୧୯୨୦ ମସିହାରେ ଭାରତରେ ହୋଇଥିଲା ପ୍ରଥମ ବିମୁଦ୍ରୀକରଣ, ଆଜିକୁ ପୁରିଲା ୧୦୦ ବର୍ଷ
୧୯୨୦ ମସିହାରେ ଭାରତରେ ହୋଇଥିଲା ପ୍ରଥମ ବିମୁଦ୍ରୀକରଣ, ଆଜିକୁ ପୁରିଲା ୧୦୦ ବର୍ଷ
admin
Feb 3, 2020 - 07:50
Updated: Feb 3, 2020 - 07:50
ଆଜିକୁ ଶହେ ବର୍ଷ ତଳେ ଅର୍ଥାତ ୧୯୨୦ ମସିହାରେ ଭାରତରେ ପ୍ରଥମେ ବିମୁଦ୍ରୀକରଣ ହୋଇଥିଲା । ସେ ଦୃଷ୍ଟିରୁ ୨୦୨୦ ମସିହାକୁ ଭାରତ ନିଜର ପ୍ରଥମ ବିମୁଦ୍ରୀକରଣର ଶତବାର୍ଷିକୀ ବର୍ଷ ଭାବେ ବିଚାର କରୁଛି । ୧୯୨୦ ମସିହାରେ ହାଇଦ୍ରାବାଦର ନିଜାମ୍ ସରକାର ପ୍ରଥମେ ୧ ଟଙ୍କିଆ କାଗଜ ମୁଦ୍ରାର ପ୍ରଚଳନକୁ ପ୍ରତ୍ୟାହାର କରି ନେଇଥିଲେ । ୧୯୧୮ ମସିହାରେ ହାଇଦ୍ରାବାଦ ନିଜାମ୍ ସରକାର ପ୍ରଥମ ଥର ପାଇଁ ୧୦ ଟଙ୍କିଆ ଏବଂ ୧୦୦ ଟଙ୍କିଆ କାଗଜ ମୁଦ୍ରା ପ୍ରଚଳନ କରିଥିଲେ । ଏହା ପରେ ୧୯୧୯ ମସିହାରେ ନିଜାମ ସରକାର ୧ ଟଙ୍କିଆ କାଗଜ ମୁଦ୍ରା ପ୍ରଚଳନ ଆରମ୍ଭ କରିଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ରୁପା ଭଳି ଧାତୁର ଅଭାବ ପରିଲକ୍ଷିତ ହେବାରୁ ରୁପା ମୁଦ୍ରା ପ୍ରଚଳନ ବାଧାପ୍ରାପ୍ତ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ହାଇଦ୍ରାବାଦ ନିଜାମ କାଗଜ ଟଙ୍କା ପ୍ରଚଳନ କରିବା ଆରମ୍ଭ କରିଥିଲେ । ମାତ୍ର କାଗଜ ଟଙ୍କା ପ୍ରତି ଲୋକଙ୍କର ଆଗ୍ରହ ଓ ଆସ୍ଥା ରହିଲା ନାହିଁ । ପ୍ରଥମତଃ, ଏହା କଳା, ଧଳା ରଙ୍ଗରେ ଛପା ଯାଉଥିବାରୁ ଲୋକେ ଏହାକୁ ଅଶୁଭ ବୋଲି ବିବେଚନା କଲେ । ସେହିଭଳି ରୁପା ଟଙ୍କାକୁ ଲୋକେ ଶୁଭ ଦୃଷ୍ଟିରେ ବିଚାର କରୁଥିଲେ । ଅପରପକ୍ଷେ, କାଗଜ ଟଙ୍କାର ଅନ୍ତରୀଣ ମୂଲ୍ୟ ନଥିବାରୁ ଲୋକେ ଏହାକୁ ଗ୍ରହଣ କରି ନଥିଲେ । ଫଳରେ ୧୯୧୯ରେ ପ୍ରଚଳିତ ହୋଇଥିବା ୧ ଟଙ୍କିଆ କାଗଜ ମୁଦ୍ରାକୁ ବାଧ୍ୟ ହୋଇ ଗୋଟିଏ ବର୍ଷ ପରେ ଅର୍ଥାତ୍ ୧୯୨୦ରେ ହାଇଦ୍ରାବାଦର ନିଜାମ୍ ସରକାର ପ୍ରତ୍ୟାହାର କରି ନେଇଥିଲେ । ଏହା ବଦଳରେ ପୂର୍ବ ଭଳି ୧ ଟଙ୍କିଆ ରୁପା ମୁଦ୍ରା ପ୍ରଚଳନ ଜାରି ରହିଲା । ଏଣୁ ୧୯୨୦ ମସିହାରେ ଭାରତର ପ୍ରଥମ ବିମୁଦ୍ରୀକରଣ ହୋଇଥିଲା ବୋଲି କୁହାଯାଉଛି ।
ବରିଷ୍ଠ ବ୍ୟାଙ୍କ ଅଧିକାରୀ ଅମରବୀର ସିଂହଙ୍କ କହିବା ଅନୁଯାୟୀ, ତତ୍କାଳୀନ ବ୍ରିଟିଶ ସରକାର ସ୍ୱାଧୀନ ରାଜ୍ୟ ହାଇଦ୍ରାବାଦକୁ ମୁଦ୍ରା ପ୍ରଚଳନ ପାଇଁ ଅନୁମତି ଦେଇଥିଲେ । ହାଇଦ୍ରାବାଦ ନିଜାମ ସରକାର ବିଶେଷକରି ରୁପାରେ ଟଙ୍କା ପ୍ରଚଳନ କରୁଥିଲେ । ମାତ୍ର ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ରୁପାର ଉତ୍କଟ ଅଭାବ ଯୋଗୁଁ କାଗଜ ଟଙ୍କାର ପ୍ରଚଳନ ପାଇଁ ବ୍ରିଟିଶ ସରକାର ପ୍ରଥମେ ହାଇଦ୍ରାବାଦ ନିଜାମଙ୍କୁ ପରାମର୍ଶ ଦେଇଥିଲେ । ବ୍ରିଟିଶ ସରକାରଙ୍କ ପରାମର୍ଶ କ୍ରମେ ହାଇଦ୍ରାବାଦ ମୁଦ୍ରା ନିୟମ-୧୯୧୭ / ୧୯୧୮ ଅନୁଯାୟୀ, ସପ୍ତମ ନିଜାମ ମୀର୍ ଓସମାନ ଅଲ୍ଲୀ ଖାନ୍ ୧୯୧୮ ମସିହା ଜୁନ୍ ୪ରେ ୧୦ ଟଙ୍କିଆ ଏବଂ ୧୦୦ ଟଙ୍କିଆ କାଗଜ ମୁଦ୍ରା ପ୍ରଚଳନ କରିଥିଲେ । ଏହାର ବର୍ଷକ ବରେ ୧୯୧୯ରେ ୧ ଟଙ୍କିଆ କାଗଜ ମୁଦ୍ରା ପ୍ରଚଳନ କରିଥିଲେ । ମାତ୍ର ଏହା ଲୋକଙ୍କ ଦ୍ୱାରା ଗ୍ରହଣୀୟ ନ ହେବାରୁ ୧୯୨୦ରେ ନିଜାମ୍ ସରକାର ବାଧ୍ୟ ହୋଇ ଏହାକୁ ପ୍ରତ୍ୟାହାର କରିଥିଲେ । ଏଣୁ ଏହାକୁ ଭାରତର ପ୍ରଥମ ବିମୁଦ୍ରୀକରଣର ଆଖ୍ୟା ମିଳିଛି । ଏହା ପରେ ୧୯୨୬ରେ ହାଇଦ୍ରାବାଦ ନିଜାମ ସରକାର ୧,୦୦୦ ଟଙ୍କିଆ କାଗଜ ମୁଦ୍ରା ପ୍ରଚଳନ କରିଥିଲେ । ତେବେ ନିଜାମଙ୍କ ଦ୍ୱାରା ପ୍ରତ୍ୟାହୃତ କାଗଜ ଟଙ୍କାକୁ ସେତେବେଳେ ରାଜକୀୟ ରାଜକୋଷରେ ଗଚ୍ଛିତ ରଖାଯାଇଥିଲା । ୧୯୩୯ରେ ଏହି ଟଙ୍କାକୁ ନଷ୍ଟ କରାଯାଇଥିଲା ।