ଭାରତ ଜିତିଲା ଟ୍ବେଣ୍ଟି-୨୦ ଶୃଙ୍ଖଳା
ଭାରତ ଜିତିଲା ଟ୍ବେଣ୍ଟି-୨୦ ଶୃଙ୍ଖଳା
ଅହମ୍ମଦାବାଦ୍: ଭାରତ ମାଟିରେ ପ୍ରଥମ ଥର ପାଇଁ ଏକ ଦ୍ବିପାକ୍ଷିକ ଶୃଙ୍ଖଳା ଜିତିବାର ସ୍ବପ୍ନ ପୁଣି ଥରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡର ଅଧୁରା ରହିିଛି। ଶୁବମାନ ଗିଲ୍ଙ୍କ ଅପରାଜିତ ଶତକ ପରେ ହାର୍ଦିକ ପାଣ୍ଡ୍ୟାଙ୍କ ଘାତକ ବୋଲିଂ ବଳରେ ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ ଟି୨୦ ମ୍ୟାଚକୁ ଭାରତ ୧୬୮ରନରେ ଜିତି ୨-୧ରେ ସିରିଜ୍ ବିଜୟୀ ହୋଇଛି। ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ରେ ଭାରତର ଏହା ସର୍ବବୃହତ ବିଜୟ। ପୂର୍ବରୁ ଭାରତ ୨୦୧୮ଜୁନ ୨୯ରେ ଡବଲିନ୍ରେ ୧୪୩ନରରେ ଆୟରଲାଣ୍ଡକୁ ପରାସ୍ତ କରିଥିଲା।
ଶୁବମାନ ଗିଲ୍ଙ୍କ ଅପରାଜିତ ଶତକ ବଳରେ ଭାରତ ୨୩୪ରନ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ଘରୋଇ ଭାରତୀୟ ବୋଲରଙ୍କୁ ଉପଯୁକ୍ତ ସାମ୍ନା କରିନପାରି ୬୬ରନରେ ଅଲ୍ଆଉଟ୍ ହୋଇଯାଇଥିଲା।
ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ବୁଧବାର ଖେଳାଯାଇଥିବା ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚରେ ଭାରତ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରାରମ୍ଭରୁ ବ୍ୟାଟିଂ ବିପଯ୍ୟୟ ଭୋଗିଥିଲା। ଓପନର ଇଶାନ କିଷନ ମାତ୍ର ୧ରନ କରି ଆଉଟ୍ ହୋଇଥିଲେ। ଦ୍ବିତୀୟ ୱିକେଟରେ ଶୁବମାନ ଗିଲ୍ ଓ ରାହୁଲ ତ୍ରିପାଠୀ ୮୫ରନ ସଂଗ୍ରହ କରିଥିଲେ। ତ୍ରିପାଠୀ ୨୨ଟି ବଲରୁ ୪ଟି ଚୌକା ଓ ୩ଟି ଛକା ସହ ୪୪ରନ କରି ଆଉଟ୍ ହୋଇଥିଲେ। ୩ୟ ୱିକେଟ ପାଇଁ ସୂର୍ୟ୍ୟକୁମାର ଯାଦବ ଓ ଶୁବମାନ ୩୮ରନ ସଂଗ୍ରହ କରିଥିଲେ। ସ୍କୋର ୧୨୫ରନ ଥିବାବେଳେ ସୂଯ୍ୟକୁମାର ୧୩ଟି ବଲରୁ ଗୋଟିଏ ଚୌକା ଓ ୨ଟି ଛକା ସହ ୨୪ରନ କରି ଆଉଟ୍ ହୋଇଥିଲେ। ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଓ ଶୁବମାନ ୧୦୩ରନ ସଂଗ୍ରହ କରିଥିଲେ। ସ୍କୋର ୨୨୮ରନ ଥିବାବେଳେ ହାର୍ଦିକ ୩୦ରନ କରି ଆଉଟ୍ ହୋଇଥିଲେ। ଶୁବମାନଙ୍କ ୬୩ଟି ବଲରୁ ୧୨ଟି ଚୌକା ଓ ୭ଟି ଛକା ସହ ଅପରାଜିତ ୧୨୬ରନ ବଳରେ ଭାରତ ୪ ୱିକେଟ ହରାଇ ୨୩୪ରନ କରିବାକୁ ସକ୍ଷମ ହୋଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ ବ୍ରାସୱେଲ, ବ୍ଳେୟାର ଟିକ୍ନର, ଇସ୍ ଶୋଢି ଓ ଡ୍ୟାରେଲ ମିଚେଲ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଶୁବମାନ ଗିଲ୍ ପ୍ଲେୟାର ଅଫ ଦି ମ୍ୟାଚ ଓ ହାର୍ଦିକ ପାଣ୍ଡ୍ୟା ପ୍ଲେୟାର ଅଫ ଦି ସିରିଜ୍ ବିବେଚିତ ହୋଇଛନ୍ତି। ପ୍ରଥମ ଟି୨୦କୁ ନ୍ୟୁଜିଲାଣ୍ଡ ୨୧ରେ ଜିତି ନେଇଥିବାବେଳେ ଭାରତ ଦ୍ବିତୀୟ ଟି୨୦କୁ ୬ ୱିକେଟରେ ଜିତି ଶୃଙ୍ଖଳାକୁ ୧-୧ ବରାବର କରିଥିଲା।