୯ମ ରାଜ୍ୟସ୍ତରୀୟ ଦୃଷ୍ଟିହୀନ ପୁରୁଷ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ। କୋରାପୁଟ ଚାମ୍ପିୟାନ୍

୯ମ ରାଜ୍ୟସ୍ତରୀୟ ଦୃଷ୍ଟିହୀନ ପୁରୁଷ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ। କୋରାପୁଟ ଚାମ୍ପିୟାନ୍

ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ ସଂଘ ଏବଂ କ୍ରୀଡ଼ା ଓ ଯୁବ ସେବା ଵିଭାଗ, ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ହାଇଟେକ୍ ମେଡିକାଲ୍ କଲେଜର ସହଯୋଗରେ ଆୟୋଜିତ ୫ ଦିନିଆ ୯ମ ରାଜ୍ୟସ୍ତରୀୟ ଦୃଷ୍ଟିହୀନ ପୁରୁଷ କ୍ରିକେଟ ଟୁର୍ଣାମେଣ୍ଟ୍ ଉଦଯାପିତ ହୋଇଯାଇଛି। ଆଜିର ଫାଇନାଲ୍ ମ୍ୟାଚ୍ କୋରାପୁଟ ଦୃଷ୍ଟିହୀନ କ୍ରିକେଟ ଦଳ ଏବଂ ମାରଙ୍ଗବୁରୁ ଦୃଷ୍ଟିହୀନ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହେଇଥିଲା। ଏହି ଫାଇନାଲ୍ ମ୍ୟାଚ୍ ରେ କୋରାପୁଟ ଦୃଷ୍ଟିହୀନ କ୍ରିକେଟ ଦଳ, ମାରଙ୍ଗବୁରୁ ଦୃଷ୍ଟିହୀନ କ୍ରିକେଟ କ୍ଲବ କୁ ୭ ୱିକେଟ୍ ରେ ପରାସ୍ତ କରି ଚାମ୍ପିୟାନ୍ ହୋଇଥିଲା। ମାରଙ୍ଗବୁରୁ ଦୃଷ୍ଟିହୀନ କ୍ରିକେଟ କ୍ଲବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଏବଂ ୧୯ ଓଭର ରେ ୯ ୱିକେଟ୍ ହରାଇ ୧୧୯ ରନ୍ ସଂଗ୍ରହ କରିଥିଲା। ମାରଙ୍ଗବୁରୁ ଦୃଷ୍ଟିହୀନ କ୍ରିକେଟ କ୍ଲବ ପକ୍ଷରୁ ଲାଲପ୍ରସାଦ ସରେନ ୩୧ ବଲ୍ ୫୬ ରନ୍ ଓ ରାମଦାସ ମୁର୍ମୁ ୨୬ ବଲ୍ ୧୬ ରନ୍ ସଂଗ୍ରହ କରିଥିଲେ ଏବଂ ଶୁକଦେଵ ସରେନ ଓ ରାମ ଚନ୍ଦ୍ର ହାଁସଦା ୧ ୱିକେଟ୍ ଲେଖାଁଏ ଅକ୍ତିଆର କରିଥିଲେ। ଜବାବରେ କୋରାପୁଟ ଦୃଷ୍ଟିହୀନ କ୍ରିକେଟ ଦଳ ୧୨.୨ ଓଭର୍ ରେ ୩ଟି ୱିକେଟ୍ ରେ ୧୨୦ ରନ୍ କରି ବିଜୟ ଲାଭ କରିଥିଲା। ଏହି ମ୍ୟାଚ୍ ରେ କୋରାପୁଟ ଦୃଷ୍ଟିହୀନ କ୍ରିକେଟ ଦଳ ର ଖେଳାଳୀ ଶ୍ରୀ ଶୁଖରାମ ମାଝୀ ୩୭ ବଲ୍ ୫୦ ରନ୍ କରିବା ସହ ୪ ଓଭର୍ ରେ ୧  ୱିକେଟ୍ ସଂଗ୍ରହ କରି ଶ୍ରେଷ୍ଠ ଖେଳାଳୀ ଭାବେ ଵିଵେଚିତ ହୋଇଥିଲେ। ଏହି ଟୁର୍ଣାମେଣ୍ଟ୍ ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ B1 ଵର୍ଗ ପାଇଁ ଦେବରାଜ ବେହେରା, B2 ବର୍ଗ ପାଇଁ ରଘୁରାମ ନାୟକ ଏବଂ B3 ଵର୍ଗ ପାଇଁ  ରାମଦାସ ମୁର୍ମୁ ଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବରେ ପୁରସ୍କୃତ  କରାଯାଇଥିଲା।

ଟୁର୍ଣାମେଣ୍ଟ୍ ର ଉଦଯାପନି ଉତ୍ସବ ରେ ହାଇଟେକ୍ ଗ୍ରୁପ୍ ର ଚେୟାରମ୍ୟାନ, ଶ୍ରୀ ତିରୁପତି ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ ବିଧାୟକ ତଥା ସମାଜସେବୀ ପ୍ରିୟଦର୍ଶୀ ମିଶ୍ର, ଓଡ଼ିଶା କ୍ରୀଡ଼ା ବିଭାଗ ର ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା, ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ ସଂଘର ସାଧାରଣ ସଂପାଦକ, ଶ୍ରୀ ସନ୍ୟାସୀ କୁମାର ବେହେରା,   ମହିଳା ଓ ଶିଶୁ ବିକାଶ ଅନୁଷ୍ଠାନ ର ଅଧ୍ୟକ୍ଷା, ମେଜର୍ ଡକ୍ଟର୍ କଳ୍ପନା ଦାସ, ହାଇଟେକ୍ ମେଡିକାଲ କଲେଜ ର କ୍ରୀଡା ନିର୍ଦ୍ଧେଶକ, ଶ୍ରୀ ଲଳିତ ମହାନ୍ତି, ସକ୍ଷମ ଫାଉଣ୍ଡେସନ୍ ର ଅଧ୍ୟକ୍ଷା ମନସ୍ମିତା ଜେନା, ଭାରତ ସରକାରଙ୍କ ଖାଉଟି କଲ୍ୟାଣ ବୋର୍ଡର ସାଧାରଣ ସମ୍ପାଦିକା, ଶ୍ରୀମତୀ ନିଳିମା ପାତ୍ର ଏବଂ ଖୋର୍ଦ୍ଧା ର ପୂର୍ବତନ ବିଧାୟକ, ଡକ୍ଟର୍ ଦିଲ୍ଲୀପ ଶ୍ରୀଚନ୍ଦନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଖେଳାଳୀ ମାନଙ୍କୁ ପୁରସୃତ କରିଥିଲେ। ଉକ୍ତ ପୁରସ୍କାର ବିତରଣୀ ସମାରୋହକୁ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ ସଂଘ ର ସଭାପତି, ମହମ୍ମଦ ଜାଫର ଇକବାଲ୍ ପରିଚାଳନା କରିଥିଲେ।