ହୋଲ୍ଡିଂ ଟିକସ ନଦେଲେ ଘର ସିଲ୍
ହୋଲ୍ଡିଂ ଟିକସ ନଦେଲେ ଘର ସିଲ୍
admin
Mar 14, 2021 - 06:18
Updated: Mar 14, 2021 - 06:18
ଭୁବନେଶର: ଗୋଟିଏ ପଟେ ବର୍ଦ୍ଧିତ ହୋଲ୍ଡିଂ ଟିକସକୁ ନେଇ ଲୋକଙ୍କ ଆକ୍ରୋଶ ବଢ଼ିବାରେ ଲାଗିଛି । ଏହାକୁ ପ୍ରତ୍ୟାହାର ପାଇଁ ଦାବି ହେଉଛି । ଅଧିକାଂଶ ଲୋକ ବର୍ଦ୍ଧିତ ଟିକସ ଦେବାକୁ ଅମଙ୍ଗ ହେଉଛନ୍ତି । ଟିକସ ବୃଦ୍ଧି ବିରୋଧରେ ରାଜନୈତିକ ଦଳମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଗତକାଲି ବିଏମମସି ଅଫିସ୍ ଘେରିଥିଲା ବିଜେପି । କଂଗ୍ରେସ ମଧ୍ୟ ୱାର୍ଡ ସ୍ତରରେ ଆନେ୍ଦାଳନ କରୁଛି । ଟିକସ ବୃଦ୍ଧିକୁ ନେଇ ହାଇକୋର୍ଟରେ ଥିବା ମାମଲାର ଚୁଡାନ୍ତ ରାୟ ମଧ୍ୟ ଆସିନି । ଅନ୍ୟପଟେ ଏଭଳି ସମୟରେ ଟିକସ ବୃଦ୍ଧି ନିଷ୍ପତିର ସାନି ବିଚାର ନ କରି ଓଲଟା ଲୋକଙ୍କୁ ଧମକାଇଛି ବିଏମସି । ଟିକସ ନଦେଲେ ଘର ସିଲ କରି ଦିଆଯିବ ବୋଲି ସିଧା ଚେତାବନୀ ଦେଇଛି ।
ବିଏମସି ଡେପୁଟି କମିଶନର(ରାଜସ୍ୱ) ଏହି ମର୍ମରେ ସମସ୍ତ ଜୋନାଲ ଡେପୁଟି କମିଶନର ଏବଂ ୱାର୍ଡ ଅଫିସରଙ୍କୁ ଚିଠି ଲେଖି ଘର ସିଲ ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଯେଉଁମାନେ ହୋଲ୍ଡିଂ ଟିକସ ଦେଉନାହାନ୍ତି ସେମାନଙ୍କ ବିରୋଧରେ ସାର୍ଟିଫିକେଟ କେସ୍ ନିଦେ୍ର୍ଧଶ ଦିଆଯାଇଛି । ସାର୍ଟିଫିକେଟ କେସ୍ ହୋଇଥିବା ଘର ମାଲିକଙ୍କ ବିରୋଧରେ ତକ୍ରାଳ କଠୋର ପଦକ୍ଷେପ ନେବାକୁ କୁହାଯାଉଛି । ଟିକସ ଦେବାକୁ ଅମଙ୍ଗ ରାଜଧାନୀବାସୀଙ୍କୁ ଏଭଳି ନାଲିଆଖି ଦେଖାଇଛି ବିଏମସି । ଲୋକେ ବିଏମସି ନିଷ୍ପତି ମୁତାବକ ଟିକସ ନଦେଲେ କଠୋର ପରିଣାମ ଭୋଗିବାକୁ ପଡିବ, ଯାହା ବିଏମସି ଅଧିକାରୀଙ୍କ ଚିଠିରୁ ବୁଝାପଡୁଛି ।
