ଫୋକସରେ ବରଗଡ ଲୋକସଭା ଆସନ

ଫୋକସରେ ବରଗଡ ଲୋକସଭା ଆସନ

ଫୋକସରେ ବରଗଡ ଲୋକସଭା ଆସନ
ବରଗଡ: ବରଗଡ ଲୋକସଭା ଆସନ ଚିନ୍ତା ଆଶାୟୀଙ୍କୁ ଘାଇଲା କରି ଦେଲାଣି । ଏଠାରେ ରାଜନୈତିକ ସମୀକରଣ କଣ ରହିବ , ତାହା ଏବେ ଠାରୁ ହିସାବ ଲାଗିଇବା ମୁସ୍କିଲ । କୌଣସି ଦଳରେ ଟିକେଟ୍ ସ୍ଥିତି ସ୍ପଷ୍ଟ ନୁହେଁ । ସାଂସଦ ଡ. ପ୍ରଭାସ ସିଂହ ପୁଣିଥରେ ଟିକେଟ୍ ହାତେଇବାକୁ ରାଜଧାନୀରେ କସରତ କରୁଛନ୍ତି । କେତେ ବେଳେ ମନ୍ତ୍ରୀ ସ୍ନେହାଂଗିନୀଙ୍କୁ ମହିଳା କୋଟାରେ ବିଜେଡି ଟିକେଟ୍ ଧରାଇବ ବୋଲି ଚର୍ଚ୍ଚା ମୁଣ୍ଡ ଟିକେଟ୍ ସ୍ଥିତିକୁ ଗୋଳମାଳିଆ କରି ଦେଇଛି । ବରଗଡ ଜିଲ୍ଲାର ୫ଟି ଏବଂ ଝାରସୁଗୁଡା ଜିଲ୍ଲାର ଉଭୟ ଝାରସୁଗୁଡା ଓ ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ନେଇ ଲୋକସଭା ଆସନ ତିଆରି ହୋଇଛି । ଗତଥର ଡ.ପ୍ରଭାସ ସିଂହ ୩,୮୩,୨୩୦ ଭୋଟ୍ ପାଇଁ ବିଜେପି ବିଜେପି ପ୍ରାର୍ଥୀ ସୁବାଷ ଚୌହାନଙ୍କୁ ୧୧,୧୭୮ ଟି ଭୋଟ୍ରେ ପରାସ୍ତ କରିଥିଲେ । କଂଗ୍ରେସ ପାର୍ଥୀ ସଂଜୟ ଭୋଇ ୨,୭୪,୬୧୦ ପାଇ ତୃତୀୟ ସ୍ଥାନରେ ରହିଥିଲେ । ଜାନୁଆରୀ ୨୪ ତାରିଖ ନବ ଦାସ କଂଗ୍ରେସ ଛାଡି ବିଜେଡିରେ ମିଶିବା ପରେ ଲୋକ ସଭା ଆସନର ସମୀକରଣ ଓଲଟପାଲଟ ହୋଇଯାଇଛି । କାରଣ ପୂର୍ବରୁ କଂଗ୍ରେସର ସାଂସଦ ପ୍ରାର୍ଥୀଙ୍କ ପାଇଁ ନବ ହିଁ ଉଭୟ ଝାରସୁଗୁଡା ଏବଂ ବ୍ରଜରାଜନଗରରେ କ୍ଷେତ୍ର ପ୍ରସ୍ତୁତ କରୁଥିଲେ । ତେଣୁ କଂଗ୍ରେସ ଏଠାରେ କିଭଳି ସଂଗଠନ ସଜାଡିବ ,ତାହା ଦଳ ପାଇଁ ବଡ ଚ୍ୟାଲେଞ୍ଜ । ପୂର୍ବତନ ସାଂସଦ ସଂଜୟଙ୍କ ବ୍ୟତୀତ କଂଗ୍ରେସ ଶିବିରରେ ଲମ୍ବା ଆଶାୟୀଙ୍କ ତାଲିକା ରହିଛି । ବିଜେପି ପାଇଁ ମଧ୍ୟ ସମାନ ସମସ୍ୟା । ସୁବାଷ ଚୌହାନ ଟିକେଟ୍ ପାଇଁ ଜୋରଦାର୍ ପ୍ରୟାସ ଚଳାଇଥିବାବେଳେ ନୂଆ କରି ଦଳରେ ମିଶିଥିବାବେଳେ ନୂଆ କରି ଦଳରେ ମିଶିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ. କୃପାସିନ୍ଧୁୂ ଭୋଇଙ୍କ ଭାଇ ଜଗବନ୍ଧୁ ଭୋଇ ମଧ୍ୟ ଆଶାରେ ଅଛନ୍ତି । ଏହାବାଦ୍ କିଛି ଚର୍ଚ୍ଚିତ ଏବଂ ଲୋକପ୍ରିୟ ଚେହେରା ବି ଟିକେଟ୍ ରେସ୍୍ରେ ଅଛନ୍ତି । ତେଣୁ ସବୁ ଦଳରେ ପାର୍ଥୀ ଚୟନ ହିଁ ପ୍ରମୁଖ ସମସ୍ୟା । ଅନ୍ୟ ଏକ ରୋଚକ ତଥ୍ୟ ହେଲା ଗତଥର କଂଗ୍ରେସ ଝାରସୁଗୁଡା ଓ ବିଜେପୁର ବିଧାନସଭା ଆସନ ହାତେଇବା ସହ ଉଭୟଠାରେ ସାଂସଦ ପ୍ରାର୍ଥୀ ସଂଜୟ ଭୋଇ ଭଲ ଭୋଟ୍ ପାଇଥିଲେ । କିନ୍ତୁ ଏବେ ସ୍ଥିତିରେ ପରିବର୍ତନ ଆସିଛି । ବିଜେପୁରରେ ସୁବଳ ସାହୁଙ୍କ ପରଲୋକ ପରେ ପତ୍ନୀ ରୀତା ସାହୁ ବିଜେଡିରେ ମିଶି ଉପନିର୍ବାଚନ ଜିଣି ସାରିଛନ୍ତି । ସେହିପରି ଝାରସୁଗୁଡାରୁ କଂଗ୍ରେସ ଟିକେଟ୍ରୁ ବିଜୟୀ ହୋଇଥିବା ନବ ଦାସ ଏବେ ବିଜେଡି ଶିବିରରେ । ତେଣୁ ୭ ଟି ବିଧାନସଭା ଆସନରୁ ଏବେ ୫ଟି ବିଜେଡି ଦଖଲକୁ ଆସିଛି । କେବଳ ପଦ୍ମପୁର ଏବଂ ବ୍ରଜରାଜନଗରେ ବିଜେପି ବିଧାୟକ ଅଛନ୍ତି ।