୩ ମାସରେ ଲାଗୁ ହେବ ସପ୍ତମ ବେତନ କମିସନ

୩ ମାସରେ ଲାଗୁ ହେବ ସପ୍ତମ ବେତନ କମିସନ

୩ ମାସରେ ଲାଗୁ ହେବ ସପ୍ତମ ବେତନ କମିସନ
ଭୁବନେଶ୍ୱର: ଆଗାମୀ ୩ ମାସ ମଧ୍ୟରେ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜରେ ସପ୍ତମ ବେତନ କମିସନ ଲାଗୁ ହେବ । ତେବେ ଏହା କେବେଠାରୁ ଲାଗୁ ହେବ ତାହାର କୌଣସି ନିଷ୍ପତ୍ତି ହୋଇନାହିଁ । ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ସହ ଆଲୋଚନା ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ପ୍ରତିଶ୍ରୁତି ଦିଆଯାଇଛି । ୨୦୧୮ ରୁ ପିଛିଲା ଭାବେ ସପ୍ତମ ବେତନ କମିସନ ଲାଗୁ କରିବାକୁ ମିଳିତ ମଞ୍ଚ ଦାବି କରି ଆସୁଥିବା ବେଳେ ଏବେ ରାଜ୍ୟ ସରକାର ପରବର୍ତ୍ତୀ ନିଷ୍ପତ୍ତି ଉପରେ ସବୁ କିଝଛି ନିର୍ଭର କରୁଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରାଜ୍ୟ ସରକାରଙ୍କ ପ୍ରତିନିଧି ଯଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ନେଇ ଗଠିତ କମିଟି ସହ ମିଳିତ ମଞ୍ଚ ଆଲୋଚନା କରିଥିଲା । ଏହି ବୈଠକରେ ମିଳିତ ମଞ୍ଚ ପକ୍ଷରୁ ୫ ଦଫା ଦାବି ଉପସ୍ଥାପନ କରାଯାଇଥିଲା । ନୂତନ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜ ରେ ସପ୍ତମ ବେତନ କମିସନ ଲାଗୁ ଅବସର ସମୟ ସୀମା ୬୨ ବର୍ଷକୁ ବୃଦ୍ଧି, ଚାକିରି ସର୍ତ୍ତାବଳୀ, ସମସ୍ତ ଅଣ ଅନୁଦାନପ୍ରାପ୍ତ ସ୍କୁଲକୁ ଅନୁଦାନ ପ୍ରଦାନ, ଅସଙ୍ଗତି ଦୂରୀକରଣ, ଅବସରକାଳୀନ ସୁବିଧା ଆଦି ବସଷୟରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା । ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା ହେବା ପରେ ସପ୍ତମ ବେତନ କମିସନ ଲାଗୁ କରିବା ନେଇ ସହମତି ପ୍ରକାଶ ପାଇଛି ।