ଏମିତି ବି ଆସେ ମୃତ୍ୟୁ, ନେଇଗଲା ୧୬ ଜୀବନ

ଏମିତି ବି ଆସେ ମୃତ୍ୟୁ, ନେଇଗଲା ୧୬ ଜୀବନ

ନୂଆଦିଲ୍ଲୀ: ଏମିତି ବି ଆସେ ମୃତ୍ୟୁ। ସାମନାରୁ ନୁହେଁ ଉପରୁ ଖସିଲା ମୃତ୍ୟୁ। ଆଉ ଆଖି ପିଛୁଳାକେ ନେଇଗଲା ୧୬ ଜୀବନ । ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ମହାରାଷ୍ଟ୍ରର ସାହାପୁରରେ ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଘଟିଛି।
ସମୃଦ୍ଧି ରାଜମାର୍ଗ ଜାତୀୟ ରାଜପଥ କାମ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଜାତୀୟ ରାଜପଥର ଲମ୍ବା ୭୦୧ କିମି ହୋଇଥିବା ବେଳେ ଏହା ମୁମ୍ବାଇକୁ ନାଗପୁର ସହ ସଂଯୋଗ କରିବ।ଏହି ରାଜପଥ କାମରେ ନିୟୋଜିତ ଜିରିଡର ଲଞ୍ଚିଂ ମେସିନ୍ ଅଚାନକ ଭାବେ ଗତକାଲି ତଳେ କାମ କରୁଥିବା ଶ୍ରମିକଙ୍କ ଉପରେ ଖସି ପଡ଼ିଲା। ଏହି ମେସିନ ଓଜନ ଅତ୍ୟଧିକ ଥିବାରୁ ଉକ୍ତ ସମୟରେ ତଳେ ଥିବା ବହୁ ଶ୍ରମିକ ଏହା ତଳେ ଚାପି ହୋଇ ଯାଇଥିଲେ।
ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ ବି ଉଦ୍ଧାର କାର୍ୟ୍ୟ ସମ୍ଭବ ହୋଇ ପାରି ନ ଥିଲା। ଏହାପରେ ତୁରନ୍ତ ଏନଡିଆରଏଫର ୨ଟି ଟିମ୍‌ ଘଟଣାସ୍ଥଳକୁ ପଠା ଯାଇଥିଲା। ସେମାନେ ମେଶିନ ତଳୁ ୧୬ ମୃତଦେହ ବାହାର କରିଥିବା ବେଳେ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ମେସିନ ତଳେ ଆହୁରି କିଛି ମୃତଦେହ ଥିବା ଅନୁମାନ କରାଯାଉଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।