୩୧ରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ଭୋଟ୍

୩୧ରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ଭୋଟ୍

୩୧ରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ଭୋଟ୍

ଇସଲମାବାଦ :  ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ  ସଂସଦରେ ଉପସ୍ଥାପିତ ହୋଇଛି। ବିରୋଧୀ ଦଳ ପିଏମ୍ଏଲ-ଏନ୍ ନେତା ଶେହବାଜ ଶରିଫଙ୍କ ଦ୍ବାରା ଏହା ଆଗତ କରାଯାଇଛି। ପ୍ରସ୍ତାବ ସପକ୍ଷରେ ୧୬୧ ସଦସ୍ୟ ମତଦାନ କରିବା ପରେ ଏହା ଆଲୋଚନା ପାଇଁ ଗୃହୀତ ହୋଇଛି। ଏହା ଉପରେ ବିତର୍କ ପରେ ୩୧ ଅପରାହ୍ଣରେ ମତଦାନ କରାଯିବ ବୋଲି କାର୍ୟ୍ୟକ୍ରମ ସ୍ଥିର ହୋଇଛି। ସଂସଦର ନିମ୍ନ ସଦନ ସଦସ୍ୟ ସଂଖ୍ୟା ୩୪୨ ଥିବାବେଳେ ବିରୋଧୀ ଦଳ ଇମ୍ରାନଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ୧୭୨ ସାଂସଦଙ୍କ ସମର୍ଥନ ପାଇବା ଆଶା ରଖିଛନ୍ତି। ଇମ୍ରାନଙ୍କ ପାକିସ୍ତାନ ତେହରିକ୍-ଇ-ଇନ୍ସାଫ ଦଳର ସଦସ୍ୟ ସଂଖ୍ୟା ୧୫୫ ଥିବାବେଳେ ଅନ୍ୟ ଦଳର ୨୩ ସଦସ୍ୟଙ୍କ ସମର୍ଥନରେ ସରକାର ଚାଲିଛି। ଅନାସ୍ଥା ପ୍ରସ୍ତାବରେ ଜିତିବାକୁ ହେଲେ ସରକାରଙ୍କୁ ୧୭୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ଇମ୍ରାନ ବିଜୟ ନେଇ ଦୃଢ଼ ଆଶା ରଖିଛନ୍ତି।

ସୂଚନାଯୋଗ୍ୟ ଯେ ଚଳିତ ମାସ ୮ରେ ଶରିଫ ଅନାସ୍ଥା ପ୍ରସ୍ତାବ ସଂସଦ ସଚିବାଳୟରେ ଆଗତ କରିଥିଲେ। ଗତ ଶୁକ୍ରବାର ବାଚସ୍ପତି ଆସାଦ କାଇଜର ସଂସଦ ଅଧିବେଶନକୁ ତିନି ଦିନ ମୁଲତବୀ ଘୋଷଣା ସହ ୨୮ରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯିବା ବିଷୟରେ ଘୋଷଣା କରିଥିଲେ। ଇତିମଧ୍ୟରେ ବହୁ ସାଂସଦ ତାଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିନେଲେଣି। ସରକାରର ତିନିଟି ସହଯୋଗୀ ଦଳ ଅନାସ୍ଥା ପ୍ରସ୍ତାବ ବିପକ୍ଷରେ ଭୋଟ୍ ଦେବେ ବୋଲି ଘୋଷଣା କରିଛନ୍ତି। ଇତିମଧ୍ୟରେ ଇମ୍ରାନଙ୍କ ନିଜ ଦଳର ପ୍ରାୟ ୨୪ ସାଂସଦ ବିଦ୍ରୋହୀ ପାଲଟିଯାଇଛନ୍ତି। ଇମ୍ରାନଙ୍କ ଦଳର ୫୦ରୁ ଅଧିକ ମନ୍ତ୍ରୀ ଏବେ ସୁଦ୍ଧା ନିଖୋଜ ଥିବା କୁହାଯାଉଛି। ଏପରି ଅବସ୍ଥାରେ ସରକାର ଦୋଦୁଲ୍ୟମାନ ଅବସ୍ଥାରେ ରହିଛି। ୨୦୧୮ରେ ଇମ୍ରାନ ସରକାର ଗଠନ କରିଥିଲେ। ତାଙ୍କ କାର୍ୟ୍ୟକାଳ ୨୦୨୩ ପର୍ୟ୍ୟନ୍ତ ରହିଛି।