ବଦଳିପାରେ ଖରାଛୁଟି ତାରିଖ!

ବଦଳିପାରେ ଖରାଛୁଟି ତାରିଖ!

ବଦଳିପାରେ ଖରାଛୁଟି ତାରିଖ!

ଭୁବନେଶ୍ୱର : ପୂର୍ବ ଘୋଷଣା ବଦଳି ପାରେ। ଖରାଛୁଟି ଆଗୁଆ ହୋଇପାରେ। ବିଭିନ୍ନ ବର୍ଗରୁ ସମାଲୋଚନା ପରେ ଗଣଶିକ୍ଷା ବିଭାଗ ଏମିତି ବିଚାର କରୁଛି। ସୂଚନା ଅନୁଯାୟୀ ଚଳିତ ବର୍ଷ ଖରା ଛୁଟି ହ୍ରାସ କରାଯାଇଛି । ପୂର୍ବଭଳି ଦେଢ଼ ମାସ ବଦଳରେ ଚଳିତ ବର୍ଷ ପାଇଁ ପନ୍ଦର ଦିନ ମଧ୍ୟରେ ଖରାଛୁଟି ସୀମିତ ରହିଛି । କରୋନା ଯୋଗୁଁ ଗତ ଦୁଇବର୍ଷ ଧରି ପିଲାମାନେ ଭଲରେ ପାଠ ପଢ଼ିନଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି । ତେବେ ରାଜ୍ୟ ସରକାରଙ୍କ ନିଷ୍ପତିକୁ ଅଭିଭାବକ ଓ ଶିକ୍ଷକମାନେ ବିରୋଧ କରିବା ଆରମ୍ଭ କରିଛନ୍ତି  । ଫଳରେ ଖରାଛୁଟି ତାରିଖ ବଦଳିପାରେ ବୋଲି ଚର୍ଚ୍ଚା ହେଉଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ତର୍ଜମା ଚାଲିଥିବା ଜାଣିବାକୁ ମିଳିଛି ।

ରାଜ୍ୟ ସରକାର ସ୍କୁଲ ଓ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଜୁନ ୬ରୁ ଜୁନ ୧୬ ପର୍ୟ୍ୟନ୍ତ ଖରାଛୁଟି ଘୋଷଣା କରିଛନ୍ତି  । ସେହିପରି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜୁନ ୧ରୁ ଜୁନ ୧୬ ପର୍ୟ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ତେବେ ମେ’ ମାସରେ ପ୍ରବଳ ଖରା  । ଚଳିତ ବର୍ଷ ବି ପାରଦ ରେକଡର଼ର ଭାଙ୍ଗିବାରେ ଲାଗିଛି । ଯଦି ଏହା ଖରା ଛୁଟି ତାହେଲେ ଜୁନରେ ଛୁଟି କାହିଁକି ବୋଲି କେତେକ ଶିକ୍ଷକ ଓ ଅଭିଭାବକମାନେ ପ୍ରଶ୍ନ କରିଛନ୍ତି । ଏବେ ସକାଳୁଆ ସ୍କୁଲ ଚାଲିଥିବାବେଳେ ସ୍କୁଲ ୧୧ଟାରେ ଛୁଟି ହେଉଛି । ଘରେ ପହଁଚିବା ବେଳକୁ ୧୨ଟା ବାଜିଯାଉଛି  । ଏବେ ଖରା ଜୋର ହେଉଥିବାରୁ ଯଦି ସରକାର ଛୁଟି କରିବା କଥା ମେ’ରେ ହିଁ କରନ୍ତୁ  । ଜୁନରେ ସ୍କୁଲ ଖୋଲା ରହିଲେ ଚଳିବ ବୋଲି ଶିକ୍ଷକ ସଂଘ ନେତାମାନେ ମତପ୍ରକାଶ କରନ୍ତି  । ଫଳରେ ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖରାଛୁଟି ନେଇ ତର୍ଜମା ଚାଲିଛି  । ତେଣୁ ଖରାଛୁଟି ତାରିଖ ବଦଳିପାରେ ବୋଲି ଆଶା କରାଯାଉଛି  ।

ଏକ ସୂତ୍ର ଅନୁଯାୟୀ, ମେ’ରୁ ଖରାଛୁଟି ଆରମ୍ଭ ହେବ । ହୁଏତ ମେ’ ୧୫ରୁ ଛୁଟି ଆରମ୍ଭ ହୋଇପାରେ । ଯଦି ଖରାଛୁଟି କାଂଟଛାଂଟ ପାଇଁ ସରକାର ଚାହିଁବେ ତେବେ ଜୁନରେ କିଛିଦିନ ସ୍କୁଲ ଖୋଲା ରହିବା ସହ ରଜ ପାଇଁ ଛୁଟି ଦିଆଯିବ  । ଏମିତିକି ଦୁଇ ଦଫାରେ ଛୁଟି କରାଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ତେବେ ସେ ଯାହାହେଉନା କାହିଁକି ଖୁବଶୀଘ୍ର ସରକାର ଏନେଇ ସ୍ପଷ୍ଟ କରିବେ ବୋଲି ଜଣାପଡ଼ିଛି  ।