ସିଏଏ ବିରୋଧୀ ବୈଠକରେ ଏକାଠି ହେଲେ ୨୦ ଦଳ, ଯୋଗ ଦେଲେନି ୬ ଦଳ
ସିଏଏ ବିରୋଧୀ ବୈଠକରେ ଏକାଠି ହେଲେ ୨୦ ଦଳ, ଯୋଗ ଦେଲେନି ୬ ଦଳ
admin
Jan 14, 2020 - 06:49
Updated: Jan 14, 2020 - 06:49
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଆହ୍ୱାନରେ ସୋମବାର ଦିଲ୍ଲୀରେ ବିରୋଧୀ ଦଳ ନେତାମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ସିଏଏକୁ ନେଇ ଦେଶବ୍ୟାପୀ ବ୍ୟାପକ ହିଂସା ସହିତ ପ୍ରତିବାଦ ହୋଇଥିବାରୁ ବୈଠକରେ ଏ ନେଇ ଆଲୋଚନା ହୋଇଛି । ବୈଠକରେ ପ୍ରାୟ ୨୦ଟି ଦଳର ପ୍ରତିନିଧି ଯୋଗ ଦେଇଛନ୍ତି । ତେବେ ବୈଠକରେ ୬ଟି ଦଳ ଯୋଗ ଦେଇନାହାନ୍ତି । ସେମାନେ ହେଲେ ବହୁଜନ ସମାଜ ପାର୍ଟି (ବିଏସ୍ପି), ଆପ୍, ଏସ୍ପି, ଡିଏମକେ, ଶିବସେନା ଏବଂ ତୃଣମୂଳ କଂଗ୍ରେସ (ଟିଏମ୍ସି) । ବୈଠକରେ ସିଏଏ ଏବଂ ବିଶ୍ୱବିଦ୍ୟାଳୟ ପରିସରରେ ଉପୁଜିଥିବା ହିଂସାକୁ ନେଇ ଦେଶର ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା ହୋଇଛି ।
ଏହି ବୈଠକରେ ଏନ୍ସିପି ମୁଖ୍ୟ ଶରଦ ପାୱାର, ବାମଦଳ ନେତା ସୀତାରାମ ୟେଚୁରୀ ଏବଂ ଡି ରାଜା, ଜେଏମଏମ ନେତା ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଏଲଜେଡି ମୁଖ୍ୟ ଶରଦ ଯାଦବ, ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ନେତା ଉପେନ୍ଦ୍ର କୁଶୱାହା, ଆରଜେଡି ନେତା ମନୋଜ ଝା, ନ୍ୟାସନାଲ କନଫରେନ୍ସ ନେତା ହସନେନ ମାସୁଦିଙ୍କ ସମେତ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ରାହୁଲ ଗାନ୍ଧି, ଗୁଲାମ ନବୀ ଆଜାଦ, ଅହମ୍ମଦ ପଟେଲ ପ୍ରମୁଖ ଯୋଗଦେଇଥିଲେ । ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାର କିଛି ଦିନ ପରେ ବିରୋଧୀ ଦଳ ଗୁଡ଼ିକ ଏକାଠି ହୋଇଥିବାରୁ ଏହି ବୈଠକର ଗୁରୁତ୍ୱ ବଢ଼ିଯାଇଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ଫେବ୍ରୁଆରି ୮ରେ ହେବ ।