ଆହୁରି ୫ଦିନ ସିଝିବ ଓଡ଼ିଶା
ଭୁବନେଶ୍ବର : ସୋମବାର ଦିନ ରାଜ୍ୟର ୧୭ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ସେଥିମଧ୍ୟରୁ ଅଧିକାଂଶ ଥିଲା ପଶ୍ଚିମ ଓଡ଼ିଶାର। ସବୁଠୁ ବେଶି ତାତି ସମ୍ବଲପୁରରେ ଅନୁଭୂତ ହୋଇଥିଲା। ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୩ ଡିଗ୍ରି ରେକର୍ଡ ହୋଇଛି। ସେହିପରି ବୌଦ୍ଧରେ ୪୩ ଡିଗ୍ରି, ହୀରାକୁଦରେ ୪୨.୬ ଡିଗ୍ରି, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ଠାରେ ୪୨.୫ ଡିଗ୍ରି, ସୋନପୁରରେ ୪୨.୩ ଡିଗ୍ରି, ବରଗଡ଼ରେ ୪୨.୨ ଡିଗ୍ରି, ଅନୁଗୁଳରେ ୪୨.୧ ଡିଗ୍ରି ଏବଂ ବଲାଙ୍ଗୀର, ତାଳଚେର ଓ ରାଉରକେଲାରେ ୪୨ ଡିଗ୍ରି ଲେଖାଏଁ ରେକର୍ଡ ହୋଇଥିଲା। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାବାସୀ ପ୍ରବଳ ତାତି ଓ ଗୁଳୁଗୁଳିରେ ଏମିତି ସନ୍ତୁଳି ହେବେ।
ବିଶେଷକରି ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଝାରସୁଗୁଡ଼ା ଓ ବରଗଡ଼ ସମେତ ଅନୁଗୁଳରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରି ଉପରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅପରପକ୍ଷେ ସୋମବାର ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ନୂଆପଡ଼ା ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଛି। କିଛି ସ୍ଥାନରେ କୁଆପଥର ବି ପଡ଼ିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। କିନ୍ତୁ ରାଜ୍ୟର ତାପମାତ୍ରା ଉପରେ ଏହାର ବିଶେଷ ପ୍ରଭାବ ଦେଖାଯିବ ନାହିଁ। ମଙ୍ଗଳବାର ଦିନ ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳ ପାଗ ଆଂଶିକ ମେଘୁଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ମଧ୍ୟରେ ରହିବ।




admin 