ସମ୍ବଲପୁର ହିଂସା : ସିବିଆଇ ତଦନ୍ତ ଦାବି
ସମ୍ବଲପୁର: ସମ୍ବଲପୁର ଗସ୍ତରେ ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ଦ୍ବାରା ଗଠିତ ଉଚ୍ଚସ୍ତରୀୟ କମିଟି। ସମ୍ବଲପୁର ହିଂସା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହିତ ଏହାର ସିବିଆଇ ତଦନ୍ତ କରାଯାଉ ବୋଲି କମିଟିର ଅଧ୍ୟକ୍ଷ ତଥା ଗୃହ ବିଭାଗର ସଂସଦୀୟ କମିଟିର ଅଧ୍ୟକ୍ଷ ବ୍ରିଜଲାଲ ଦାବି କରିଛନ୍ତି। ବିଜେପି ସାଂସଦମାନଙ୍କ କମିଟି ଆଜି ମୃତକ ଚନ୍ଦ୍ରମଣି ମିର୍ଦ୍ଧାଙ୍କ ଗାଁ ଝାରମୁଣ୍ଡା ଯାଇଥିଲେ। ଚନ୍ଦ୍ରମଣିଙ୍କ ଘରେ ତାଲା ପଡ଼ିଥିବାରୁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ପରେ ଆହତ ଭବାନୀପାଲିର ବିଶ୍ବନାଥ ଶିକା(କାଲିଆ)ଙ୍କୁ ଭେଟି ଘଟଣା ସଂକ୍ରାନ୍ତରେ ପଚାରିଥିଲେ।
ସେଠାରୁ ଫେରି ସମ୍ବଲପୁର ସର୍କିଟ ହାଉସ୍ରେ ବିଭିନ୍ନ ସଂଗଠନର ସଦସ୍ୟଙ୍କୁ ଭେଟିବା ପରେ ଉତ୍ତରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ପୁଲିସ-ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଅପରାହ୍ନରେ ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବ୍ରିଜଲାଲ କହିଥିଲେ, ଭାରତ ସରକାର କିଛିଦିନ ଆଗରୁ ଦେଶରେ ଧାର୍ମିକ କାର୍ଯ୍ୟକ୍ରମ ସମୟରେ ହିଂସା ସୃଷ୍ଟି ପାଇଁ ଉଦ୍ୟମ ହେଉଥିବାରୁ ସତର୍କ ରଖିବାକୁ ପରାମର୍ଶ ଦେଇଥିଲେ। ପୁଣି ହନୁମାନ ଜୟନ୍ତୀ ବାଇକ୍ ଶୋଭାଯାତ୍ରାର ଦିନକ ପୂର୍ବରୁ ୧୧ ଏପ୍ରିଲରେ ରାଜ୍ୟ ଗୁଇନ୍ଦା ବିଭାଗ ମଧ୍ୟ ଏଦିଗରେ ସତର୍କ କରାଇଥିଲା। ତଥାପି, ସମ୍ବଲପୁର ପୁଲିସ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କଲାନାହିଁ। ଯାହା ଜଣାପଡ଼ୁଛି, ସମ୍ବଲପୁର ପୁଲିସ-ପ୍ରଶାସନ ରାଜ୍ୟର ବିଜେଡି ସରକାରଙ୍କ ଇସାରାରେ କାମ କରୁଥିଲା। କେବଳ ସେତିକି ନୁହେଁ, ହିଂସାର ମୁକାବିଲା ପାଇଁ ପୁଲିସ ଆଦୌ ପ୍ରସ୍ତୁତ ନଥିଲା। ଆକ୍ରମଣକାରୀଙ୍କ ଉପରେ ଟିୟର ଗ୍ୟାସ୍ ଛାଡ଼ିବା, ଲାଠିଚାଳନା କରିବା ଭଳି ଆଦୌ କୌଣସି ପଦକ୍ଷେପ ନିଆଯାଇନଥିଲା।
ଏଭଳି ଘଟଣାରେ ଏସ୍ସି/ଏସ୍ଟି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ୮ଲକ୍ଷ ଟଙ୍କା କ୍ଷତିପୂରଣ ସାଂଗକୁ ମୃତକଙ୍କ ଉପରେ ନିର୍ଭରଶୀଳ ଥିବା ପରିବାରର ଜଣକକୁ ମାସିକ ୫ ହଜାର ଟଙ୍କା ଲେଖାଏଁ ପେନ୍ସନ୍ ଦେବା ପାଇଁ ଭାରତ ସରକାର ୨୦୧୬ ମସିହାରେ ଆଇନ ପ୍ରଣୟନ କରିଛନ୍ତି। ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ଏହି ଆଇନକୁ ଲାଗୁ କରୁନାହାନ୍ତି। ଚନ୍ଦ୍ରମଣି ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିଲେ, ତାଙ୍କ ମା’ଙ୍କୁ ମାସିକ ୫ ହଜାର ଲେଖାଏଁ ଅନୁଦାନ ଦେବା, ଶୋଭାଯାତ୍ରା ସମୟରେ ଦେଶ ବିରୋଧୀ ସ୍ଲୋଗାନ ଦିଆଯାଇଥିବାରୁ ସିବିଆଇ କିମ୍ବା ଏନ୍ଆଇଏ ଦ୍ବାରା ତଦନ୍ତ କରାଇବାକୁ ବ୍ରିଜଲାଲ ଦାବି କରିଥିଲେ।
କମିଟିର ଅନ୍ୟତମ ସଦସ୍ୟ ସାଂସଦ ସମୀର ଓରାମ କହିଥିଲେ, ଚନ୍ଦ୍ରମଣିଙ୍କ ଆଦିବାସୀ ପରମ୍ପରା ଅନୁସାରେ ଶବଦାହ ହୋଇନାହିଁ କି ପରବର୍ତ୍ତୀ ସମୟରେ ଯେଉଁ ରୀତିନୀତି ସଂପନ୍ନ ହେବା କଥା, ତାହା ମଧ୍ୟ ହୋଇନାହିଁ। ପୁଲିସ-ପ୍ରଶସାନ କହୁଛି, କ୍ଷତିପୂରଣ ରାଶି ଚନ୍ଦ୍ରମଣିଙ୍କ ପରିବାରକୁ ଦିଆଯାଇଛି। ହେଲେ, ତାଙ୍କ ମା ଆଉ ଭଉଣୀ କୁଆଡ଼େ ଗଲେ କହୁ ନାହିଁ। ସାଂସଦ ଜ୍ୟୋର୍ତିମୟ ସିଂ ମହତୋ କହିଲେ, ପଶ୍ଚିମବଂଗରେ ମମତା ବାନାର୍ଜୀ ଶାସନର ଠିକ୍ ‘ଜେରକ୍ସ ଓଡ଼ିଶାରେ ବିଜେଡି ଚଳାଇଛି। ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବିଧାୟକ ନାଉରୀ ନାୟକ, ମୁକେଶ ମହାଲିଂଗ, ମୋହନ ମାଝୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, କୁସୁମ ଟେଟେ, ନିତ୍ୟାନନ୍ଦ ଗଣ୍ଡ ଏବଂ ବିଜେପି ସମ୍ବଲପୁର ଜିଲ୍ଲା ସଭାପତି ଗିରୀଶ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।




admin 