିଥିବାରୁ ପ୍ରାଥମିକତା ଭିତ୍ତିରେ ତାକୁ ଖୋଜିବାକୁ ସେ ଅନୁରୋଧ କରିଛନ୍ତି ।