ପିସିସି ସଭାପତିଙ୍କ ଇସ୍ତଫା ମାଗିଲେ ସୋନିଆ
ପିସିସି ସଭାପତିଙ୍କ ଇସ୍ତଫା ମାଗିଲେ ସୋନିଆ
ନୂଆଦିଲ୍ଲୀ : ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି କଂଗ୍ରେସ । ଏଥିପାଇଁ ପିସିସି ସଭାପତିମାନେ ମଧ୍ୟ ଦାୟୀ । ତେଣୁ ପିସିସି ସଭାପତିମାନେ ତୁରନ୍ତ ଇସ୍ତଫା ଦିଅନ୍ତୁ। କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି ୫ ରାଜ୍ୟର ପିସିସି ସଭାପତିଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସୋନିଆ ଏବେ ଆକ୍ସନ ମୁଡକୁ ଆସିଛନ୍ତି।
ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ କଂଗ୍ରେସ ଚରମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଉତ୍ତରପ୍ରଦେଶରୁ ନେଇ ଉତ୍ତରାଖଣ୍ଡ ପର୍ଯ୍ୟନ୍ତ କଂଗ୍ରେସ ମାଟି କାମୁଡ଼ିଛି । ଗୋଆରେ ବି ଆଶାନୁରୂପକ ପ୍ରଦର୍ଶନ କରିବାରେ ଦଳ ବିଫଳ ହୋଇଛି । ସବୁଠାରୁ ବଡ଼ ଝଟକା ପଞ୍ଜାବରେ ଲାଗିଛି । ଆମ ଆଦମୀ ପାର୍ଟି ଏକପାଖିଆ ବିଜୟ ହାସଲ କରିଛି । ଆପର ଝଟକାରେ ପଞ୍ଜାବ ପିସିସି ସଭାପତି, ମୁଖ୍ୟମନ୍ତ୍ରୀ ମଧ୍ୟ ଜିତି ପାରିନାହାନ୍ତି । ମଣିପୁରରେ ବି ଦଳ ଭଲ ପ୍ରଦର୍ଶନ କରିପାରିନାହିଁ । ଦଳୀୟ ନେତାମାନେ ବିଜେପିରେ ଯୋଗଦେବାରୁ ମଣିପୁରରେ ବିଜେପି ସରକାର ଗଢ଼ିପାରିଛି । ପିସିସି ସଭାପତିମାନଙ୍କ ଭୂମିକାକୁ ଅନୁଶୀଳନ କରିବାପରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ଇସ୍ତଫା ଦେବା ପାଇଁ ସୋନିଆ ଗାନ୍ଧୀ ନିର୍ଦ୍ଦେଶ ଦେଇଛନ୍ତି ।
ଅପରପକ୍ଷରେ ପୂର୍ବରୁ କଂଗ୍ରେସ ହାଇକମାଣ୍ଡଙ୍କ ଅଧ୍ୟକ୍ଷତାରେ ୫ ରାଜ୍ୟର ନିର୍ବାଚନୀ ବିପର୍ଯ୍ୟୟ ନେଇ ମାନସ ମନ୍ଥନ ହୋଇଛି । ସୋନିଆ ଗାନ୍ଧି ନିଜେ ଇସ୍ତଫା ଦେବାକୁ ଚାହୁଁଥିଲେ ବି ଏଆଇସିସି ଏହାକୁ ଗ୍ରହଣ କରିନାହିଁ । ନୂଆ ସଭାପତି ଚୟନ ପର୍ଯ୍ୟନ୍ତ ସୋନିଆ ପଦରେ ରହିବେ ।




admin 