ନାସାର ବଡ ସଫଳତା ଜାଣନ୍ତୁ କ’ଣ
ନାସାର ବଡ ସଫଳତା ଜାଣନ୍ତୁ କ’ଣ
ୱାସିଂଟନ୍: ଗତମାସରେ ଜାଣିଶୁଣି ଗୋଟିଏ ଗ୍ରହାଣୁରେ ଧକ୍କା ଖାଇଥିବା ‘ନାସା’ର ମହାକାଶଯାନ ଉକ୍ତ ଗ୍ରହାଣୁର ପ୍ରାକୃତିକ କକ୍ଷପଥରୁ ଠେଲି ବାହାର କରିବାରେ ସଫଳ ହୋଇଥିବା କଥା ‘ନାସା’ ମୁଖ୍ୟ ଘୋଷଣା କରିଛନ୍ତି। କୌଣସି ମହାଜାଗତିକ ବସ୍ତୁର ଗତି ଓଲଟାଇବାରେ ଏହା ପ୍ରଥମ ମାନବୀୟ ସଫଳତା ବୋଲି ମଧ୍ୟ ସେ କହିଛନ୍ତି। ‘ନାସା’ର ମୁଖ୍ୟ ବିଲ୍ ନେଲ୍ସନ୍ କହିଛନ୍ତି, ଏହା ଆମ ଗ୍ରହର ପ୍ରତିରକ୍ଷା କ୍ଷେତ୍ରରେ ଯେତିକି ମହତ୍ତ୍ବପୂର୍ଣ୍ଣ ମାନବତା ପାଇଁ ମଧ୍ୟ ସେତିକି ମହତ୍ତ୍ବପୂର୍ଣ୍ଣ। ସେପ୍ଟେମ୍ବର ୨୬ ତାରିଖ ଦିନ ମହାକାଶଯାନ ‘ଡାର୍ଟ’ର ପରୀକ୍ଷାମୂଳକ ଆତ୍ମଘାତୀ ନିକ୍ଷେପଣ ତା’ର ମୁଖ୍ୟ ଲକ୍ଷ୍ୟ ହାସଲ କରିଛି। ତା’ର ଲକ୍ଷ୍ୟ ଥିଲା ପ୍ରଚଣ୍ଡ ଗତିଶକ୍ତି ମାଧ୍ୟମରେ ଗୋଟାଏ ଗ୍ରହାଣୁର ଦିଗ ପରିବର୍ତ୍ତନ କରିବା। ୩୩୦ ନିୟୁତ ଡଲାର୍ ବ୍ୟୟରେ ଦୀର୍ଘ ୭ ବର୍ଷ ଧରି ନିର୍ମାଣ ହୋଇଥିବା ‘ପ୍ରଫ୍-ଅଫ୍-କନ୍ସେପ୍ଟ୍’ ‘ଡାର୍ଟ ମିସନ୍’ର ସଫଳତା ଭବିଷ୍ୟତରେ ପୃଥିବୀକୁ ଗ୍ରହାଣୁ ଧକ୍କାରୁ ରକ୍ଷା କରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।
ମହାକାଶଯାନ ‘ଡାର୍ଟ’ର ମହାଜାଗତିକ ଲକ୍ଷ୍ୟ ଥିଲା ଫୁଟ୍ବଲ୍ ଷ୍ଟାଡିୟମ୍ ଆକାରର ‘ଡାଇମୋଫୋସ୍’ ନାମକ ଗୋଟାଏ ଡିମ୍ବାକୃତି ଗ୍ରହାଣୁ। ଏହି ଗ୍ରହାଣୁଟି ପ୍ରତି ୧୧ ଘଣ୍ଟା ୫୫ ମିନିଟ୍ରେ ତା’ଠାରୁ ୫ଗୁଣ ବଡ଼ ‘ଡିଡାଇମସ୍’ ନାମରେ ଆଉ ଏକ ଗ୍ରହାଣୁକୁ ପରିକ୍ରମା କରୁଛି। ଘଣ୍ଟାପ୍ରତି ୨୨,୫୩୧ କିଲୋମିଟର୍ ବେଗରେ ମହାକାଶଯାନ ‘ଡାର୍ଟ’ ତାକୁ ଧକ୍କା ଦେଇ ତା’ର କକ୍ଷପଥ ପରିବର୍ତ୍ତନ କରିବାରେ ସଫଳ ହୋଇଛି। ଫଳରେ ତା’ର ପରିକ୍ରମଣ ସମୟ ଅନ୍ୟୂନ ୧୦ ମିନିଟ୍ ହ୍ରାସ ପାଇଛି ବୋଲି ‘ନାସା’ କହିଛି।




admin 