ମାତ୍ର ୩୦ ହଜାର ଟଙ୍କା ପାଇଁ ଝରାଫୁଲକୁ ହତ୍ୟା

ମାତ୍ର ୩୦ ହଜାର ଟଙ୍କା ପାଇଁ ଝରାଫୁଲକୁ ହତ୍ୟା

 ମାତ୍ର ୩୦ ହଜାର ଟଙ୍କା ପାଇଁ ଝରାଫୁଲକୁ ହତ୍ୟା
ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତୁ୍ୟ ରହସ୍ୟ ଉପରୁ ଆଜି ପରଦା ହଟିଛି । ମାତ୍ର ୩୦ ହଜାର ଟଙ୍କା ପାଇଁ ଝରାଫୁଲକୁ ହତ୍ୟା କରାଯାଇଥିଲା । ଏନେଇ ଆଜି ଯାଜପୁର ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି । ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ହିଁ ଝରାଫୁଲକୁ ହତ୍ୟା କରିଥିବା ଏସପି କହିଛନ୍ତି । ତେବେ କେମିତି ଝରାଫୁଲକୁ ହତ୍ୟା କରାଯାଇଥିଲା ସେ ସମ୍ପର୍କରେ ଜାଣନ୍ତୁ: ବାଇକ କିଣିବା ପାଇଁ ରାକେଶ ଝରାଫୁଲ ଠାରୁ ୩୦ ହଜାର ଟଙ୍କା ନେଇଥିଲା । ପରେ ଟଙ୍କା ଫେରାଇବା ପାଇଁ ରାକେଶ ଦିନ ଗଡ଼ାଇବାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ହୋଇଥିଲା । ଟଙ୍କା ନଦେଲେ ଘରକୁ ଯାଇ କହିବ ବୋଲି ଝରାଫୁଲ ରାକେଶକୁ ଚେତାବନୀ ଦେଇଥିଲା । ତେବେ ପରେ ଟଙ୍କା ଦେବା ବାହାନାରେ ରାକେଶ ଝରାଫୁଲକୁ ଡକାଇଥିଲା । ଜନ୍ମଦିନ ପାର୍ଟିକୁ ଆସିଥିବା ଝରାଫୁଲକୁ ରାକେଶ ଅଟକାଇଥିଲା । ୨୬ ତାରିଖରେ ଏକ ଓୟୋ ହୋଟେଲକୁ ରାକେଶ ଝରାଫୁଲକୁ ନେଇଥିଲା । ସେଠାରେ ବଳପୂର୍ବକ ରାକେଶ ଝରାଫୁଲକୁ ମଦ ପିଆଇଥିଲା । ମଦ ପିଇ ଝରାଫୁଲ ଚେତାଶୂନ୍ୟ ହେବା ପରେ ରାକେଶ ତାକୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା ପରେ ଉଭୟ ସହଯୋଗୀଙ୍କୁ ଡାକି ରାକେଶ ଶବ ଫିଙ୍ଗିବା ବ୍ୟବସ୍ଥା କରିଥିଲା । ଏହି ମୃତ୍ୟୁ ମାମଲାରେ ସଂପୃକ୍ତ ଥିବା ରାକେଶର ସହଯୋଗୀ ଶକ୍ତିଶେଖର ସ୍ୱାଇଁକୁ ଭୁବନେଶ୍ବରରୁ ଯାଜପୁର ପୁଲିସ ଗିରଫ କରିବା ପରେ ଏହି ରହସ୍ୟ ଜନକ ମୃତ୍ୟୁ ମାମଲା ପରଦା ହଟିଛି। ଉଲ୍ଲେଖନୀୟ, ଜାନୁଆରୀ ୨୭ ତାରିଖ ସକାଳେ ଝରାଫୁଲଙ୍କ ମୃତଦେହ ଯାଜପୁର କୁଆଖିଆ ନିକଟ ମୂଳାପାଳ ଛକ-ରାଜେନ୍ଦ୍ରପୁର ରାସ୍ତା କଡ଼ରୁ ମିଳିଥିଲା । ଜାନୁଆରୀ ୨୫ ତାରିଖରେ ସେ ଭୁବନେଶ୍ୱରରେ ରହୁଥିବା ଧରମ ବାପା ଚକ୍ରଧରଙ୍କ ଝିଅ ଜନ୍ମଦିନ ପାର୍ଟିରେ ଯୋଗଦେବାକୁ ଗାଁରୁ ଭୁବନେଶ୍ୱର ଆସିଥିଲେ । ୨୬ ତାରିଖରେ ପୂର୍ବାହ୍ନ ୧୧ଟା ବେଳେ ଜୟଦେବ ବିହାରରେ ଝରାଫୁଲଙ୍କୁ ଯଶିପୁର ଯାଉଥିବା ଝାଡେଶ୍ୱର ବସ୍‌ରେ ବସାଇଥିଲେ ଚକ୍ରଧର । କିନ୍ତୁ ଅସୁସ୍ଥ ଦର୍ଶାଇ ଝରାଫୁଲ ବାଣୀବିହାର ଛକରେ ଓହ୍ଲାଇ ପଡ଼ିଥିଲେ । ଝରାଫୁଲ ବସ୍‌ରେ ବସିବାର କିଛି ସମୟ ପରେ ବାପା ରମାକାନ୍ତ ଫୋନ୍‌ କରିଥିଲେ । ଝରାଫୁଲ ଫୋନ୍‌ ରିସିଭ୍‌ କରି ଦେହ ଅସୁସ୍ଥ ଲାଗିବାରୁ ସାଙ୍ଗ ସୋନାଲିଙ୍କ ଘରେ ଅଛି ବୋଲି କହିଥିଲେ । ତା’ପରଠାରୁ ତାଙ୍କ ମୋବାଇଲ୍‌ ବନ୍ଦ ରହିଥିଲା । ୨୭ ତାରିଖ ସକାଳେ ଝରାଫୁଲଙ୍କ ମୃତଦେହ ଯାଜପୁର କୁଆଖିଆ ନିକଟ ରାସ୍ତା କଡ଼ରୁ ମିଳିଥିଲା । ମୃତଦେହ ଜବତ କରି କୁଆଖିଆ ଥାନା ପୁଲିସ ତନାଘନା ଆରମ୍ଭ କରି ଦେଇଥିଲା । ନିକଟରେ ଲାଗିଥିବା ଏକ ସିସିିଟିଭି ଫୁଟେଜରୁ ଝରାଫୁଲ ଏକ ସ୍କୁଟି ପଛରେ ଝୁଲନ୍ତା ଅବସ୍ଥାରେ ବସି ଯାଉଥିବା ଦେଖିବାକୁ ମିଳିଥିଲା । ତେଣୁ ପୁଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁଙ୍କୁ ଗିରଫ କରିଥିଲା । ମୃତ୍ୟୁର ପୂର୍ବ ରାତିରେ ଝରାଫୁଲ ତାଙ୍କ ସହ ଖଣ୍ଡଗିରି ଧର୍ମବିହାରସ୍ଥିତ ‘ଶିବସାଇ ଗେଷ୍ଟ୍‌ ହାଉସ୍‌’ର ରୁମ୍‌ ନଂ ୨୦୧ରେ ରହିଥିଲେ ବୋଲି ଜେରାବେଳେ ରାକେଶ କହିଥିଲେ । ଗେଷ୍ଟ ହାଉସ ନିକଟରେ ଲାଗିଥିବା ସିସିଟିଭି ଫୁଟେଜରୁ ରାକେଶ ଓ ତାଙ୍କ ବନ୍ଧୁ ଶକ୍ତିଶେଖର ସ୍ୱାଇଁ ଝରାଫୁଲଙ୍କୁ ସ୍କୁଟିରେ ବସାଇ ନେଇ ଯାଇଥିବା ଜଣାପଡ଼ିଥିଲା ।