ପରୀ ହତ୍ୟା ମାମଲା : ହାଇକୋର୍ଟଙ୍କୁ ମିଳିନି ଚିଠି
ପରୀ ହତ୍ୟା ମାମଲା : ହାଇକୋର୍ଟଙ୍କୁ ମିଳିନି ଚିଠି
admin
Jan 15, 2021 - 07:15
Updated: Jan 15, 2021 - 07:15
ଭୁବନେଶ୍ୱର: ନୟାଗଡ଼ ଯଦୁପୁରର ବହୁ ଚର୍ଚ୍ଚିତ ‘ପରୀ’ ହତ୍ୟା ମାମଲାରେ ଏକ ନୂଆ ଖୁଲାସା ହୋଇଛି । ତାହା ହେଲା ଏସଆଇଟି ତଦନ୍ତ ମନିଟର ଲାଗି ସିଟିଂ ଜଜ ନିଯୁକ୍ତି ପାଇଁ ଚିଠି ଲେଖାଯାଇନି । ରାଜ୍ୟ ସରକାର ସିଟିଂ ଜଜ ନିଯୁକ୍ତି ପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିନାହାନ୍ତି । ଏକଥା ଆମେ କହୁନାହୁଁ । ସୂଚନା ଅଧିକାର ଆଇନ ବଳରେ ହାଇକୋର୍ଟରୁ ପ୍ରାପ୍ତ ସୂଚନାରୁ ଏହା ଜଣାପଡ଼ିଛି । ସୂଚନା ଅଧିକାରୀ କର୍ମୀ ହେମନ୍ତ ପଣ୍ଡା ହାଇକୋର୍ଟରୁୁ ଏ ସମ୍ପର୍କିତ ତଥ୍ୟ ମାଗିଥିଲେ । ହେମନ୍ତଙ୍କ ଆବେଦନର ଉତ୍ତର ଗତ ୬ ତାରିଖରେ ହାଇକୋର୍ଟରୁ ଆସିଛି । ଏନେଇ ହାଇକୋର୍ଟର ଜନ ସୂଚନା ଅଧିକାରୀ ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ପରୀ ହତ୍ୟାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ହେଉଛି । ବିଶେଷକରି ବିଜେପି ଏହାକୁ ଏକ ପ୍ରମୁଖ ପ୍ରସଙ୍ଗ କରି ବ୍ୟାପକ ଆନେ୍ଦାଳନ କରିଛି । ଗତ ବିଧାନସଭା ଅଧିବେଶନରେ ବି ଏହି ପ୍ରସଙ୍ଗ ଗୃହକୁ ସରଗରମ କରିଦେଇଥିଲା । ଅପରପକ୍ଷରେ ରାଜ୍ୟ ସରକାର ହତ୍ୟାକାଣ୍ଡକୁ ଗୁରୁତର ସହ ଗ୍ରହଣ କରି ଏସଆଇଟି ତଦନ୍ତ ପାଇଁ ନିଦେ୍ର୍ଧଶ ଦେଇଥିଲେ । ଇତିମଧ୍ୟରେ ଏସଆଇଟି ମଧ୍ୟ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିସାରିଛି । ତେବେ ପରୀ ମା କିନ୍ତୁ ଏହି ତଦନ୍ତରେ ସନ୍ତୁଷ୍ଟ ନୁହନ୍ତି । ଅଙ୍ଗ ତସ୍କରୀ ଦିଗକୁ ଏସଆଇଟି ଆଦୌ ତଦନ୍ତ କରିନଥିବା ପୂର୍ବରୁ ପରୀ ମା’ ଅଭିଯୋଗ କରିଥିଲେ । ଏପରିକି ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରାଯାଇଥିଲେ ମଧ୍ୟ ତାଙ୍କୁ ଜେରା ନକରାଯିବାକୁ ନେଇ ପରୀ ମା’ ପ୍ରଶ୍ନ ଉଠାଇଥିଲେ । ଶେଷରେ ପରୀର ମା’ ନ୍ୟାୟ ପାଇଁ ତଥା ଏହି ମାମଲାର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।