ସୀମିତ ଖର୍ଚ୍ଚ ଆଉ ଉନ୍ନତ ଉତ୍ପାଦନର ପାଣ୍ଡୁଲିପି
ସୀମିତ ଖର୍ଚ୍ଚ ଆଉ ଉନ୍ନତ ଉତ୍ପାଦନର ପାଣ୍ଡୁଲିପି
admin
Aug 29, 2019 - 07:05
Updated: Aug 29, 2019 - 07:05
ଖଜୁରିପଡ଼ା (୨୯/୮) –ଜୀବନ ଜୀବିକାର ଏକ ମାଧ୍ୟମ କୃଷି । ସେଇପାଇଁ ପରା ଓଡ଼ିଶାର କୃଷି ମହାନ୍ । ରାସାୟନିକ ସାରର ପ୍ରଭାବରେ ଏବେ ଜମିରେ ନାନାଦି କ୍ଷତିକାରକ ପ୍ରଭାବ ଦେଖିବାକୁ ମିଳୁଛି । ରୋଗପୋକଙ୍କ ସଂଖ୍ୟା ବଢ଼ିବା ସହ ଏହା ମଣିଷର ସ୍ୱାସ୍ଥ୍ୟ ପକ୍ଷେ ବିଭିନ୍ନ କୁପ୍ରଭାବ ଆଣୁଛି । ରାସାୟନିକ ସାରର ବିକଳ୍ପ ଭାବେ ଜୈବିକ କୃଷିକୁ ଚାଷୀ ମାନେ ଏବେ ଗୁରୁତ୍ୱ ଦେଉଛନ୍ତି । ପାରଳାଖେମୁଣ୍ଡି ସ୍ଥିତ ସେଂଚୁରିଆନ କୃଷି ବିଶ୍ୱବିଦ୍ୟାଳୟର ଚତୁ୍ର୍ଥ ବର୍ଷର ଛାତ୍ର –ସତ୍ୟଜିତ ସାହୁ ପ୍ରମୁଖ କୃଷି ଭିତ୍ତିକ ଗ୍ରାମାଂଚଳ ଅଭିଜ୍ଞତା କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଗ୍ରାମରେ ଚାର୍ମ ଟ୍ରଷ୍ଟ ସମ୍ପର୍କରେ ଲୋକମାନଙ୍କୁ ଜିଆଖତ ଓ ଆଜୋଲାର ପ୍ରସ୍ତୁତି ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । ବର୍ତ୍ତମାନ ସାରା ଭାରତରେ ଜୈବିକ କୃଷିକୁ ବେଶୀ ଗୁରୁତ୍ୱ ଦିଆଯାଉଥିବା ସମୟରେ ଜିଆଖତ ଓ ଆଜୋଲା ଜୈବିକ କୃଷିର ଅମୋଘ ଅସ୍ତ୍ର ଭାବେ ଉଭା ହୋଇଛି । କମ୍ ଟଙ୍କା ଓ ସ୍ୱଳ୍ପ ସମୟ ଭିତରେ ରାସାୟନିକ ସାରକୁ ପରିତ୍ୟାଗ କରି କିପରି ଆମେ ଜିଆଖତ ଓ ଆଜୋଲା ପ୍ରସ୍ତୁତ କରି ଜମିରେ ବ୍ୟବହାର କରିପାରିବା , ସେ ବିଷୟରେ ପ୍ରଶିକ୍ଷକ ବୁଝାଇଥିଲେ । ୩ମାସର ବ୍ୟବଧାନରେ ଜିଆଖତ ଆମେ ପ୍ରସ୍ତୁତ କରି ଜମିରେ ବ୍ୟବହାର କରି ରୋଗପୋକ ଦାଉରୁ ରକ୍ଷା ପାଇବା ସହ ଅମଳ ପରିମାଣ ବଢେ଼ଇପାରିବା ବୋଲି ପ୍ରକାଶ କରିଥିଲେ । ଏହା ଛଡ଼ା ଜିଆଖତ ଓ ଆଜୋଲା କିପରି ଜମିର ପୋଷକ ତ୍ତ୍ୱକୁ ବୃଦ୍ଧି କରିବା ସହ ଏହାର ପ୍ରକୃତ ଉପକାରିତା ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ଆଜୋଲାକୁ ଧାନ ଫସଲରେ ପ୍ରୟୋଗ କରିବାର ଲାଭ ସହ ଏହାକୁ କିପରି ଗୋଖାଦ୍ୟ ଭାବେ ବ୍ୟବହାର କରାଯାଇପାରିବ , ସେ ବିଷୟରେ ପ୍ରଶିକ୍ଷକ ମାନେ ଉପସ୍ଥାପନା କରିଥିଲେ । ଏହା ଛଡ଼ା କୃଷି ପ୍ରଶିକ୍ଷକ ସତ୍ୟଜିତ ଚାଷୀମାନଙ୍କୁ ନେଇ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟ କରିଥିଲେ । ମାଟିର ଉତ୍ତମ ଗୁଣବତ୍ତା ବିଷୟରେ ଚାଷୀମାନଙ୍କୁ ଅବଗତ କରିଥିଲେ । ସୀମିତ ଖର୍ଚ୍ଚ ମାଧ୍ୟମରେ ଆମେ କିପରି ଜୈବିକ କୃଷିକୁ ସହଜରେ ଆପଣେଇପାରିବେ , ସେ ବିଷୟରେ ବିସ୍ତୃତରେ ଆଲୋଚନା କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଚାର୍ମ ଟ୍ରଷ୍ଟର ପଦ୍ମଚରଣ ଗୁରୁ ସହଯୋଗ କରିଥିଲେ ।