ପୁନଃ ନିୟୋଜନ ଦାବିରେ ଏସସିବି ସୁପରିଟେଣ୍ଡେଟଙ୍କୁ ସ୍ମାରକ ପତ୍ର
ପୁନଃ ନିୟୋଜନ ଦାବିରେ ଏସସିବି ସୁପରିଟେଣ୍ଡେଟଙ୍କୁ ସ୍ମାରକ ପତ୍ର
admin
Apr 6, 2021 - 13:46
Updated: Apr 6, 2021 - 13:46
ଭୁବନେଶ୍ୱର : କୋଭିଡ଼ ୧୯ ମହାମାରୀ ସମୟରେ ଅନେକ ଫାର୍ମାସିଷ୍ଟ ଓ ନର୍ସିଂ କର୍ମଚାରୀମାନେ ଦିନରାତି ଏକ କରି ସେବା ଯୋଗାଇ ଆସୁଥିଲେ । କିନ୍ତୁ କୋଭିଡ଼ ସଂକ୍ରମଣ ହ୍ରାସ ପାଇବା ପରେ ସେମାନଙ୍କୁ ଛଟେଇ କରି ଦିଆଯାଇଥିଲା । ଏବେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ କିଛି ଫାର୍ମାସିଷ୍ଟ ଓ ନର୍ସିଂ କର୍ମଚାରୀଙ୍କୁ ପୁନଃ ନିୟୋଜନ କରିବାକୁ ଏସସିବି ମେଡ଼ିକାଲ କଲେଜ ପକ୍ଷରୁ ନିଷ୍ପତି ନିଆଯାଇଛି । ତେବେ କୋଭିଡ଼ ସ୍ଥିତି ଟଳିବା ପର୍ଯ୍ୟନ୍ତ ସମସ୍ତଙ୍କୁ ପୁନଃ ନିୟୋଜନ କରିବା ପାଇଁ ଫାର୍ମାସିଷ୍ଟ ଓ ନର୍ସିଂ କର୍ମଚାରୀମାନେ ଦାବି କରିଛନ୍ତି । ଏହି ମର୍ମରେ ଏସସିବି ମେଡ଼ିକାଲ କଲେଜ ସୁପରିଟେଣ୍ଡେଟଙ୍କୁ ଆବେଦନ ପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଉପସ୍ଥିତ ଥିଲେ ।
ଆବେଦନ ପତ୍ରରେ ଦର୍ଶାଯାଇଛିଯେ, କୋଭିଡ଼ ସଂକ୍ରମଣର ଆରମ୍ଭ ସମୟରେ ୩ ମାସ ପର୍ଯ୍ୟନ୍ତ ଫାର୍ମାସିଷ୍ଟ ଓ ନର୍ସିଂ କର୍ମଚାରୀଙ୍କୁ ନିୟୋଜନ କରାଯାଇଥିଲା । କିନ୍ତୁ ପରବର୍ତୀ ସମୟରେ ସଂକ୍ରମଣ ବୃଦ୍ଧି ପାଇଥିବାରୁ ପ୍ରାୟ ୧ ବର୍ଷ ପର୍ଯ୍ୟନ୍ତ ନିଯୁକ୍ତି କାଳ ବୃଦ୍ଧି ପାଇଥିଲା । ସମ୍ପ୍ରତି କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ପୁଣି ଥରେ ଫାର୍ମାସିଷ୍ଟ ଓ ଷ୍ଟାଫ ନର୍ସମାନଙ୍କୁ ନିୟୋଜନ କରାଯାଉଛି । ତେବେ କୋଭିଡ଼ ୧୯ ସମୟରେ କାର୍ଯ୍ୟରତ ୬୦ ଫାର୍ମାସିଷ୍ଟଙ୍କ ମଧ୍ୟରୁ ୫୪ ଜଣଙ୍କୁ ଓ ୨୩୬ ନର୍ସିଂ କର୍ମଚାରୀଙ୍କ ମଧ୍ୟରୁ ୨୦୧ ଜଣଙ୍କୁ ପୁଣିଥରେ କାର୍ଯ୍ୟରେ ନିୟୋଜିତ କରିବାକୁ ନିଷ୍ପତି ନିଆଯାଇଛି । ତେଣୁ ମହାମାରୀ ସ୍ଥିତି ସମ୍ପୂର୍ଣ୍ଣ ଭାବେ ଅପସରି ଯିବା ପର୍ଯ୍ୟନ୍ତ ସମସ୍ତ ଫାର୍ମାସିଷ୍ଟ ଓ ନର୍ସିଂ କର୍ମଚାରୀଙ୍କୁ ପୁନଃ ନିୟୋଜିତ କରିବା ପାଇଁ ସେମାନେ ଦାବି ଜଣାଇଛନ୍ତି । ଅମ୍ରିତ କୁମାର ଦାସ, ପ୍ରିୟଦର୍ଶିନୀ ମିଶ୍ର ଓ ସୁପ୍ରିୟା ସାମଲ ପ୍ରମୁଖ ଦରଖାସ୍ତ ଦେଇଛନ୍ତି ।