ମୋଦିଙ୍କ ଭିଜନ୍-୨୦୧୪ ଫେଲ୍: ରାହୁଲ
ମୋଦିଙ୍କ ଭିଜନ୍-୨୦୧୪ ଫେଲ୍: ରାହୁଲ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ରାଜନୀତି ସରଗରମ ହୋଇଛି। ନିର୍ବାଚନ ପ୍ରଚାର ଜୋର ଧରିଛି। ଏହା ମଧ୍ୟରେ କଂଗ୍ରେସ ପକ୍ଷରୁ ଉତ୍ତର ପ୍ରଦେଶ ପାଇଁ ଘୋଷଣାପତ୍ର ଉନ୍ମୋଚନ କରାଯାଇଛି। ଏହି ଘୋଷଣାପତ୍ରରେ ଯୁବବର୍ଗ ଓ ମହିଳାଙ୍କୁ ବିଶେଷ ଗୁରୁତ୍ବ ଦିଆଯାଇଥିବା ଦାବି କରାଯାଇଛି। ଏହି ଅବସରରେ ରାହୁଲ ଗାନ୍ଧି ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ୨୦୧୪ରେ କ୍ଷମତାକୁ ଆସିବା ପାଇଁ ନରେନ୍ଦ୍ର ମୋଦି ଯେଉଁ ଭିଜନ୍ ରଖିଥିଲେ ତାହା ଫେଲ୍ ହୋଇଛି। ଦେଶର ଯୁବ ବର୍ଗଙ୍କୁ ଯେଉଁ ସ୍ବପ୍ନ ଦେଖାଇଥିଲେ ତାହା ପୂରଣ କରିବାରେ ସରକାର ବିଫଳ ହୋଇଛନ୍ତି। ଯୁବ ବର୍ଗ ସବୁ ଆଡ଼ୁ ନିରାଶ ହୋଇଛନ୍ତି। ଦେଶରେ ବେକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବିଜେପି ସରକାର ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି। ତେବେ ଆମେ ସ୍ବତନ୍ତ୍ର ଭାବେ ଉତ୍ତର ପ୍ରଦେଶର ଯୁବ ବର୍ଗଙ୍କୁ ଲକ୍ଷ୍ୟ ରଖି ଏହି ଘୋଷଣାପତ୍ର ଆଣିଛି। ଯୁବବର୍ଗଙ୍କୁ ସଂପୂର୍ଣ୍ଣ ସଶକ୍ତ କରିବା ସହିତ ରୋଜଗାର କ୍ଷମ କରାଇବା ଆମର ଲକ୍ଷ୍ୟ ରହିଛି। କ୍ଷେମତାକୁ ଆସିଲେ କଂଗ୍ରେସ ହିଁ କେବଳ ସ୍ବଚ୍ଛ ଓ ଲୋକଙ୍କ ଶାସନ ଦେଇ ପାରିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ଘୋଷଣାପତ୍ରରେ ୨୦ ଲକ୍ଷ ନିଯୁକ୍ତି ନେଇ ଯେଉଁ ଦାବି କରାଯାଇଛି ତାହା ନିଶ୍ଚୟ ପୂରଣ ହେବ ବୋଲି ସେ କହିଛନ୍ତି। ଘୋଷଣାପତ୍ର ପ୍ରସ୍ତୁତି ପୂର୍ବରୁ ଉତ୍ତର ପ୍ରଦେଶ ଯୁବବର୍ଗଙ୍କ ସହିତ ଆଲୋଚନା ପରେ ସେମାନଙ୍କ ଆବଶ୍ୟକତା ଓ ସ୍ବପ୍ନକୁ ଏଥିରେ ସ୍ଥାନିତ କରାଯାଇଛି। କଂଗ୍ରେସ କେବଳ ପ୍ରତିଶୃତି ଦିଏନି, ଏହାକୁ ପୂରଣ କରିବାକୁ ଜୋର ଦିଏ ବୋଲି ରାହୁଲ କହିଛନ୍ତି।