“ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ”କୁ ମୁଳମନ୍ତ୍ର କରି ରାଷ୍ଟ୍ରହିତ କାର୍ୟ୍ୟରେ ବିଜେପି ନିଜ କାର୍ୟ୍ୟଧାରାକୁ ଜାରି ରଖିଛି: ସମୀର ମହାନ୍ତି

“ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ”କୁ ମୁଳମନ୍ତ୍ର କରି ରାଷ୍ଟ୍ରହିତ କାର୍ୟ୍ୟରେ ବିଜେପି ନିଜ କାର୍ୟ୍ୟଧାରାକୁ ଜାରି ରଖିଛି: ସମୀର ମହାନ୍ତି

ଭୁବନେଶ୍ୱର : “ସେବା ହିଁ ସଂଗଠନ” କୁ ମୁଳମନ୍ତ୍ର କରି ବିଜେପିର ସମସ୍ତ କାର୍ୟ୍ୟକର୍ତା ନିରନ୍ତର କାର୍ୟ୍ୟ କରିଚାଲିଛନ୍ତି । “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ”କୁ ମୁଳମନ୍ତ୍ର କରି ରାଷ୍ଟ୍ରହିତ କାର୍ୟ୍ୟରେ ବିଜେପି ନିଜ କାର୍ୟ୍ୟଧାରାକୁ ଜାରି ରଖିଛି । ସଶକ୍ତ ଭାରତବର୍ଷ ଏବଂ ଆତ୍ମନିର୍ଭର ଭାରତ ଗଠନ କରିବା ପାଇଁ ଆମ ସମସ୍ତଙ୍କର ସାମୁହିକ ପ୍ରୟାସର ଆବଶ୍ୟକତା ରହିଛି । “ବସୁେଧୈବ କୁଟୁମ୍ବକମ୍‌” ହେଉଛି ଆମର ପରିଚୟ ଏବଂ ସ୍ୱତନ୍ତ୍ରତା । ସ୍ୱାଧୀନତା ପାଇଁ ତ୍ୟାଗ, ତପସ୍ୟା ଓ ବଳିଦାନ ଦେଇଥିବା ମହାମନିଷୀମାନଙ୍କ ସ୍ୱପ୍ନ ଆଜି ବାସ୍ତବ ହେବାରେ ଲାଗିଛି । ସ୍ୱାଧୀନତାର ୧୦୦ବର୍ଷ ପୂର୍ତି ଅବସରରେ ନିଶ୍ଚିତ ରୂପେ ଭାରତବର୍ଷ ବିଶ୍ୱରେ ଏକ ସର୍ବଶ୍ରେଷ୍ଠ ଦେଶ ଭାବେ ଉଭା ହୋଇସାରିଥିବ ବୋଲି ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି  କହିଛନ୍ତି ।

ରାଜ୍ୟ କାର୍ୟ୍ୟାଳୟଠାରେ ଅନୁଷ୍ଠିତ ସ୍ଥାପନା ଦିବସ ପାଳନ ଅବସରରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ କନକ ବର୍ଦ୍ଧନ ସିଂହଦେଓ ଦଳୀୟ ପତାକା ଉତୋଳନ କରିବା ସହିତ ପାର୍ଟିର ପ୍ରତିଷ୍ଠାତା ସଭାପତି ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ସାଧାରଣ ସଂପାଦକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଆଜି ଦୀର୍ଘ ୪୩ ବର୍ଷର ଯାତ୍ରା ପୂରଣ କରି ଭାରତୀୟ ଜନତା ପାର୍ଟି ୪୪ ତମ ପ୍ରତିଷ୍ଠା ଦିବସ ଦେଶବ୍ୟାପୀ ପାଳନ କରିଛି । କୋଟି କୋଟି କାର୍ୟ୍ୟକର୍ତା ଭାରତୀୟ ଜନତା ପାର୍ଟିର ବିଚାରକୁ ପ୍ରତିଷ୍ଠା କରିବା ପାଇଁ ଦୀର୍ଘ ଦିନ ଧରି ସମୟ, ତ୍ୟାଗ,ସମର୍ପଣ ଓ ବଳିଦାନ ଦେଇଛନ୍ତି । ସଂଗଠନକୁ ମଜଭୁତ୍ କରିଥିବା ଏବଂ ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ଭାବେ ଗଢି ତୋଳିଥିବା ସମସ୍ତ କାର୍ୟ୍ୟକର୍ତା ଚିର ସ୍ମରଣୀୟ ହୋଇ ରହିବା ସହ ଆମ ସମସ୍ତଙ୍କୁ ସର୍ବଦା ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ସମୀର ମହାନ୍ତି ।

ଓଡିଶାରେ ବିଜେପିକୁ ଯେଉଁ ଭଳି ଜନସମର୍ଥନ ମିଳୁଛି ତାହା ଅତ୍ୟନ୍ତ ଉତ୍ସାହଜନକ ଏବଂ ମୁଖ୍ୟ ବିରୋଧୀ ଦଳ ଭାବେ ରାଜ୍ୟବାସୀ ଯେଉଁ ଦାୟିତ୍ୱ ପ୍ରଦାନ କରିଛନ୍ତି, ତାକୁ ସୂଚାରୁ ରୂପେ ନିର୍ବାହ କରି ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ କାର୍ୟ୍ୟ କରିବାକୁ ଆମେ ସଂକଳ୍ପବଦ୍ଧ । କାର୍ୟ୍ୟକର୍ତାଙ୍କ କଠିନ ପରିଶ୍ରମ ଦ୍ୱାରା ଭାରତୀୟ ଜନତା ପାର୍ଟୀକୁ ଆଗାମୀ ଦିନରେ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ଦେବାକୁ ସଂକଳ୍ପ ନେବାକୁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି ।

ଏହି ଅବସରରେ ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର, ବିଧାୟକ ଲଲିଟେନ୍ଦୁ ବିଦ୍ୟାଧର ମହାପାତ୍ର, ବଳଭଦ୍ର ମାଝୀ, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ଯତିନ୍ ମହାନ୍ତି, ଧୀରେନ ସେନାପତି, ଠାକୁର ରଞ୍ଜିତ ଦାସ, ରମାରଞ୍ଜନ ବଳିୟାରସିଂହ, ରାଜେନ୍ଦ୍ର ପଣ୍ଡା, ମନୋଜ ମହାପାତ୍ର, ସୋନାଲୀ ସାହୁ, ବରିଷ୍ଠ ନେତା ସଜ୍ଜନ ଶର୍ମା, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ କର୍ଣ୍ଣେଲ ବି.କେ.ବସ୍ତିଆ, ରଶ୍ମିରଞ୍ଜନ କାନୁନଗୋ ସମେତ ଅନେକ କାର୍ୟ୍ୟକର୍ତା ଉପସ୍ଥିତ ଥିଲେ ।