ପରକୀୟା ପ୍ରୀତି ସମ୍ପର୍କରେ ଜାଣିବାରୁ ଭାଣିଜୀର ତଣ୍ଟି କାଟି ହତ୍ୟା
ପରକୀୟା ପ୍ରୀତି ସମ୍ପର୍କରେ ଜାଣିବାରୁ ଭାଣିଜୀର ତଣ୍ଟି କାଟି ହତ୍ୟା
admin
Dec 15, 2020 - 08:22
Updated: Dec 15, 2020 - 08:22
ବାଲିଆପାଳ: ଦିଅର-ଭାଉଜ ମଧ୍ୟରେ ପାପ ସମ୍ପର୍କ ଦେଖିବା କାଳ ହେଲା । ଆଉ କଥା ପ୍ରଘଟ ହେବା ଭୟରେ ୭ ବର୍ଷୀୟା ଭାଣିଜୀକୁ ଗଳାକାଟି ନୃଶଂସ ଭାବେ ହତ୍ୟା କଲା ସମ୍ପର୍କୀୟ ମାମୁ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଜମ୍ଭୀରାଇ ପଞ୍ଚାୟତ ସୁନ୍ଦୁରିକୁଲି ଗାଁର ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଜିଲ୍ଲାବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଘଟଣାର ୪ ଦିନ ପରେ ଏହା ଉପରୁ ପରଦା ହଟାଇଛି ପୁଲିସ । ଏହି ଘଟଣାରେ ଅଭିଯୁକ୍ତ ଦୀପକ ସାହୁ (୨୩)କୁ ଗିରଫ କରାଯାଇଥିବା ବେଳେ ହତ୍ୟାକାଣ୍ଡରେ ସହଯୋଗ କରିଥିବା ସମ୍ପର୍କୀୟ ଭାଉଜକୁ ଥାନାରେ ଅଟକ ରଖି ଜେରା କରାଯାଉଥିବା ବସ୍ତା ଏସଡିପିଓ ଜଳନ୍ଧର ଜାଲି ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ମୃତକର ମା’ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଯିବାରୁ ସୁନ୍ଦୁରିକୁଲି ଗାଁରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।
ସୁନ୍ଦୁରିକୁଲି ଗାଁର ବଳରାମ ପାତ୍ରଙ୍କ ଝିଅ ବିଷ୍ଣୁପି୍ରୟା ପାତ୍ର (ନେଉଳି, ୭) ସେହି ଗ୍ରାମରେ ଥିବା ତାଙ୍କ ମାମୁଁଘର ଦୟାନିଧି ସାହୁଙ୍କ ଘରେ ରହି ପାଠ ପଢ଼ୁଥିଲେ । ଶୁକ୍ରବାର ଟିଉସନ ସାରି ସକାଳ ୯ଟାରେ ଘରକୁ ଫେରିବା ପରେ ନେଉଳି ସାଙ୍ଗମାନଙ୍କ ସହ ଖେଳିବାକୁ ଯାଇଥିଲା । ହେଲେ ଅତ୍ୟନ୍ତ ରହସ୍ୟଜନକ ଭାବେ ତାର ଆଉ ପତ୍ତା ମିଳିନଥିଲା । ଦିନ ଦି ପହରୁ ବିଳମ୍ବିତ ରାତି ଯାଏ ପରିବାର ଲୋକ ଓ ଗ୍ରାମବାସୀ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ । ଶନିବାର ନେଉଳି ନିଖୋଜ ହେବା ସଂକ୍ରାନ୍ତରେ ତାର ଫଟୋଚିତ୍ର ସହ ପାଶ୍ୱର୍ବର୍ତ୍ତୀ ୬ଟି ପଞ୍ଚାୟତରେ ଡାକବାଜି ଯନ୍ତ୍ର ପ୍ରଚାର କରାଯାଇଥିଲା । ତା ପରେ ବି କୌଣସି ସନ୍ଧାନ ନ ମିଳିବାରୁ ନେଉଳିର ବାପା ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କେସ ନଂ ୨୪୫/୨୦ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ଛାନଭିନ କରିବା ସହ ସନେ୍ଦହରେ ନେଉଳିର ସମ୍ପର୍କୀୟ ମାମୁ ସେହି ଗ୍ରାମର ଦୀପକ ସାହୁକୁ ଉଠାଇ ଆଣିଥିଲା । ପ୍ରଥମେ କିଛି ଜାଣି ନଥିବା କହିଥିଲା ଦୀପକ । ହେଲେ ପୁଲିସର ଘନ ଘନ ପ୍ରଶ୍ନବାଣରେ ସତକଥା ଓଗାଳିଥିଲା । ଦୀପକର ସ୍ୱୀକାରୋକ୍ତ ଅନୁଯାୟୀ ଜଣେ ସମ୍ପର୍କୀୟ ଭାଉଜ ସହ ତାର ଅନୈତିକ ସମ୍ପର୍କ ରହିଥିବା ବେଳେ ନେଉଳି ଏହାକୁ ଦେଖିଦେଇଥିଲା । କାଳେ ଏ ବିଷୟରେ କାହାକୁ କହିଦେବ, ସେ ଆଶଙ୍କାରେ ସମ୍ପର୍କୀୟ ମାମୁ ଦୀପକ ଓ ମାଇଁ ମିଳିତ ଭାବେ ନେଉଳିକୁ ହତ୍ୟା କରିବାକୁ ଯୋଜନା କରିଥିଲେ । ଗତ ୧୧ ତାରିଖରେ ଅଭିଯୁକ୍ତ ଦୀପକ ନେଉଳିକୁ ଡାକି ନେଇ ଏକ ନିଛାଟିଆ ସ୍ଥାନରେ ତାର ଗଳାକୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରିବା ପରେ ପରିତ୍ୟକ୍ତ ଜଳାଶୟରେ ପକାଇ ଦେଇଥିବା ପୁଲିସ ଆଗରେ ସ୍ୱୀକାର କରିଥିଲା ।