ବିଦେଶୀ ପାଣ୍ଠି ପାଇଁ ଏନଜିଓ ଦେବେ ‘ଆଧାର’

ବିଦେଶୀ ପାଣ୍ଠି ପାଇଁ ଏନଜିଓ ଦେବେ ‘ଆଧାର’

ବିଦେଶୀ ପାଣ୍ଠି ପାଇଁ ଏନଜିଓ ଦେବେ ‘ଆଧାର’
ନୂଆଦିଲ୍ଲୀ: ବିଦେଶୀ ପାଣ୍ଠି ପାଇବା ପାଇଁ ବେସରକାରୀ ସଂଗଠନ (ଏନଜିଓ) ରେ ହେରଫେର କରିବା ଆଉ ସେତେଟା ସହଜ ହେବ ନାହିଁ । ଏନଜିଓ ଗୁଡ଼ିକୁ ବିଦେଶୀ ପାଣ୍ଠି ପାଇବାକୁ ହେଲେ ସେମାନଙ୍କ ପରିଚାଳନା କର୍ତ୍ତୃପକ୍ଷଙ୍କୁ ‘ଆଧାର’ ନମ୍ବର ଦେବାକୁ ହେବ । ଏନଜିଓ ପରିଚାଳନା କରୁଥିବା ସବୁ ପଦାଧିକାରୀମାନଙ୍କୁ ସେମାନଙ୍କ ଆଧାର ଦେବାକୁ ହେବ । ସରକାର ଏଥିପାଇଁ ବିଦେଶୀ ଯୋଗଦାନ (ନିୟନ୍ତ୍ରଣ) ଆଇନ ୨୦୧୦ରେ ସଂଶୋଧନ ଆଣିବା ଲାଗି ଲୋକସଭାରେ ବିଲ ଆଗତ କରିଥିଲେ । ବିଦେଶୀ ଯୋଗଦାନ (ନିୟନ୍ତ୍ରଣ) ସଂଶୋଧନ ବିଲ-୨୦୨୦ ମଧ୍ୟ ନିମ୍ନ ସଦନରେ ଗୃହୀତ ହୋଇଛି । ଏଥିସହିତ ଏହି ବିଲରେ ଅନ୍ୟ କେତେକ ବ୍ୟବସ୍ଥା ମଧ୍ୟ ରହିଛି । ଏଥିସହିତ ସଂସ୍ଥାକୁ ମିଳିଥିବା ବିଦେଶୀ ପାଣ୍ଟିରୁ ୨୦ ପ୍ରତିଶତରୁ ଅଧିକ କୌଣସି ଅର୍ଥ କୌଣସି ପରିସ୍ଥିତିରେ ପ୍ରଶାସନିକ ଖର୍ଚ୍ଚ କାର୍ଯ୍ୟରେ ଲଗାଯାଇପାରିବ ନାହିଁ । ଏବେ ଏନଜିଓଗୁଡ଼ିକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥକୁ ପ୍ରଶାସନିକ ଖର୍ଚ୍ଚରେ ଲଗାଇ ପାରୁଛନ୍ତି । ସେହିଭଳି ଏହି ବିଲ ସଂଶୋଧନ ହେଲେ କୌଣସି ସରକାରୀ ଚାକିରିଆ ବିଦେଶୀ ପାଣ୍ଠି ଗ୍ରହଣ କରିପାରିବେ ନାହିଁ । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଉକ୍ତ ବିଲକୁ ଆଗତ କରିଛନ୍ତି । ବିଲ୍ ଉପରେ ଅନୁଷ୍ଠିତ ବିତର୍କର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଏହି ବିଲ କୌଣସି ଏନଜିଓ ବିରୋଧରେ ନୁହେଁ । ସେହିଭଳି ଏହା କୌଣସି ଧର୍ମ ବିରୋଧରେ ମଧ୍ୟ ନୁହେଁ । ଏହା ବିଦେଶୀ ପାଣ୍ଠିକୁ ମଧ୍ୟ ରୋକିବ ନାହିଁ ।