ବାହାରେ ମଳତ୍ୟାଗ କଲେ ୨୦୦, ପରିସ୍ରା ପାଇଁ ୧୫୦

ବାହାରେ ମଳତ୍ୟାଗ କଲେ ୨୦୦, ପରିସ୍ରା ପାଇଁ ୧୫୦

ବାହାରେ ମଳତ୍ୟାଗ କଲେ ୨୦୦, ପରିସ୍ରା ପାଇଁ ୧୫୦
ଭୁବନେଶ୍ୱର: ସ୍ୱଚ୍ଛତାକୁ ନେଇ ପୁଣି ଥରେ ପ୍ରହସନ ଆରମ୍ଭ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ବର୍ଷେ ତଳେ ବାହାରେ ମଳତ୍ୟାଗ ଓ ପରିସ୍ରା କଲେ ୫୦ ଟଙ୍କା ଜରିମାନା ଆଦାୟ କରିବା ପାଇଁ ଘୋଷଣା କରିଥିଲା । ହେଲେ ତାହା ଆଜି ଯାଏଁ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଏବେ ପୁଣି ଏହି ଜରିମାନା ରାଶିକୁ ୪ ଗୁଣ କରି ସେହି ନିୟମକୁ କରିବାକୁ ଘୋଷଣା କରିଛି । ଏଥର ବାହାରେ ମଳତ୍ୟାଗ କଲେ ୨ ଶହ ଓ ପରିସ୍ରା କଲେ ୧୫୦ ଟଙ୍କା ଜରିମାନା ଆଦାୟ କରିବ ବୋଲି ଘୋଷଣା କରିଛି । ଆସନ୍ତାକାଲିଠାରୁ ଏହି ଜରିମାନା ଆଦାୟ କଡ଼ାକଡ଼ି ହେବ ବୋଲି ଆଜି ଏକ ବିଜ୍ଞପ୍ତି ଜରିଆରେ ବିଏମ୍ସି ସ୍ପଷ୍ଟ କରିଛି । କଠିନ ବର୍ଜ୍ୟବସ୍ତୁ ପରିଚାଳନା ବାଇ ଲ’-୨୦୧୮ ମୁତାବକ ଏହି ଜରିମାନା ଆଦାୟ ହେବ ବୋଲି କୁହାଯାଇଛି । ଖୁବ ଶୀଘ୍ର ଭୁବନେଶ୍ୱରରେ ‘ସ୍ୱଚ୍ଛ ସର୍ବେକ୍ଷଣ’ ଆରମ୍ଭ ହେବାକୁ ଯାଉଛି । ଏଣୁ ବାହ୍ୟ ମଳମୁକ୍ତ ଅଞ୍ଚଳ ଘୋଷଣା ହେଲେ ବା ସ୍ୱଚ୍ଛତାର ଆଗରେ ରହିଲେ ଦିଲ୍ଲୀରେ ପ୍ରଶଂସା ଅଞ୍ଚଳ ଘୋଷଣା ହେବା ସହ ଜରିମାନା ଆଦାୟ ଯୋଜନା ହୋଇଛି ବୋଲି କୁହାଯାଉଛି । ସେଥିପାଇଁ ଦୀର୍ଘ ଏକ ବର୍ଷ କାଳ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ହଠାତ ଜରିମାନା ଆଦାୟ ନେଇ ଘୋଷଣା କରାଯାଇଛି ବୋଲି ଚର୍ଚ୍ଚା ହେଉଛି । ସୂଚନା ମୁତାବକ, ଭୁବନେଶ୍ୱରରେ ୧୯୩ଟି କମୁ୍ୟନିଟି, ଇ-ଟଏଲଟ ଓ ପବ୍ଲିକ ଟଏଲେଟ୍ ରହିଛି । ଏଥିରେ ୫୦ ହଜାରରୁ ଏକ ଲକ୍ଷ୍ୟ ହିତାଧିକାରୀ ଉପକୃତ ହେଉଛନ୍ତି । ଅନେକ ଜାଗାରେ ଟଏଲେଟ୍ ଥାଇ ମଧ୍ୟ ଲୋକଙ୍କ ଅଭ୍ୟାସ ବଦଳୁ ନାହିଁ । ବାହାରେ ମଳତ୍ୟାଗ କରୁଛନ୍ତି । ଅନେକ ଜାଗାରେ ଲୋକସଂଖ୍ୟା ଅନୁପାତରେ ଟଏଲେଟ୍ ବି ନାହିଁ । ସେହିଭଳି ସହର ବାସିନ୍ଦା ଓ ପ୍ରତ୍ୟେକ ଦିନ ସହରକୁ ଆସୁଥିବା ହଜାର ହଜାର ଲୋକଙ୍କ ଅନୁପାତରେ ପରିସ୍ରାଗାର ନାହିଁ । ଫଳରେ ପ୍ରତ୍ୟେକ ଦିନ ଲୋକମାନେ ବାହାରେ ପରିସ୍ରା କରିବା ଏକ ସାଧାରଣ କଥା ହୋଇଛି । ଏବେ ଏହି ଜରିମାନା ଆଦାୟ ବଳରେ କେତେ ସ୍ୱଚ୍ଛତା ମିଳୁଛି ବା ଲୋକମାନଙ୍କ ପାଇଁ କ’ଣ ସମସ୍ୟା ସୃଷ୍ଟି କରୁଛି, ତାହା ଦେଖିବା ବାକି ରହିଲା ।