ଭାରତୀୟ ଜିମ୍ନାଷ୍ଟ ଦୀପା କର୍ମକାର ଡୋପ୍ ଟେଷ୍ଟରେ ଫେଲ୍
ଭାରତୀୟ ଜିମ୍ନାଷ୍ଟ ଦୀପା କର୍ମକାର ଡୋପ୍ ଟେଷ୍ଟରେ ଫେଲ୍
ନୂଆଦିଲ୍ଲୀ: ଭାରତୀୟ ଜିମ୍ନାଷ୍ଟ ଦୀପା କର୍ମକାର ଡୋପ୍ ଟେଷ୍ଟରେ ଫେଲ୍ ହୋଇଛନ୍ତି। ଦୀପା ନିଷିଦ୍ଧ ନିଶା ସେବନ ପ୍ରମାଣିତ ହେବା ପରେ କାର୍ୟ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ଇଣ୍ଟରନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଆଇଟିଏ) ଜାଣିବାକୁ ପାଇଛି ଯେ, ଦୀପା ହାଇଜେନାମାଇନ ସେବନ କରିଥିଲେ। ଏହାର ଟେଷ୍ଟିଂ ରିପୋର୍ଟ ପଜିଟିଭ୍ ଆସିଛି। ଏହା ପରେ ଆଇଟିଏ ଦୀପା କର୍ମକାରଙ୍କ ଉପରେ କଟକଣା ଲାଗୁ କରିଛି। ଫଳରେ ଦୀପା କର୍ମକାର ୨୧ ମାସ ପର୍ୟ୍ୟନ୍ତ କୌଣସି ପ୍ରତିଯୋଗିତାରେ ଭାଗ ନେଇପାରିବେ ନାହିଁ।
ଜାତୀୟ ଗଣମାଧ୍ୟମକୁ ଆଇଟିଏ କହିଛି ଯେ, ଦୀପା କର୍ମକାରଙ୍କୁ ୨୧ ମାସ ପର୍ୟ୍ୟନ୍ତ ବାସନ୍ଦ କରାଯାଇଛି। ଏହା ୨୦୨୩ ଜୁଲାଇ ୧୦ ପର୍ୟ୍ୟନ୍ତ ଲାଗୁ ରହିବ। ଆଇଟିଏ ଦ୍ବାରା କୁହାଯାଇଛି ଯେ, ଏଏଫଆଇଜି ଆଣ୍ଟି ଡୋପିଂ ନିୟମ ଧାରା ୧୦.୮.୨ ଅନୁସାରେ ମାମଲାର ସମାଧାନ କରାଯାଇଛି।ସୂଚନାଯୋଗ୍ୟ, ତ୍ରିପୁରାର ଦୀପା କର୍ମକାର ଭାରତର ଶ୍ରେଷ୍ଠ ଜିମ୍ନାଷ୍ଟମାନଙ୍କ ମଧ୍ୟରୁ ଅନ୍ୟତମ। ସେ ୨୦୧୬ ରିଓ ଅଲିମ୍ପିକ୍ସରେ ୪ର୍ଥ ସ୍ଥାନରେ ଥିଲେ। ଏହା ପରେ ୨୦୧୮ରେ ସେ ତୁର୍କୀର ମର୍ସିନ ଠାରେ ଏଏଫ୍ଆଇଜି ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ୱାର୍ଲ୍ଡ ଚ୍ୟାଲେଞ୍ଜ କପ୍ର ୱାଲ୍ଟ ପ୍ରତିଯୋଗିତାରେ ଦେଶ ପାଇଁ ସ୍ବର୍ଣ୍ଣପଦକ ଜିତିଥିଲେ। ଏହି କାମ କରିବାକୁ ସେ ହେଉଛନ୍ତି ଭାରତର ପ୍ରଥମ ଜିମ୍ନାଷ୍ଟ। ଦୀପା କର୍ମକାରଙ୍କୁ ଗୋଲ୍ଡେନ ଗର୍ଲ ମଧ୍ୟ କୁହାଯାଇଥାଏ।




admin 