ଶିଳ୍ପର ବିକାଶ ପାଇଁ ୧୪୧୧.୫୮ କୋଟିର ପୁଞ୍ଜିନିବେଶ
ଶିଳ୍ପର ବିକାଶ ପାଇଁ ୧୪୧୧.୫୮ କୋଟିର ପୁଞ୍ଜିନିବେଶ
ଭୁବନେଶ୍ବର: ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତି ସୁଯୋଗର ଅଭିବୃଦ୍ଧି କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ସ୍ବରୂପ ଶୁକ୍ରବାର ରାଜ୍ୟ ସରକାର ୧୪୧୧.୫୮ କୋଟି ଟଙ୍କାର ନୂଆ ପୁଞ୍ଜି ନିବେଶ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ୍ ଅଥରିଟି ବୈଠକରେ ନୀତିଗତ ଅନୁମୋଦନ ଦେଇଛନ୍ତି ।
ମୁଖ୍ୟ ଶାସନ ସୁରେଶ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତାରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସହାୟତାରେ ଏହି ପ୍ରକଳ୍ପ ଗୁଡ଼ିକୁ ଅନୁମୋଦନ ଦିଆଯାଇଛି ।ଏହିସବୁ ପ୍ରକଳ୍ପରେ ୨୮୪୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଚି ହେବ । ମଞ୍ଜୁରୀ ପାଇଥିବା ଶିଳ୍ପ ମଧ୍ୟରେ ରହିଛି ଖାଦ୍ୟ ପ୍ରକ୍ରିୟାକରଣ, ସାର, ଇସ୍ପାତ ଡାଉନ ଷ୍ଟ୍ରିମ୍ ପ୍ରକଳ୍ପ । ଏହିସବୁ ପ୍ରକଳ୍ପ କିପରି ଖୁବଶୀଘ୍ର ଆରମ୍ଭ ହୋଇପାରିବ ସେଥିପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । କାର୍ୟ୍ୟକ୍ରମରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇପିକଲ ଏମଡି ଭୁପିନ୍ଦର ସିଂ ପୁନିଆ ମଞ୍ଜୁରି ପାଇଥିବା ଶିଳ୍ପ ବାବଦରେ ତଥ୍ୟ ଉପସ୍ଥାପନ କରିଛନ୍ତି ।ଗଞ୍ଜାମ ଗୋପାଳପୁର ଏସଇଜେଡରେ ସମୁଦ୍ର ପାଣିରୁ ମଧୁର ଜଳ ପ୍ରସ୍ତୁତ ପାଇଁ ୧୦୭ କୋଟି ଟଙ୍କା ନିବେଶ କରିବ ଟାଟା । ବର୍ଷକୁ ୫ ହଜାର ୪୭୫ ନିୟୁତ ଲିଟର ମଧୁର ଜଳ ଉତ୍ପାଦନ ହେବ । ସେହିପରି କୋଣାର୍କରେ ସି-ସ୍କୋପ୍ କମ୍ପାନୀ ୧୦୦ କୋଟି ଟଙ୍କା ଖର୍ଚ୍ଚ କରି ହୋଟେଲ ନିର୍ମାଣ କରିବ । ବାରଙ୍ଗରେ ଡ୍ରେନେଜ୍ ଏବଂ ସ୍ୱେଜ ବ୍ୟବସ୍ଥାରେ ବ୍ୟବହୃତ ହେଉଥିବା ଉପକରଣ ପାଇଁ କାରଖାନା ନିର୍ମାଣ ହେବ । ଓଡ଼ିଶା କଂକ୍ରିଟ ପ୍ରା.ଲି ଏଥିରେ ୫୪.୪୨ କୋଟି ଟଙ୍କା ନିବେଶ କରିବାକୁ ଥିବାବେଳେ ୧୦୬ ଜଣଙ୍କୁ ନିଯୁକ୍ତି ମିଳିବ । ବାରିପଦାରେ ୫୫ କୋଟି ଟଙ୍କାର ଖର୍ଚ୍ଚରେ ଅତ୍ୟାଧିୁନିକ ଟେକନୋମେକ କାରଖାନା ସମ୍ପ୍ରସାରିତ ହେବ । ଏଥିରେ ୫୬୮ ଜଣଙ୍କୁ ନିଯୁକ୍ତି ମିଳିବ ।ସେହିପରି ଅନୁଗୁଳ, ବରଗଡ଼, ଯାଜପୁର, ଝାରସୁଗୁଡ଼ା ଏବଂ ସମ୍ବଲପୁରରେ ୩୧୯ କୋଟି ଟଙ୍କା ବ୍ୟୟରେ ବାୟୋ ଗ୍ୟାସ କାରଖାନା ହେବ । ଏଥିରେ ୧୨୫୦ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହାସହ କଳାହାଣ୍ଡିର ଜୁନାଗଡ଼ରେ ୨୩୫ କୋଟି ଟଙ୍କା ଖର୍ଚ୍ଚରେ ଇଥାନଲ ଉତ୍ପାଦନ ହେବ । ଏଥିରେ ନିଯୁକ୍ତି ପାଇବେ ୨୦୦ ଜଣ । ପାରାଦୀପ ଇଫକୋରେ ବର୍ଷକୁ ୩୩ ହଜାର କିଲୋ ଲିଟର କ୍ଷମତା ବିଶିଷ୍ଟ ନୂଆ ୟୁରିଆ ୟୁନିଟ ତିଆରି ହେବ । ଯେଉଁଥିରେ ୨୦୦ ଲୋକ କାମ ପାଇବ ।କାର୍ୟ୍ୟକ୍ରମରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା, ପରିବହନ ବିଭାଗର ଅତିରିକ୍ତ ଶାସନ ସଚିବ ମଧୁସୂଦନ ପାଢ଼ୀ, ଜଳସମ୍ପଦ ବିଭାଗର ସଚିବ ଅନୁ ଗର୍ଗ, ଖଣି ସଚିବ ସୁରେନ୍ଦ୍ର କୁମାର ପ୍ରମୁଖ ଉପସ୍ଥିତ ଥିଲେ ।




admin 