ହସ୍ପିଟାଲ ପାଇଁ ବାଗଚୀ ଦମ୍ପତି ଦେବେ ୩୪୦ କୋଟି

ହସ୍ପିଟାଲ ପାଇଁ ବାଗଚୀ ଦମ୍ପତି ଦେବେ ୩୪୦ କୋଟି

ହସ୍ପିଟାଲ ପାଇଁ  ବାଗଚୀ ଦମ୍ପତି ଦେବେ ୩୪୦ କୋଟି
କ୍ୟାନସର ହସପିଟାଲ ପାଇଁ ୨୧୦ କୋଟିର ସହାୟତା ଦେବେ ବାଗଚୀ ଦମ୍ପତି ପାଲିଏଟିଭ କେୟାର ହସପିଟାଲରେ ଖର୍ଚ୍ଚ ହେବ ୧୩୦ କୋଟି ଭୁବନେଶ୍ୱର : ଓଡ଼ିଶାରେ ସୁବ୍ରତ ବାଗଚି ଓ ସୁସ୍ମିତା ବାଗଚି ଦୁଇଟି ବଡ଼ ମେଡ଼ିକାଲ ପ୍ରତିଷ୍ଠା କରିବେ । ଏଥିପାଇଁ ବାଗଚୀ ଦମ୍ପତି ୩୪୦ କୋଟି ଟଙ୍କାର ସହାୟତା ପ୍ରଦାନ କରିବେ । ବାଗଚି-ଶ୍ରୀଶଙ୍କର ହସପିଟାଲ ଏବଂ ଗବେଷଣା କେନ୍ଦ୍ର ଏବଂ ବାଗଚି କରୁଣାଶ୍ରୟ ପାଲିଏଟିଭ କେୟାର ସେଂଟର ପ୍ରତିଷ୍ଠା ପାଇଁ ରାଜ୍ୟ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି । ଏହି ଦୁଇ ମେଡ଼ିକାଲ ପାଇଁ ରାଜ୍ୟ ସରକାର ମାଗଣାରେ ୨୦ ଏକର ଲେଖାଏଁ ଜମି ଯୋଗାଇଦେବେ । ଅପରପକ୍ଷରେ କ୍ୟାନସର ହସପିଟାଲରେ ୫୦% ରୋଗୀ ମାଗଣା ଓ ସରକାରୀ ସ୍ୱାସ୍ଥ୍ୟ ଯୋଜନା ଅଧିନରେ ଚିକିତ୍ସା ପାଇବାର ଥିବାବେଳେ ପାଲିଏଟିଭ କେୟାର ହସପିଟାଲରେ ସମ୍ପୂର୍ଣ୍ଣ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ଲାଗିଛି । ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ ରାଜ୍ୟ କ୍ୟାବିନେଟରେ ବାଗଚି-ଶ୍ରୀ ଶଙ୍କର କର୍କଟ ହସପିଟାଲ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠାନ ଓ ବାଗଚି କରୁଣାଶ୍ରୟ ପାଲିଏଟିଭ କେୟାର ସେଂଟର ପ୍ରତିଷ୍ଠା ଉପରେ ମୋହର ଲାଗିଛି । ଶ୍ରୀଶଙ୍କର କର୍କଟ ଚିକିତ୍ସା ଫାଉଣ୍ଡେସନ ଭୁବନେଶ୍ୱରରେ ଉକôର୍ଷ କ୍ୟାନସର ହସପିଟାଲ ପ୍ରତିଷ୍ଠା କରିବେ । ଉକ୍ତ କ୍ୟାନସର ହସପିଟାଲ ପାଇଁ ସୁବ୍ରତ ବାଗଚି ଓ ସୁସ୍ମିତା ବାଗଚି ୨୧୦ କୋଟି ଟଙ୍କାର ସହାୟତା ପ୍ରଦାନ କରିବେ । ଭୁବନେଶ୍ୱର ଇନଫୋସିଟି-୨ ନିକଟରେ ଏଥିପାଇଁ ରାଜ୍ୟ ସରକାର ମାଗଣାରେ ୨୦ ଏକର ଜମି ଯୋଗାଇଦେବେ । ୨୦୨୪ ସୁଦ୍ଧା ୨୫୦ ଶଯ୍ୟା ବିଶିଷ୍ଟ ହସପିଟାଲଟି କାର୍ଯ୍ୟକ୍ଷମ ହେବାର ଥିବାବେଳେ ପରବର୍ତୀ ସମୟରେ ତାହା ୫୦୦ ଶଯ୍ୟାକୁ ସମ୍ପ୍ରସାରିତ ହେବାର ଲକ୍ଷ୍ୟ ରହିଛି । ଏହି ହସପିଟାଲରେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ପାଇଁ ସ୍ୱତନ୍ତ୍ର ଭାବେ ୨୫% ଶଯ୍ୟାର ବ୍ୟବସ୍ଥା କରାଯିବ । ଅନ୍ୟ ୨୫% ଶଯ୍ୟା ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ ଯୋଜନା ଅଧିନରେ ସମର୍ଥିତ ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ରହିବ । ଅବଶିଷ୍ଟ ୫୦% ରୋଗୀ ସେବା ପାଇଁ ଦେୟ ଦେବାକୁ ପଡ଼ିବ । ଏହି ସଂଗୃହୀତ ଅର୍ଥ ଗରିବ ରୋଗୀଙ୍କ ସହାୟତା ଓ ଡାକ୍ତରଖାନାର ସମ୍ପ୍ରସାରଣ ନିମନ୍ତେ ବ୍ୟବହୃତ କରାଯିବ । ସେହିପରି ପ୍ରଥମ ଥର ପାଇଁ ରାଜ୍ୟରେ ପାଲିଏଟିଭ କେୟାର ହସପିଟାଲ ପ୍ରତିଷ୍ଠା କରାଯିବ । ବାଙ୍ଗାଲୋର ଭିତିକ କରୁଣାଶ୍ରୟ ହସପିସ ଟ୍ରଷ୍ଟ ଏହି ହସପିଟାଲ ପ୍ରତିଷ୍ଠା କରିବା ପାଇଁ ଆଗ୍ରହ ପ୍ରକାଶ କରିଥିବାବେଳେ ବାଗଚୀ ଦମ୍ପତି ଏଥିପାଇଁ ୧୩୦ କୋଟିର ସହାୟତା ପ୍ରଦାନ କରିବେ । ପ୍ରଥମେ ୧୦୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲ କାର୍ଯ୍ୟକ୍ଷମ ହେବାର ଥିବାବେଳେ ପରେ ଏହା ସମ୍ପ୍ରସାରିତ ହେବ । ଏଠାରେ ରୋଗୀଙ୍କୁ ଶତ ପ୍ରତିଶତ ମାଗଣାରେ ଚିକିତ୍ସା ପ୍ରଦାନ କରାଯିବ । ଏହି ମେଡ଼ିକାଲ ପାଇଁ ରାଜ୍ୟ ସରକାର ଇନଫୋଭାଲି ନିକଟରେ ମାଗଣାରେ ୨୦ ଏକର ଜାଗା ପ୍ରଦାନ କରିବେ ।