ଭଜନ ସମ୍ରାଟ ଭିକାରୀ ବଳଙ୍କ ୯୧ତମ ଜୟନ୍ତୀ ।
ଭଜନ ସମ୍ରାଟ ଭିକାରୀ ବଳଙ୍କ ୯୧ତମ ଜୟନ୍ତୀ ।
admin
May 25, 2020 - 05:58
Updated: May 25, 2020 - 05:58
ଓଡିଆ ସଂଗୀତ ଜଗତରେ ଭିକାରୀ ବଳ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ । ସେଇ ଭଜନ ସମ୍ରାଟ ଭିକାରୀ ବଳଙ୍କ ଆଜି ୯୨ ତମ ଜୟନ୍ତୀ । ଏହି ମହାନ ପ୍ରତିଭା ୧୯୨୯ ମସିହା ମେ ମାସ ୨୫ ତାରିଖରେ କେନ୍ଦ୍ରାପଡା ଜିଲ୍ଲାର ସୋବଳ ଗ୍ରାମରେ ଏକ ମଧ୍ୟବିତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାଆଙ୍କ ସବୁ ସନ୍ତାନ ଜନ୍ମ ପରେ ମରିଯାଉଥିଲେ, ତେଣୁ କେବଳ ଭିକାରି ହିଁ ଜୀଇଁ ରହିଥିବାରୁ ଭଗବାନଙ୍କ କୃପା ଭାବି ତାଙ୍କ ନାମ 'ଭିକାରି' ରଖାଯାଇଥିଲା । ଓଡ଼ିଆ ଭଜନ, ଜଣାଣ ପରିବେଷଣ ମାଧ୍ୟମରେ ଏ ମାଟିକୁ ଧନ୍ୟ କରିଥିଲେ। ଭିକାରୀ ବଳଙ୍କ ଶୈଶବ ଖୁବ୍ ଦୁଃଖ କଷ୍ଟରେ ବିତିଥିଲା। ପିଲାଦିନେ ନିଜ ଜମିରେ ହଳ କରିବା, ବିଲ ବାଛିବାଠାରୁ ଆରମ୍ଭ କରି ବିଭିନ୍ନ କୃଷିକର୍ମରେ ବ୍ୟସ୍ତ ରହିଥିଲେ ବି ତାହାରି ଭିତରେ ସେ ସଂଗୀତକୁ ଭୁଲିପାରି ନ ଥିଲେ।
ସେ ଆକାଶବାଣୀରେ ଜଣେ ଏ-ଶ୍ରେଣୀର ଗାୟକ ଭାବରେ ୧୯୬୩ରେ କାମ ଆରମ୍ଭ କଲେ ।" ପ୍ରାଣ ମିତଣି ବାରେ ଚାହାଁରେ "ଗୀତ ପାଇଁ ସେ ସେଠାରେ ଅନେକ ଲୋକପ୍ରିୟତା ଅର୍ଜନ କରିଥିଲେ । ହେଲେ ତାହାଙ୍କ ଜନପ୍ରିୟତା ଷାଠିଏ ପଉଟି ଭୋଗରୁ ତୁମର, କୋଠ ଭୋଗଖିଆ ମୋ ଚକାଆଖିଆ, ହାତରେ ମୋ ମୁଠା ମୁଠା, ମୁଁ ତା ବଡ଼ ଦେଉଳର ପାରାରେ, ଜଗନ୍ନାଥ କଲେ ଯାହାଟ୍ଟ ଆଦି ଅସଂଖ୍ୟ ଭଜନ ଜଣାଣ ମାଧ୍ୟମରେ ଭିକାରୀ ବଳ ଓଡ଼ିଆଙ୍କ ହୃଦୟରେ ଭକ୍ତିରସର ଧାରାକୁ ପ୍ଲାବିତ କରାଇ ଗଣ ହୃଦୟକୁ ଜୟ କରିଥିଲେ। ତାଙ୍କର ଜଗନ୍ନାଥ ଭଜନ ଓ ଗୀତ ଗୋବିନ୍ଦର ପଦ ଆବୃତି ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ସେ ଅନେକ ଚମ୍ପୁ, ଛାନ୍ଦ ଓ ଲୋକଗୀତ ମଧ୍ୟ ଗାଇଥିଲେ । ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଥିଲେ ।
ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ତାଙ୍କୁ "ଭଜନ ସମ୍ରାଟ" ଉପାଧିରେ ଭୂଷିତ କରିଥିଲେ ଓ ଜଗନ୍ନାଥ ମନ୍ଦିରରେ ସେବା ପାଇଁ ଅନୁମତି ଓ ଅନେକ ସୁବିଧା ସୁଯୋଗ ଖଞ୍ଜି ଦେଇଥିଲେ । ସଂଗୀତ ଜଗତରେ ତାଙ୍କର ଏକାଗ୍ରତା, ଗଭୀର ନିଷ୍ଠା ଓ ଜୀବନବ୍ୟାପୀ ନିରବଚ୍ଛିନ୍ନ ସାଧନା ତାଙ୍କୁ ଜୀବନରେ ଅପାର ସିଦ୍ଧି ଆଣି ଦେଇଥିଲା। ସେ ଥିଲେ ଖୁବ୍ ବନ୍ଧୁବତ୍ସଳ, ସ୍ନେହୀ, ସ୍ବାଭିମାନୀ ଓ ନିରାଡ଼ମ୍ବର ବ୍ୟକ୍ତିତ୍ବ। ତାଙ୍କର ସଂଗୀତମୟ ଜୀବନକୁ ସେ ସମ୍ପୂର୍ଣ୍ଣ ଭାବେ ଜଗନ୍ନାଥଙ୍କ ନିକଟରେ ସମର୍ପଣ କରିଦେଇଥିଲେ। ଜୀବନର ଶେଷ ପର୍ୟ୍ୟନ୍ତ ସେ ଯେଉଁ ଦୁଇଟି ଶବ୍ଦ ଉଚ୍ଚାରଣ କରୁଥିଲେ ତାହା ଥିଲା – ‘ଜୟ ଜଗନ୍ନାଥ’। ସେ ପାର୍କିନ୍ସନ୍ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇଥିଲେ । ନଭେମ୍ବର ୨, ୨୦୧୦ରେ ତାଙ୍କର ପରଲୋକ ହୋଇଥିଲା ।
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କଥା ସମ୍ରାଟ ଫକିରମୋହନଙ୍କ ପରି ଭଜନ ସମ୍ରାଟ ଭିକାରୀ ବଳ ଓଡ଼ିଆ ଜାତିର ଚିର ନମସ୍ୟ। ଆଜି ଏହି ପ୍ରଣମ୍ୟ ପୁରୁଷଙ୍କର ୯୧ତମ ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି ।