ସୌମ୍ୟଙ୍କ ଉପରେ ବର୍ଷିଲେ, ପ୍ରତାପ ଦେବ

ସୌମ୍ୟଙ୍କ ଉପରେ ବର୍ଷିଲେ, ପ୍ରତାପ ଦେବ

ଭୁବନେଶ୍ୱର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପୁଣି ବିଜେଡି ଘେରିଛି । ବିଭିନ୍ନ ପ୍ରସଙ୍ଗ ନେଇ ବିଜେଡିର ବ୍ୟଥା ବଢ଼ାଉଥିବା ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ ଦଳ ଭିତରୁ ଘନ ଘନ ଟାର୍ଗେଟ କରାଯାଉଛି।  ଗତ କିଛି ଦିନ ହେଲା ଜଣେ ପରେ ଜଣେ ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରୁଛନ୍ତି । ପ୍ରଥମେ ବିଧାୟକ ଅରୁଣ ସାହୁ, ପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ଆଜି ଏଥିରେ ମନ୍ତ୍ରୀ ପ୍ରତାପ ଦେବ ସାମିଲ ହୋଇଛନ୍ତି । 

ପ୍ରତାପ ଦେବ କହିଛନ୍ତି ଯେ ବିଜେଡି ବିଧାୟକ ହୋଇ ସୌମ୍ୟରଞ୍ଜନ ନିରନ୍ତର ବିଜେଡିକୁ ସମାଲୋଚନା କରୁଛନ୍ତି । ନିଜ ଦଳ ଓ ସରକାରଙ୍କୁ ସୌମ୍ୟରଞ୍ଜନ ସମାଲୋଚନା କରୁଛନ୍ତି ।  ଯଦି ସମାଲୋଚନା କରିବାର ଅଛି ତେବେ ସେ ଦଳରୁ ବାହାରିଯାଇ କରନ୍ତୁ ।  ୫-ଟି ସଚିବଙ୍କୁ ବିଭିନ୍ନ ଜିଲ୍ଲଶ ଗସ୍ତକୁ ପଠାଉଥିବା ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ପରେ ପୁଣି ସମାଲୋଚନା କାହିଁକି ବୋଲି ପ୍ରତାପ ଦେବ ପ୍ରଶ୍ନ କରିଛନ୍ତି ।  ତେବେ ସମାଲୋଚନା କରିବା ସୌମ୍ୟ ବାବୁଙ୍କ ବ୍ଲାକମେଲିଂ ପ୍ରାକ୍ଟିସ । ସୌମ୍ୟ ବାବୁ ଦଳୀୟ ଅନୁଶାସନ ଭଙ୍ଗ କରୁଛନ୍ତି । ଦଳରୁ ବାହାରି ସେ ସମ୍ପାଦକୀୟ ଲେଖିବା ସହ ସମାଲୋଚନା କରନ୍ତୁ ବୋଲି ପ୍ରତାପ ଦେବ କହିଛନ୍ତି । 

ପୂର୍ବରୁ ଅରୁଣ ସାହୁ କହିଥିଲେ ଯେ  ବିଧାୟକ ସୌମ୍ୟରଞ୍ଜନ ହାରି ହାରି ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇ ଖଣ୍ଡପଡାରୁ ଜିତିଥିଲେ । ତେବେ ମନ୍ତ୍ରୀପଦ ନମିଳିବାରୁ ଆଜି ସେ ବିଜୁ ଜନତା ଦଳ ଏବଂ ସରକାରଙ୍କ ବିରୁଦ୍ଧରେ କହୁଛନ୍ତି । ସମାଜସେବା କଥା କହୁଥିବା ସୌମ୍ୟରଞ୍ଜନ ଗତ ୪ ବର୍ଷ ୪ ମାସ ଭିତରେ ଖଣ୍ଡପଡାରେ କ’ଣ ସେବା କରିଛନ୍ତି ସେ ସମ୍ପର୍କରେ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ପଚାରିଲେ କହିବେ ବୋଲି ବିଧାୟକ ଅରୁଣ ସାହୁ କହିଥିଲେ । ଦଳକୁ ସୌମ୍ୟରଞ୍ଜନ ବ୍ଲାକମେଲ୍ କରୁଛନ୍ତି ବୋଲି ନୟାଗଡ଼ ବିଧାୟକ ଅଭିଯୋଗ କରିଥିଲେ ।

ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେସୌମ୍ୟ ବାବୁ କ’ଣ, ସେ କ’ଣ କରିଛନ୍ତି ତାଙ୍କ ରାଜନୀତି ଇତିହାସରୁ ଜଣାଡ଼ିବ। ସୌମ୍ୟ ବାବୁ କେତେ ଥର ଦଳ ପରିବର୍ତ୍ତନ କରିଛନ୍ତି, କେଉଁ ଦଳରୁ କେଉଁଠିକି ଆସିଛନ୍ତି, ଏଠି ବର୍ତ୍ତମାନ କେତେ ନମ୍ବରରେ ପହଞ୍ଚିଗଲେଣି, ଆଗାମୀ ଦିନରେ କୁଆଡ଼କୁ ଯିବେ ସେ ସପକ୍ଷରେ ଆପଣମାନେ ଜାଣିଥିବେ।  ସୌମ୍ୟ ଦଳରେ ରହି ବ୍ଲାକମେଲିଂ କରିବାକୁ ପ୍ରୟାସ କରୁଛନ୍ତି। ସେ କେବେ ତାଙ୍କ ଲକ୍ଷ୍ୟରେ ପହଞ୍ଚି ପାରିବେନି। ବିଗତ ଦିନମାନଙ୍କରେ ସୌମ୍ୟ ବାବୁ ବିଭିନ୍ନ ସ୍ତରରେ ବ୍ଲାକମେଲ୍‌ କରିଥିଲେ, ଆଜି ମଧ୍ୟ ସେ ବ୍ଲାକମେଲିଂକୁ ଆୟୁଧ କରୁଛନ୍ତି। ବ୍ଲାକମେଲ କଲେ ବିଜୁ ଜନତା ଦଳ ଉପରେ କୌଣସି ପ୍ରଭାବ ପଡ଼ିବନି। ସୌମ୍ୟବାବୁ କ’ଣ ଓଡ଼ିଶାବାସୀ ଜାଣିଛନ୍ତି?ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଟାର୍ଗେଟ୍ କରି ସୌମ୍ୟ ବାବୁ ନିଜ ସଂପାଦକୀୟରେ ବାରମ୍ବାର ଲେଖୁଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। ସାଧାରଣ ଲୋକେ ଏହାକୁ ଗ୍ରହଣ କରିବେନି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସାରା ରାଜ୍ୟ ଗସ୍ତ କଲା। ଲୋକଙ୍କ ଅଭିଯୋଗ ଆଣିଲା। ଲୋକଙ୍କ ଅଭିଯୋଗର ସମାଧାନ ହେଲା। ଏଥିରେ କ‘ଣ ଭୁଲ ରହିଲା, ମୁଁ ବୁଝିପାରୁନାହିଁ। ସୌମ୍ୟବାବୁଙ୍କର କ’ଣ ଅସୁବିଧା ହୋଇଗଲା? ମୁଁ ଜାଣିପାରୁ ନାହିଁ। ସେ ଲୋକଙ୍କୁ ପଚାରନ୍ତୁ ଲୋକେ କ’ଣ କହୁଛନ୍ତି?

ସୌମ୍ୟ ବାବୁ ଯେଉଁ ମନ୍ତବ୍ୟ ଲେଖୁଛନ୍ତି ଯାହା କହୁଛନ୍ତି ତାକୁ ଆମେ ବିରୋଧ କରୁଛୁ। ସୌମ୍ୟ ଏପରି କରିବା ଆଦୌ ଠିକ୍ ନୁହେଁ। ସାଧାରଣ ଜନତା ମଧ୍ୟ ଗ୍ରହଣ କରିବେନି। ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପଲଟିକାଲ ବୟାନବାଜିର ଉତ୍ତର ଦେଇପାରିବନି। ମୋ ମତରେ ପଥରକୁ ଢେଲା ମାରିଲେ ସେହି ପଥର ପୁଣି ବୁଲି ତାର ଉପରେ ପଡ଼େ। ସେଇଆ ହିଁ ପ୍ରତିଫଳନ ହେବ। ବ୍ଲାକ୍ ମେଲିଂ କରିବା ଓ ରାଜନୈତିକ ସଂର୍କୀଣ୍ଣତାକୁ ନେଇ ଚାଲିବା ଆଦୌ ଠିକ୍ ନୁହେଁ। ଦଳର ସଭାପତି ଅଛନ୍ତି, ସେ ଠିକଣା ସମୟରେ କ’ଣ ନିଷ୍ପତ୍ତି ନେବେ। ଦଳର ସାଧାରଣ ସୈନିକ ହିସାବରେ ମୋର ବ୍ୟକ୍ତିଗତ ମତାମତ ଏଇଆ ରହିବ ବୋଲି ଅତୁନ କହିଥିଲେ।