ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି
admin
Apr 12, 2021 - 11:29
Updated: Apr 12, 2021 - 11:29
ଭୁବନେଶ୍ୱର: ବିଜେଡି ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି । ସସ୍ମିତ ପାତ୍ର, ଲେନିନ ମହାନ୍ତି ଓ ସୁଜିତ କୁମାର ପ୍ରମୁଖ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି । ଗତକାଲି ପିପିଲି ଡେଲାଙ୍ଗରେ ସଂଗଠିତ ନିର୍ବାଚନୀ ହିଂସାକୁ ନେଇ ସେମାନେ ଭେଟିଛନ୍ତି । ବିଜେଡି କର୍ମୀ ଓ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ବିଜେପି କର୍ମୀ ଆକ୍ରମଣ କରିଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ଏହି ଅବସରରେ ବିଜେଡି ପକ୍ଷରୁ ଆକ୍ରମଣ ସମ୍ପର୍କିତ ସମସ୍ତ ଦସ୍ତାବିଜ ସିଇଓଙ୍କୁ ଦିଆଯାଇଛି ।
ପ୍ରକାଶ ଯେ, ନିର୍ବାଚନୀ ହିଂସା ପାଇଁ କୁଖ୍ୟାତ ଥିବା ପିପିଲି ନିର୍ବାଚନମଣ୍ଡଳୀରେ ଚଳିତ ଉପନିର୍ବାଚନରେ ମଧ୍ୟ ହିଂସାକାଣ୍ଡ ଘଟିବାରେ ଲାଗିଛି । ବିଗତ କିଛି ଦିନ ହେଲା ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ହିଂସାକାଣ୍ଡ ଘଟି ରକ୍ତପାତ ହୋଇଛି । ଗତକାଲି ବିଜେଡି କର୍ମୀଙ୍କ ମାଡରେ ୩ଜଣ ବିଜେପି କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଥିଲା । ଆହତଙ୍କୁ ଡେଲାଙ୍ଗ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଗୁରୁତର ଆହତଙ୍କୁ ଏମ୍ସ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଭୁବନେଶ୍ୱର ଏମ୍ସ ଯାଇ ବିଜେପି ସଭାପତି ସମୀର ମହାନ୍ତି ଗୁରୁତର ବିଜେପି କର୍ମୀଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଡେଲାଙ୍ଗ ଜେନାପୁରର ବାହ୍ମଣ ବାଡ଼ ଅଂଚଳରେ ବିଜେପି କର୍ମୀ ପ୍ରଚାର କରୁଥିବା ବେଳେ ଏହି ଗଣ୍ଡଗୋଳ ହୋଇଥିଲା । ଘଟଣା ପରେ ପଟନେକିଆ ରାସ୍ତାକୁ ହାଟଡେଲାଙ୍ଗ ଠାରେ ଅବରୋଧ କରି ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କରିଛି ବିଜେପି ।
ସେପଟେ ଗତକାଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ କିଛି ବିଜେପି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏଥିରେ ଗାଡିର କାଚ ଭାଙ୍ଗିବା ସହିତ କିଛି ବିଜେଡି କର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ଏବେ ଡେଲାଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପିପିଲିରେ ଭୋଟ୍ ପଡିବା ଆଗରୁ ଏହି ନିର୍ବାଚନୀ ହିଂସା କେଉଁ ଦିଗକୁ ଗତି କରୁଛି ତାହା ଉପରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।