ପିଏମ୍ କିଷାନ୍ ଯୋଜନା : ଚାଷୀଙ୍କ ତାଲିକା ମାଗିଲା କେନ୍ଦ୍ର

ପିଏମ୍ କିଷାନ୍ ଯୋଜନା : ଚାଷୀଙ୍କ ତାଲିକା ମାଗିଲା କେନ୍ଦ୍ର

ପିଏମ୍ କିଷାନ୍ ଯୋଜନା : ଚାଷୀଙ୍କ ତାଲିକା ମାଗିଲା କେନ୍ଦ୍ର
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଓଡ଼ିଶାରୁ ହିତାଧିକାରୀଙ୍କ ତାଲିକା ଆସିବାରେ ବିଳମ୍ବ ହେଉଛି । ଏଥିପାଇଁ ପୁଣିଥରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚିଠି ଲେଖି ତାଲିକା ଦେବାକୁ କହିଛନ୍ତି । ଏଥିପାଇଁ ସମୟ ବି ଦେଇଛନ୍ତି । ଜୁଲାଇ ୩୧ ତାରିଖ ସୁଦ୍ଧା ରାଜ୍ୟର ୪୬ ଲକ୍ଷ କ୍ଷୁଦ୍ର ନାମମାତ୍ର ଚାଷୀଙ୍କ ତାଲିକା ପ୍ରଦାନ କରିବାକୁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ କେନ୍ଦ୍ରରୁ ଚିଠି ଆସିଛି । ପ୍ରଥମ ଦଫାରେ ରାଜ୍ୟ ସରକାର ୧୨ ଲକ୍ଷ ୪୫ ହଜାର ହିତାଧିକାରୀଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ଦେଇଥିଲେ । ସେଥିରୁ ୯ ଲକ୍ଷ ୩୬ ହଜାର ହିତାଧିକାରୀ ପିଏମ୍ କିଷାନ ଯୋଜନାରେ ସହାୟତା ପାଇଥିବା ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି । ବ୍ୟାଙ୍କ ଆକାଉଂଟ ସହ ଆଧାର ନମ୍ବର ସଂଯୋଗ ହୋଇନଥିବାରୁ ଅବଶିଷ୍ଟ ୩ ଲକ୍ଷ ୯ ହଜାର ହିତାଧିକାରୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ସହାୟତା ମିଳିପାରିନି । ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ କେବଳ ଯୋଗ୍ୟ ହିତାଧିକାରୀଙ୍କୁ ଯୋଡ଼ାଯିବ । ଆର୍ଥିକ ସ୍ୱଚ୍ଛଳ ବର୍ଗର ଲୋକଙ୍କୁ ବାଛି ବାହାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଛି । ଜୁଲାଇ ୩୧ ତାରିଖ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ହିତାଧିକାରୀ ତାଲିକା ପ୍ରଦାନ କରିବାକୁ କେନ୍ଦ୍ର ସରକାର କହିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି । କୃଷି ଭବନ ଠାରେ ଆୟୋଜିତ ଖରିଫ ୨୦୧୯ ରାଜ୍ୟ ସ୍ତରୀୟ ପ୍ରାକ୍ ମୌସୁମୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ ଯେ ୨୦୧୧ କୃଷି ଜନଗଣନା ଅନୁସାରେ ରାଜ୍ୟର ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ତାଲିମ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା ପ୍ରସ୍ତୁତି ସମୟରେ ବର୍ତ୍ତମାନ ଥିବା ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କିମ୍ବା ତଦୁର୍ଦ୍ଧ ନିର୍ବାଚିତ ରାଜନେତା, ବିଭିନ୍ନ ବୃତ୍ତିରେ ନିୟୋଜିତ ଆର୍ଥିକ ସ୍ତରରେ ସ୍ୱଚ୍ଛଳ ବ୍ୟକ୍ତି, ପେନସନ୍ଧାରୀ ବଡ଼ ଚାଷୀ ଆଦିଙ୍କୁ ଏହି ତାଲିକାରୁ ବାଦ୍ ଦେବା ପାଇଁ କୁହାଯାଇଛି । ତେଣୁ ଏହି ପ୍ରକ୍ରିୟା ପାଇଁ ତାଲିକା ପ୍ରସ୍ତୁତିରେ ବିଳମ୍ବ ହେଉଥିବା ମନ୍ତ୍ରୀ କହିଥିଲେ ।