ସାଇକେଲରେ ଅଫିସ ଆସିବେ ସରକାରୀ ବାବୁ
ସାଇକେଲରେ ଅଫିସ ଆସିବେ ସରକାରୀ ବାବୁ
admin
Dec 12, 2019 - 03:12
Updated: Dec 12, 2019 - 03:12
ଭୁବନେଶ୍ବର - ପରିବେଶ ସୁରକ୍ଷା ଦିଗରେ ଉଦାହରଣ ସୃଷ୍ଟି କରିବାକୁ ଯାଉଛି ଭୁବନେଶ୍ବରରେ ଥିବା ତିନିଟି ସରକାରୀ ଅନୁଷ୍ଠାନ। ବାୟୁ ପ୍ରଦୂଷଣକୁ ନେଇ ସମସ୍ତେ ଚିନ୍ତିତ; କିନ୍ତୁ କହୁଥିବା କଥା କାମରେ କରି ଦେଖାଇବା ସମସ୍ତଙ୍କ ପକ୍ଷରେ ସମ୍ଭବ ହୋଇନଥାଏ। ତିନିଟି ଅନୁଷ୍ଠାନର ପରିଚାଳକ ଥିବା ପ୍ରେମଚନ୍ଦ୍ର ଚୌଧାରୀ ଏନେଇ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦେଶ ଜାରି କରିଛନ୍ତି। ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍ (ବିଏସ୍ସିଏଲ୍), ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଓ ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)ର ସମସ୍ତ କର୍ମଚାରୀ ଏଣିକି ସପ୍ତାହରେ ଗୋଟିଏ ଦିନ ସାଇକଲରେ କିମ୍ବା ଚାଲି ଚାଲି ଅଫିସ୍ ଆସିବା ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ ଏପରି ପ୍ରୟାସ ପ୍ରଥମ ବୋଲି କୁହାଯାଉଛି। ସମଗ୍ର ବିଶ୍ବ ଏବେ ବାୟୁ ପ୍ରଦୂଷଣକୁ ନେଇ ଘୋର ସଙ୍କଟ ମଧ୍ୟରେ ଗତି କରୁଛି।ବିଳାସପୂର୍ଣ୍ଣ ଜୀବନଶୈଳୀ ଯୋଗୁଁ ନିର୍ମଳ ପବନ ବଦଳରେ ବିଷ ବଳୟ ସୃଷ୍ଟି ହେଉଛି। ପ୍ରଦୂଷଣର ପ୍ରମୁଖ କାରଣ ସାଜିଥିବା ଅତ୍ୟଧିକ ଯାନବାହନ ଚଳାଚଳ ଉପରେ ନିୟନ୍ତ୍ରଣ ଆସିପାରୁ ନାହିଁ। ଭୁବନେଶ୍ବରରେ ସାର୍ବଜନୀନ ପରିବହନ ବ୍ୟବସ୍ଥା ଥିଲେ ମଧ୍ୟ ତାହା ରାସ୍ତାରେ ଗାଡ଼ି ସଂଖ୍ୟା କମାଇରେ ବିଶେଷ ସହାୟକ ହେଉନାହିଁ। ଏପରିସ୍ଥଳେ ରାଜଧାନୀର ତିନି ପ୍ରମୁଖ ସରକାରୀ ଅନୁଷ୍ଠାନର କର୍ମଚାରୀଙ୍କୁ ପ୍ରତି ଶୁକ୍ରବାର ସାଇକଲରେ କିମ୍ବା ଚାଲି ଚାଲି ଅଫିସ୍ ଆସିବା ଓ ଯିବା ପାଇଁ କୁହାଯାଇଛି। ଆସନ୍ତା ଶୁକ୍ରବାର ଠାରୁ ଏହି ନିୟମ କାର୍ୟ୍ୟକାରୀ ହେବ।