ଆଜି ଆଇପିଏଲ ଟାଇଟଲ ଲଢେଇ
ଅହମ୍ମଦାବାଦ: ସଂଧ୍ୟାରେ ଆଇପିଏଲ ଟାଇଟଲ ଲଢେଇ । ଦୁଇ ଶ୍ରେଷ୍ଠ ଦଳ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଟକ୍କର ହେବ । ଟାଇଟଲ ବଜାୟ ରଖିବା ପାଇଁ ଟାଇଟନ୍ସ ପ୍ରସ୍ତୁତ । ସେପଟେ ସୁପରକିଙ୍ଗ୍ସ ମଧ୍ୟ ପଞ୍ଚମ ଥର ପାଇଁ ଟ୍ରଫି ହାତେଇବାକୁ ରଣନୀତି ପ୍ରସ୍ତୁତ କରିଛି ।ଆଇପିଏଲ୍ର ୧୬ତମ ସଂସ୍କରଣ ଯେଉଁଠୁ ଆରମ୍ଭ ହୋଇଥିଲା, ଆଜି ଠିକ୍ ସେହି ସ୍ଥାନରେ ପହଞ୍ଚିଛି । ଅହମ୍ମଦାବାଦରେ ଟାଇଟନ୍ସ ଓ ସୁପରକିଙ୍ଗ୍ସ ମଧ୍ୟରେ ଉଦ୍ଘାଟନୀ ମୁକାବିଲାରୁ ଆଇପିଏଲ୍ ଆରମ୍ଭ ହୋଇଥିଲା । ୭୩ଟି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ପରେ ପୁନର୍ବାର ଉଭୟ ଦଳ ସେହି ଷ୍ଟାଡିୟମ୍ରେ ଫାଇନାଲ ମୁକାବିଲା ଖେଳିବେ ।
ଚଳିତ ସିଜନରେ ଉଭୟ ଦଳ ତୃତୀୟ ଥର ପାଇଁ ପରସ୍ପରକୁ ଭେଟିବେ । ପ୍ରଥମ ମ୍ୟାଚ୍ରେ ଟାଇଟନ୍ସ ଆଧିପତ୍ୟ ଜାହିର କରି ବିଜୟୀ ହୋଇଥିଲା । ଏହାପରେ ଉଭୟ ଦଳ ପଏଣ୍ଟ ତାଲିକାର ପ୍ରଥମ ୨ଟି ସ୍ଥାନରେ ରହି ଲିଗ୍ ପର୍ୟ୍ୟାୟ ଶେଷ କରିଥିଲେ । ପ୍ରଥମ କ୍ୱାଲିଫାୟରରେ ଟାଇଟନ୍ସକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ମାହୀ ବାହିନୀ । ସେହିପରି ଦ୍ବିତୀୟ କ୍ବାଲିଫାୟର ମ୍ୟାଚରେ ମୁମ୍ବାଇକୁ ଗୁଜରାଟ ହରାଇ ଟାଇଟଲ ଜିତିବାକୁ ପ୍ରସ୍ତୁତ ହୋଇ ରହିଛି । ଅହମ୍ମଦାବାଦରେ ଉଭୟ ଦଳ ଇତି ମଧ୍ୟରେ ୩ଥର ମୁହାଁମୁହିଁ ହୋଇଛନ୍ତି । ଟାଇଟନ୍ସ ସମସ୍ତ ମ୍ୟାଚ୍ ଜିତିଛି ।
ସେହିପରି ଟାଇଟନ୍ସ ମୋଟ୍ ୯ଟି ମ୍ୟାଚ ଖେଳି ୬ଟିରେ ବିଜୟ ହାସଲ କରିଛି । ଅନ୍ୟପଟେ ମହୀ-ଆଣ୍ଡ-କୋ ଟାଇଟନ୍ସକୁ ହରାଇବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ଜବରଦସ୍ତ ଫର୍ମରେ ଥିବା ଶୁବମନ ଗିଲଙ୍କୁ ଅଟକାଇବାକୁ ପ୍ରୟାସ କରିବ ସିଏସକେ । ଚଳିତ ସିଜନରେ ଗିଲ୍ ୩ଟି ଶତକ ମାରି ବିରୋଧୀ ବୋଲରଙ୍କୁ ଧୂଳି ଚଟାଇ ଦେଇଛନ୍ତି । ୧୬ଟି ମ୍ୟାଚରୁ ୮୫୧ ରନ୍ ସଂଗ୍ରହ କରି ଅରେଞ୍ଜ କ୍ୟାପ ହୋଲ୍ଡର ହୋଇଛନ୍ତି । ଆଜି ମହମ୍ମଦ ସାମି ଓ ସୁପରକିଙ୍ଗ୍ସ ଓପନରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେବ । ସାମି ଇତି ମଧ୍ୟରେ ଡେଭନ କନୱେଙ୍କୁ ୩ଥର ଆଉଟ୍ କରିସାରିଛନ୍ତି । ମହମ୍ମଦ ସାମି ୧୬ଟି ମ୍ୟାଚରୁ ୨୮ଟି ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ସେପଟେ ସିଏସକେ ବୋଲର ପଥିରାନାଙ୍କ ସହିତ ଟାଇଟନ୍ସ ଓପନରଙ୍କ ମଧ୍ୟରେ ଲଢେଇ ହେବ । ତେବେ ଆଜିର ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ ।