ମାଟ୍ରିକ୍ ପରୀକ୍ଷା, ଏପ୍ରିଲ୍ ୩ରୁ ମୂଲ୍ୟାୟନ
କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ମାସ ୧୦ତାରିଖରୁ ଆରମ୍ଭ ହୋଇଥିବା ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ୍), ମଧ୍ୟମା(ସଂସ୍କୃତ ଟୋଲ୍)ର ଦ୍ବିତୀୟ ସମ୍ମେଟିଭ୍ ଆସେସ୍ମେଣ୍ଟ(ଏସ୍ଏ-୨) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍(ଓପନ୍ ସ୍କୁଲ) ସୋମବାର ଶେଷ ହୋଇଛି।ସୋମବାର ଦିନ ଗଣିତ ବିଷୟ ପରୀକ୍ଷା ହୋଇଥିଲା।
ଗଣିତ ପରୀକ୍ଷାରେ ୩୦ ଜଣ ମାଲ୍ପ୍ରାକ୍ଟିସ୍ ହୋଇଥିବା ବେଳେ ଆଜି ମାଟ୍ରିକ୍ ପରୀକ୍ଷାରେ ୧୬ହଜାରରୁ ଅଧିକ, ମଧ୍ୟମା ଓ ଓପନ୍ ସ୍କୁଲରେ ୫ଶହରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି। ଗଣିତ ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇଥିବା ବେଳେ ପିଲାଙ୍କୁ ଅବ୍ଜେକ୍ଟିଭ୍ ବିଭାଗରେ ଅତିରିକ୍ତ ୧୫ ମିନିଟ୍ ସମୟ ମିଳିଥିଲା। ଅର୍ଥାତ୍ ଗଣିତ ପରୀକ୍ଷା ୧୨ଟା ୧୫ମିନିଟ୍ରେ ଶେଷ ହୋଇଥିଲା। କିନ୍ତୁ, ଗଣିତ ପ୍ରଶ୍ନପତ୍ରରେ ମଧ୍ୟ ତ୍ରୁଟି ରହିଥିବା ଜଣାପଡ଼ିଛି।
ଗଣିତ ଅବ୍ଜେକ୍ଟିଭ୍ ପ୍ରଶ୍ନପତ୍ରର ୪୪ ନମ୍ବର ପ୍ରଶ୍ନରେ ଦିଆଯାଇଥିବା ୪ଟି ବିକଳ୍ପ ଉତ୍ତର ମଧ୍ୟରୁ କେଉଁ ଗୋଟିଏ ଠିକ୍ ଉତ୍ତର ନୁହେଁ। ଏହାର ଠିକ୍ ଉତ୍ତର ୮୮୦ ଟଙ୍କା ହୋଇଥିବା ବେଳେ ଏହି ଉତ୍ତରଟି କିନ୍ତୁ ଏ, ବି, ସି, ଡି ଅପ୍ସନ୍ରେ ନଥିଲା। ଏନେଇ ବହୁ ପରୀକ୍ଷାର୍ଥୀ ଦ୍ବନ୍ଦ୍ବରେ ପଡ଼ିଥିଲେ। କିଛି ଭଲପଲା ଏହି ପ୍ରଶ୍ନଟିକୁ ଛାଡ଼ିଦେଇଥିବା ସୂଚନା ମିଳିଛି।
ସେହିପରି ଅବ୍ଜେକ୍ଟିଭ୍ ପ୍ରଶ୍ନପତ୍ରର ୧୨ନଂ ପ୍ରଶ୍ନରେ ଓଡ଼ିଆ ଉତ୍ତର ଓ ଏହାର ଇଂରାଜୀ ଅନୁବାଦ ମଧ୍ୟରେ ଫରକ୍ ଥିବା ସୂଚନା ମିଳିଛି। ଏହି କ୍ଷେତ୍ରରେ ପିଲାଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେବାକୁ ଅଭିଭାବକ ମହଲରେ ଦାବି ହେଉଛି।




admin 