ଆଜିଠାରୁ ସମସ୍ତ ବିଭାଗକୁ ସମୀକ୍ଷା କରିବେ ନବୀନ
ଭୁବନେଶ୍ୱର: ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିଭାଗଗୁଡ଼ିକର ସମୀକ୍ଷା ଆରମ୍ଭ କରିବେ। ଜୁନ୍ ୧ ତାରିଖ ପର୍ୟ୍ୟନ୍ତ ଏହି ସମୀକ୍ଷା କାର୍ୟ୍ୟକ୍ରମ ଚାଲିବ। ପ୍ରଥମ ଦିନରେ ସମବାୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିଜର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିବେ। ସମୀକ୍ଷା ବିଭାଗୀୟ ମନ୍ତ୍ରୀମାନେ ସ୍ଥାନୀୟ ଗୀତ ଗୋବିନ୍ଦ ସଦନଠାରେ ସମୀକ୍ଷା ବୈଠକ ସମ୍ପର୍କରେ ସୂଚନା ଦେବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ମ ପାଳିର ଚତୁର୍ଥ ବର୍ଷ ପୂରଣ ହେବାକୁ ଯାଉଛି। ଏହି ପ୍ରରିପେକ୍ଷୀରେ ଗତ ମାସରେ ମୁଖ୍ୟମନ୍ତ୍ରୀ ଏନେଇ ରାଜ୍ୟ ମନ୍ତ୍ରୀମଣ୍ଡଳର ମନ୍ତ୍ରୀମାନଙ୍କୁ ଚିଠି ଲେଖି ଅବଗତ କରାଇଥିଲେ। ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ବିଗତ ୪ ବର୍ଷ ମଧ୍ୟରେ ରାଜ୍ୟ ସରକାର ସାଧାରଣ ଜନତାଙ୍କ ପାଇଁ ଗୁଡ଼ିଏ କଲ୍ୟାଣକାରୀ ଯୋଜନାର କାର୍ୟ୍ୟାନ୍ୱୟନ କରିଛନ୍ତି।
ଅତଏବ ସରକାରଙ୍କ ଚତୁର୍ଥ ବର୍ଷର ପୂର୍ତ୍ତି ଅବସରରେ ହେବାକୁ ଥିବା ମନ୍ତ୍ରୀ ପରିଷଦ ବୈଠକରେ ରାଜ୍ୟ ସରକାର ହାସଲ କରିଥିବା ବିଭିନ୍ନ ସଫଳତା ସମ୍ପର୍କରେ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମେ ମାସ ୨୨ ତାରିଖରୁ ଏନେଇ ବିଭିନ୍ନ ବିଭାଗର ସମୀକ୍ଷା ବୈଠକ ଆରମ୍ଭ ହେବାକୁ ଥିବାବେଳେ ଏହା ଜୁନ୍ ମାସ ୧ ତାରିଖ ଯାଏଁ ଚାଲିବ। ସମୀକ୍ଷା ବୈଠକରେ ବିଭାଗୀୟ ମନ୍ତ୍ରୀମାନେ ନିଜ ନିଜ ବିଭାଗର ସର୍ବନିମ୍ନ ୫ଟି ପ୍ରମୁଖ କାର୍ୟ୍ୟକ୍ରମର ସଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ। ବିଭାଗର ୫ଟି ପ୍ରମୁଖ କାର୍ୟ୍ୟକ୍ରମର ସଫଳତା ସହ ‘୫-ଟି’ ଓ ମୋ ସରକାର କାର୍ୟ୍ୟକ୍ରମର ଅନ୍ତର୍ଗତ ବିଭାଗ ନେଇଥିବା ପଦକ୍ଷେପ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀମାନେ ତାଙ୍କୁ ଜଣାଇବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଥିଲେ।




admin 