ଆଜି ଯୁବ ବିଜେଡିର ରାଜ୍ୟ କାର୍ୟ୍ୟକାରିଣୀ, ଯୋଗ ଦେବେ ନବୀନ

ଆଜି ଯୁବ ବିଜେଡିର ରାଜ୍ୟ କାର୍ୟ୍ୟକାରିଣୀ, ଯୋଗ ଦେବେ ନବୀନ

ଭୁବନେଶ୍ୱର: ଆଜି ଯୁବ ବିଜେଡିର ରାଜ୍ୟ କାର୍ୟ୍ୟକାରିଣୀ। ଏଥିରେ ଦଳର ରାଜନୈତିକ, ସାଂଗଠନିକ ପ୍ରସ୍ତାବ ସହ ସଙ୍କଳ୍ପ ପାରିତ ହେବ। ଆଗାମୀ ୨୦୨୪ ନିର୍ବାଚନରେ ଯୁବ ବିଜେଡି କର୍ମକର୍ତ୍ତାଙ୍କୁ ସେମାନଙ୍କ ଦାୟିତ୍ବ ନେଇ ଅବଗତ କରିବେ ଦଳର ହେଭିଓ୍ବେଟ୍ ନେତା। ଯୁବ ବିଜେଡି କର୍ମୀଙ୍କୁ ପ୍ରଗତିଶୀଳ ଓଡ଼ିଶାରେ ସାମିଲ କରିବାକୁ କାର୍ୟ୍ୟକାରିଣୀରେ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ। ଯୁବ କର୍ମୀଙ୍କୁ ଉତ୍ସାହିତ କରିବାକୁ ଯୋଗ ଦେବେ ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ସଂଗଠନ ମଜବୁତ କରିବାରେ ଯୁବ ବିଜେଡି ନେଇଛି ଗୁରୁତ୍ବପୂର୍ଣ୍ଣ ଭୂମିକା। ରାଜନୈତିକରୁ ସାମାଜିକ କାର୍ୟ୍ୟକ୍ରମରେ ଛାମୁଆ ସଂଗଠନର ରହିଛି ଯୋଗଦାନ। ବର୍ଷ ତମାମ ସେମାନଙ୍କ କାର୍ୟ୍ୟ ଖସଡ଼ାର କାର୍ୟ୍ୟକାରିତା ଉପରେ ଆଜି ରିପୋର୍ଟ କାର୍ଡ ଉପସ୍ଥାପନ କରାଯିବ। ଏଥିସହ ଯୁବ ବିଜେଡିକୁ ଆହୁରି ଆଗକୁ ନେବା ପାଇଁ କିଛି କାର୍ୟ୍ୟ ଖସଡ଼ାର ପ୍ରସ୍ତାବ ବି ରଖିବେ ଦଳୀୟ ନେତା।

କେନ୍ଦ୍ର ଅବହେଳା ବିରୋଧରେ ଯୁବକଙ୍କ ଶାଣିତ ସ୍ବର ନେଇ ରାଜନୈତିକ ପ୍ରସ୍ତାବ ଆସିପାରେ। ସାଂଗଠନିକ ପ୍ରସ୍ତାବରେ ଅଧିକରୁ ଅଧିକ ସଦସ୍ୟଙ୍କୁ ବିଜେଡିରେ ମିଶାଇ ୨୦୨୪ ପୂର୍ବରୁ ଶକ୍ତି ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯିବ। ସେହିପରି ୨୦୨୪ରେ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସଙ୍କଳ୍ପ ନେବା ସହ ବ୍ୟାପକ ଭାବେ ରକ୍ତଦାନ କାର୍ୟ୍ୟକ୍ରମ ଜାରି ରଖିବାକୁ ସଙ୍କଳ୍ପ ପ୍ରସ୍ତାବ ଆଣିବାକୁ ଲକ୍ଷ୍ୟ ରଖିଛି ଯୁବ ବିଜେଡି।