ହାଇଦର ଧରାପଡ଼ିଯିବା ପରେ ପୁଲିସକୁ ଦେଖି ଚେତାଶୂନ୍ୟ ହୋଇପଡ଼ିଥିଲା : ରଶ୍ମିରଞ୍ଜନ
ହାଇଦର ଧରାପଡ଼ିଯିବା ପରେ ପୁଲିସକୁ ଦେଖି ଚେତାଶୂନ୍ୟ ହୋଇପଡ଼ିଥିଲା : ରଶ୍ମିରଞ୍ଜନ
admin
Apr 17, 2021 - 10:34
Updated: Apr 17, 2021 - 10:34
କଟକ: କଟକ ବଡ଼ ଡାକ୍ତରଖାନାରୁ ଫେରାର ହୋଇଯାଇଥିବା ସେକ ହାଇଦର ଧରାପଡ଼ିଯିବା ପରେ ପୁଲିସକୁ ଦେଖି ଚେତାଶୂନ୍ୟ ହୋଇପଡ଼ିଥିଲା ବୋଲି ଆନ୍ଧ୍ରପୁଲିସ ଦଳର ନେତୃତ୍ୱ ବାଦାମବାଡ଼ ଥାନା ଇନ୍ସପେକ୍ଟର ରଶ୍ମିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି । ଶ୍ରୀ ମହାପାତ୍ରଙ୍କ କହିବା ଅନୁସାରେ ହାଇଦର ଫେରାର ନେଇ ବଡ଼ ଡାକ୍ତରଖାନା ସିସିଟିଭି କ୍ୟାମେରାରେ ଫୁଟେଜ ଯାଞ୍ଚ କରାଯିବା ପରେ ଏକ କାରରେ ହାଇତର ତା’ର ପୁଅ ଓ ଅନ୍ୟ ୩ ଜଣଙ୍କ ସହିତ ପଳାଇ ଯାଇଥିବା ଦେଖିବାକୁ ମିଳିଥିଲା । ହାଇଦରର ଜଣେ ସମ୍ପର୍କୀୟ ଓ ଗୋଟିଏ ପୁଅ ହାଇଦରାବାଦରେ କ୍ୟାଟେରିଂ ସଂସ୍ଥା କରିଛନ୍ତି । ପୁଲିସ କମିସନରଙ୍କ ନିଦେ୍ର୍ଧଶକ୍ରମେ ହାଇଦର ପୁଅ ରହୁଥିବା ତେଲେଙ୍ଗନୋ ସୀମାବର୍ତ୍ତୀ ଅଞ୍ଚଳ କିଙ୍ଗକୋଟିରେ ପହଞ୍ଚିଥିଲୁ । ସେଠାରୁ ସେମାନେ ଚାଲିଯାଇଥିବା ଜଣାପଡ଼ିଥିଲା । କମିସନରେଟ ପୁଲିସ ବୈଷୟିକ ଜ୍ଞାନ ଉପଯୋଗ କରି ବିଭିନ୍ନ ମୋବାଇଲ ନମ୍ବରର ଲୋକେସନ ଆମକୁ ବରାବର ଖବର ଦେଇ ଚାଲିଥିଲେ । ୧୫ ତାରିଖରୁ ଅପରାହ୍ନ ୪ଟାରେ ସଙ୍ଗାରେଡ୍ଡି ଜିଲ୍ଲାର ହଦନୁଲ ଗ୍ରାମରେ ପହଞ୍ଚିଥିଲୁ । ସେଠାକାର ଗ୍ରାମବାସୀଙ୍କୁ ଫଟୋ ଦେଖାଇ ହାଇଦର ବିଷୟରେ ସନ୍ଧାନ ନେଇଥିଲୁ । ଜଣେ ବ୍ୟକ୍ତି ୩/୪ ଦିନ ହେବ ବାଇକରେ ଗ୍ରାମକୁ ଆସିବା ସହିତ କେତେଜଣଙ୍କ ସହିତ କଥା ହୋଇ ପଳାଇ ଯାଇଥିବା ସେଠାକାର ଲୋକେ କହିଥିଲେ । ଆଜି ମଧ୍ୟ ଆସିବ ବୋଲି ଜଣାପଡ଼ିବା ପରେ ଗ୍ରାମର ଚାରିପଟେ ଜଗି ରହି ତା’ଉପରେ ନଜର ରଖିଥିଲୁ । ସନ୍ଧ୍ୟା ସାଢେ଼ ୬ଟାରେ ମୁହଁରେ କପଡା ଓ ଟୋପି ପିନ୍ଧିଥିବା ଜଣେ ବ୍ୟକ୍ତି ଏକ ବାଇକରେ ଆସି ସେମାନେ ଜଗିଥିବା ସ୍ଥାନର ଆଗକୁ ପଳାଇ ଯାଇଥିଲା । ଆମେ ୪ଟି ବାଇକରେ ତାର ପିଛା କରିଥିଲୁ । ପ୍ରାୟ ୪ ମିଟର ଯିବା ପରେ ଆମର ଦୁଇଟି ବାଇକରେ ଥିବା କର୍ମଚାରୀମାନେ ତା ଆଗକୁ ଚାଲିଯାଇ ହଠାତ ଗାଡ଼ି ଆଗରେ ଛିଡା ହୋଇଯାଇଥିଲେ । କିଛି ବୁଝି ନ ପାରି ବ୍ୟକ୍ତି ଜଣକ ସେଠାରେ ଛିଡା ହୋଇଯିବା ପରେ ସମସ୍ତେ ତାକୁ କାବୁ କରି ନେଇଥିଲୁ । ଆମେ ପୁଲିସ ହୋଇଥିବା ଜାଣିବା ପରେ ହଠାତ ଚେତାଶୂନ୍ୟ ହୋଇ ବାଇକ ସହିତ ରାସ୍ତାରେ ପଡିଯାଇଥିଲା । ତା ମୁହଁରୁ କପଡା ଖୋଲିବା ପରେ ସେ ହାଇଦର ଜଣାପଡ଼ିଥିଲା । ୪ ମିନିଟ ପରେ ତାର ଚେତା ଫେରିବାରୁ ବାରମ୍ବାର ମୁଁ ଏଠାରେ ଅଛି ବୋଲି କିପରି ଜାଣିଲେ ବୋଲି ଆମକୁ ପଚାରିଥିଲା ବୋଲି ଟିମ ଲିଡର ଶ୍ରୀ ମହାପାତ୍ର କହିଛନ୍ତି ।