ବିଜେପି ଏହି ଚିଠି ପ୍ରସଙ୍ଗରେ କଡା ପ୍ରତିକ୍ରିୟା ରଖିଛି । ବିଏମସି କର୍ତୃପକ୍ଷଙ୍କୁ କଡା ସମାଲୋଚନା କରିଛନ୍ତି ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ । ସେ କହିଛନ୍ତି, ବିଏମସି ପ୍ରଥମେ ଟିକସ ବୃଦ୍ଧି ସମ୍ପର୍କରେ ଲୋକଙ୍କ ପାଖରେ ତଥ୍ୟ ରଖୁ । କେଉଁ ଆଧାରରେ ଟିକସ ମୂଲ୍ୟାୟନ କରାଯାଇଛି ତାକୁ ବୁଝାଉ । ଆମେ ଉଠାଇଥିବା ପ୍ରଶ୍ନର ଉତର ଦେଉ । କେଉଁ କମିଟିର ନିଷ୍ପତି ଆଧାରରେ କୋଠା ଓ ଜମିର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି ତାର ଜବାବ ଦେଉ । ଲୋକଙ୍କୁ ଠିକ୍ରେ ସେବା ମିଳୁନଥିବାବେଳେ କାହିଁକି ଏହି ଜିଜିୟା କର କଷାଯାଉଛି ତା’ର ଉତର ରଖୁ । ଏହା ନକରି ବିଏମସି ଲୋକଙ୍କୁ ଟିକସ ଦେବାକୁ ଧମକ ଦେଉଛି । ଏହା ଏକଛତ୍ରବାଦୀ ଶାସନର ନମୁନା ବିଜେପି ରାଜଧାନୀବାସୀଙ୍କ ସହ ରହିଛି । ଆମେ ଲୋକଙ୍କ ପାଇଁ ଆନେ୍ଦାଳନକୁ ଜୋରଦାର କରିବୁ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ୧୯୭୭ରୁ ଭୁବନେଶ୍ୱରରେ ଗୃହ ଟିକସ ଲାଗୁ ହୋଇଆସୁିଛି । ପୂର୍ବରୁ କେବଳ ଲ୍ୟାଣ୍ଡ କଷ୍ଟ ବା ଜମି ମୂଲ୍ୟକୁ ହିସାବକୁ ନେଇ ଟିକସ ହିସାବ ହେଉଥିଲା । ୧୯୮୯ରେ ବିଏମସି ଗଠନ ପରେ ବି ଟିକସ ହାର ଅପରିବର୍ତିତ ରହିଲା । ସେବେ ଟିକସ ହାର ୧୨ ପ୍ରତିଶତ ଥିଲା । ୨୦୦୩ ରେ ବିଏମସି ଟିକସ ହାରକୁ ୧୭.୫ ପ୍ରତିଶତକୁ ବଢ଼ାଇଲା । ଓଡିଶା ପୌର ଆଇନ ୧୯୫୦ ଅନୁସାରେ ଏହା ଲାଗୁ ହୋଇଥିଲା । ତେବେ ୨୦୧୯ ଯାଏ ଏହା ଅପରିବର୍ତତ ଥିଲା । ୨୦୧୯ ଏପ୍ରିଲ ପହିଲାରୁ ବିଏମସି ନୂଆ ଟିକସ ଲାଗୁ କରିଛି । ୨୦୧୯ ମସିହାରେ ହୋଇଥିବା ଜମିର ସଂଶୋଧିତ ବେଂଚ ମାର୍କ ଭାଲୁ୍ୟ(ବିଏମଭି) ଅନୁସାରେ ନୂଆ ଟିକସ ଧାର୍ଯ୍ୟ କରାଯାଇଛି । ସଂଶୋଧିତ ବେଂଚ ମାର୍କ ମୂଲ୍ୟ ଅନୁସାରେ ରାଜଧାନୀର ବିଭିନ୍ନ ଅଂଚଳର ଜମି ମୂଲ୍ୟ ଆକାଶଛୁଅାଁ ହୋଇଛି । ତେଣୁ ଏହା ଉପରେ ୧୭.୫ ଟିକସ ଲାଗୁ ହେଉଥିବାରୁ ଲୋକଙ୍କୁ ଟିକସ ବାଧୁଛି । ପୂର୍ବ ଟିକସ ତୁଳନାରେ ଏବେ ନୂଆ ଟିକସ ୧୨ ରୁ ୧୫ ଗୁଣା ବଢ଼ିଯାଇଛି ।