ଶୈବପୀଠ

ଶୈବପୀଠ

ଶୈବପୀଠ
କୋଶଳେଶ୍ୱର: ସୁବର୍ଣ୍ଣପୁର ସହର ଉପକଣ୍ଡ ବୈଦନାଥ ଗ୍ରାମରେ ଅବସ୍ଥିତ କୋଶଳେଶ୍ୱର ମନ୍ଦିର ଏକ ପ୍ରାଚୀନ ଶୈବ ପୀଠ । ଶୈବପୀଠକୁ ଲାଗି ତେଲ ନଦୀ ପ୍ରବାହିତ ମନ୍ଦିରଟି ସପ୍ତମ କିମ୍ବା ଅଷ୍ଟମ ଶତାବ୍ଦୀରେ ନିର୍ମିତ ହୋଇଥିବା ଏହାର ନିର୍ମାଣ କୌଶଳ ଓ ଭାସ୍କର୍ଯ୍ୟ ଶିଳ୍ପରୁ ଐତିହାସିକମାନେ ଅନୁମାନ କରନ୍ତି ନାହିଁ । କେତେକ କାଳରୁ ମନ୍ଦିରରେ ମାତଙ୍ଗୀ ମହାଲକ୍ଷ୍ମୀ ମୂର୍ତ୍ତି ପୂଜା ପାଉଛନ୍ତି । ଦେବୀ ମାତଙ୍ଗୀ ଏକଦା ଗୃହଲକ୍ଷ୍ମୀ ଭାବେ ସୋମବଂଶୀ ରାଜା ପରିବାରରେ ପୂଜା ପାଉଥିବାର ପ୍ରମାଳ ମିଳେ । ଏଣୁ ମନ୍ଦିରଟି ସେହି ସମୟରେ ସୋମବଂଶୀ ରାଜା ମହାଭବଗୁପ୍ତଦେବଙ୍କ ଦ୍ୱାରା ନିର୍ମିତ ହୋଇଥିବା ଅନୁମାନ । ମନ୍ଦିର ପରିସରରେ ଅନନ୍ତ ଶୟନ ମୂର୍ତ୍ତି ସୁଶୋଭିତ । ଛତିଶଗଡ଼ର ରାଜୀମ୍ସ୍ଥିତ ରାଜୀବଲୋଚନ ମନ୍ଦିରର ଭାସ୍କର୍ଯ୍ୟ ଶିଳ୍ପ ସହ କୋଶଳେଶ୍ୱର ମନ୍ଦିରର କାରୁକାର୍ଯ୍ୟରେ ଅନେକ ସାମଞ୍ଜସ୍ୟ ପରିଲକ୍ଷିତ ହୁଏ । ମନ୍ଦିରର କେତକେ ସ୍ଥାନରେ ବୌଦ୍ଧ ସଂସ୍କୃତିର ଝଲକ ଦେଖିବାକୁ ମିଳେ । ମୁଖଶାଳାରେ ନାଗକନ୍ୟା, ପରୀକନ୍ୟା, ଗଣେଶ, କାର୍ତ୍ତିକେୟ, ଅଳସକନ୍ୟା, ଦଶମୁଣ୍ଡା, ମହାକାଳୀ ଆଦି ମୂର୍ତ୍ତି ଖୋଦିତ । ମହାଶିବରାତ୍ରି, ଶୀତଳଷଷ୍ଠୀ, କୁମାର ପୂର୍ଣ୍ଣିମା ଏବଂ ଦୀପାବଳି ମନ୍ଦିରରେ ମୁଖ୍ୟ ପର୍ବ । କୋଶଳେଶ୍ୱରଙ୍କୁ ଶ୍ରାବଣରେ ଜଳାଭିଷେକ କଲେ ଭକ୍ତର ମନୋବାଞ୍ଛା ପୂର୍ଣ୍ଣ ହେଉଥିବା ବିଶ୍ୱାସ ।