କେନ୍ଦ୍ର ସରକାର କମ୍ପାନୀମାନଙ୍କ ଠାରୁ ଟିକା ଆଣି ରାଜ୍ୟ ସରକାରଙ୍କୁ ଦିଅନ୍ତୁ : ମୁଖ୍ୟମନ୍ତ୍ରୀ
କେନ୍ଦ୍ର ସରକାର କମ୍ପାନୀମାନଙ୍କ ଠାରୁ ଟିକା ଆଣି ରାଜ୍ୟ ସରକାରଙ୍କୁ ଦିଅନ୍ତୁ : ମୁଖ୍ୟମନ୍ତ୍ରୀ
admin
Jun 2, 2021 - 10:04
Updated: Jun 2, 2021 - 10:04
ଭୁବନେଶ୍ୱର: କରୋନାକୁ ମାତ ଦେବା ପାଇଁ ଟିକାକରଣକୁ ଜୋରଦାର କରାଯାଉଛି । ତେବେ ଅଧିକାଂଶ ସ୍ଥାନରେ ଟିକାର ଅଭାବ ପାଇଁ ଟିକାକରଣ ବାଧାପ୍ରାପ୍ତ ହେଉଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କେନ୍ଦ୍ର ସରକାର କମ୍ପାନୀମାନଙ୍କ ଠାରୁ ଟିକା ଆଣି ରାଜ୍ୟ ସରକାରଙ୍କୁ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି । ଆଜି ଦେଶର ସବୁ ମୁଖ୍ୟମନ୍ତ୍ରୀମାନଙ୍କୁ ନବୀନ ଚିଠି ଲେଖି ଏନେଇ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ।
ପ୍ରକାଶ ଯେ, ଟିକା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଟିକା ସଙ୍କଟ ଦୂର କରିବା ପାଇଁ ନବୀନ ସମସ୍ତଙ୍କୁ ଚିଠି ଲେଖିବା ସହ ସମସ୍ତଙ୍କ ସହମତି ଲୋଡ଼ିଛନ୍ତି । ଟିକା ପାଇଁ ପରସ୍ପର ଭିତରେ ନଲଢି, ଏକାଠି ଲଢିବାକୁ ନବୀନ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ।
ନବୀନ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଆମ ଲୋକଙ୍କୁ ସୁରକ୍ଷା ଦେବାର ଏକମାତ୍ର ମାଧ୍ୟମ ହେଉଛି ଟିକା । ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ନକଲେ କୌଣସି ରାଜ୍ୟ ସୁରକ୍ଷିତ ନୁହେଁ । କେନ୍ଦ୍ର ନିୟମ କୋହଳ କଲା ପରେ କିଛି ରାଜ୍ୟ ଟେଣ୍ଡର ଡାକିଛନ୍ତି । କିନ୍ତୁ ଟିକା କମ୍ପାନୀମାନେ କେନ୍ଦ୍ର ସରକାରଙ୍କ ଠାରୁ କ୍ଲିୟରାନ୍ସ ଚାହୁଁଛନ୍ତି । ଟିକା କମ୍ପାନୀମାନେ ସିଧାସଳଖ ରାଜ୍ୟ ସରକାରଙ୍କ ସହ ଚୁକ୍ତି ଚାହୁଁନାହାନ୍ତି । ଏଭଳି ପରିସ୍ଥିତିରେ ଏକମାତ୍ର ବିକଳ୍ପ ହେଉଛି କେନ୍ଦ୍ର ଟିକା ଆଣି ରାଜ୍ୟକୁ ଦେଉ । ସମସ୍ତଙ୍କୁ ଟିକାକରଣ ପାଇଁ ନିୟମରେ କୋହଳ ପାଇଁ ରାଜ୍ୟକୁ ଅନୁମତି ମିଳୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।
ଅନ୍ୟପକ୍ଷରେ ଓଡ଼ିଶା ସରକାରଙ୍କ ଗ୍ଲୋବାଲ ଟେଣ୍ଡରକୁ ଟିକା ଉପôାଦନକାରୀଙ୍କ ଅନାଦର ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜର ପ୍ରତିକ୍ରିୟା ରଖି କହିଥିଲେ ଯେ, ଗ୍ଲୋବାଲ ଟେଣ୍ଡର ରାଜ୍ୟ ସରକାରଙ୍କ ଅପରିପକ୍ୱ ନିଷ୍ପତ୍ତି । ଟେଣ୍ଡର ପୂର୍ବରୁ ସମସ୍ତଙ୍କ ସହ ଆଲୋଚନା କରିବା ଉଚିତ ଥିଲା । କୌଣସି ବିଡର ଯୋଗନଦେବା ରାଜ୍ୟ ସରକାରଙ୍କ ଅପାରଗତାର ପ୍ରମାଣ । ରାଜ୍ୟ ସରକାର ଏବେ ଏନେଇ କେନ୍ଦ୍ରକୁ ଚିଠି ଲେଖି ଜଣାଇଛନ୍ତି । ଆମ ପାଇଁ ସମସ୍ତଙ୍କ ଜୀବନ ମୂଲ୍ୟବାନ । କେନ୍ଦ୍ର କ’ଣ ନିଷ୍ପତ୍ତି ନେବ, ଅପେକ୍ଷା କରିବାକୁ ପଡ଼ିବ ବୋଲି ଅପରାଜିତା କହିଥିଲେ ।