ପପୁଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବେ ଦୂତି

ପପୁଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବେ ଦୂତି

ପପୁଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବେ ଦୂତି
ଭୁବନେଶ୍ୱର: ବିବାଦ ଭିତରେ ଆହୁରି ଆହୁରି ଛନ୍ଦି ହୋଇପଡୁଛି କମେଡ଼ି କିଙ୍ଗଙ୍କ ସିନେମା ପୋଷ୍ଟର । ମିଷ୍ଟର କହ୍ନେୟା ପୋଷ୍ଟରକୁ ନେଇ ଫେସବୁକରେ ପୋଷ୍ଟ କରିଛନ୍ତି ଆଥଲେଟ ଦୂତି ଚାନ୍ଦ । ଫେସବୁକରେ ସେ ଲେଖିଛନ୍ତି କମେଡି କିଙ୍ଗ ପପୁ ପମପମଙ୍କ କଥା ତାଙ୍କୁ ବହୁତ ବାଧିଛି । ସିନେମାର ପୋଷ୍ଟର ତାଙ୍କୁ ମାନସିକ ନିର୍ୟାତନା ଦେଇଥିବା ଦୂତି କହିଛନ୍ତି । ଏପରିକି ପପୁଙ୍କ ବିରୋଧରେ ଦୂତି ମାନହାନୀ ମକଦ୍ଦମା କରିବେ ବୋଲି କହିଛନ୍ତି । ମିଷ୍ଟର କହ୍ନେୟା ପୋଷ୍ଟରକୁ ଦୂତି ବିରୋଧ କରିବା ପରେ ପପୁ ପମପମ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପପୁ ଦୂତିଙ୍କ ବିରୋଧରେ ବିଷୋଦଗାର କରିଛନ୍ତି । ଦୂତି ଆଗ ନିଜ ବ୍ୟକ୍ତିଗତ କଥାକୁ ସମ୍ଭାଳନ୍ତୁ ବୋଲି କହିଛନ୍ତି କମେଡି କିଙ୍ଗ । ପପୁଙ୍କ ଏହି କଥା ଦୂତିଙ୍କୁ ବହୁତ ବାଧିଥିବା ସେ କହିଛନ୍ତି । ସେପଟେ ମିଷ୍ଟର କହ୍ନେୟା ପୋଷ୍ଟର ବିବାଦ ମାମଲାରେ ସଂପୃକ୍ତ ପ୍ରଡକ୍ସନ ୟୁନିଟକୁ ନୋଟିସ ଜାରି କରିଛି କମିଶନରେଟ ପୋଲିସ । ଫିଲ୍ମର ପୋଷ୍ଟରକୁ ନେଇ ସବିଶେଷ ତଥ୍ୟ ମାଗିଛି ପୋଲିସ । ଥାନାରେ ହାଜରେ ସଂପୃକ୍ତ ପ୍ରଡକ୍ସନ ୟୁନିଟର ବୟାନ ରେକର୍ଡ କରାଯିବ । ପୋଷ୍ଟରଟି ସଂପୃକ୍ତ ପ୍ରଡକ୍ସନ ୟୁନିଟ କରିଛନ୍ତି ନା ନାହିଁ ସେ ପଚରାଉଚରା କରାଯିବ । ସେହିଭଳି ପୋଷ୍ଟରକୁ ନେଇ ଅଭିଯୋଗ କରିଥିବା ସାମାଜିକ କର୍ମୀଙ୍କୁ ବି ନୋଟିସ ଜାରି କରାଯାଇଛି । କେଉଁ ସୁତ୍ରରୁ ସେ ଏହି ପୋଷ୍ଟର ପାଇଲେ ସେ ନେଇ ସବିଶେଷ ତଥ୍ୟ ରଖିବାକୁ କୁହାଯାଇଛି । ଏହା ପୂର୍ବରୁ ବିବାଦୀୟ ଫିଲ୍ମ ପୋଷ୍ଟରକୁ ନେଇ ସଫେଇ ଦେଇଥିଲେ ପପୁ । ସେ କହିଥିଲେ ଯେ, ଚର୍ଚ୍ଚିତ ପୋଷ୍ଟର ମୋ କନସେପ୍ଟ ନୁହେଁ । ମୁଁ ଭୁଲ କରିନାହିଁ । ବାହାରେ କିଏ ପୋଷ୍ଟର କରିଛି ମୁଁ ଜାଣିନାହିଁ । ଏଥିପାଇଁ ମୁଁ ଉତ୍ତରଦାୟୀ ନୁହେଁ । ପ୍ରଡୁ୍ୟସରଙ୍କୁ ମଧ୍ୟ ପଚାରିଛି । ପ୍ରଡକ୍ସନ ତରଫରୁ ହୋଇନାହିଁ । ଯିଏ କରିଛି, ତାକୁ ଖୋଜି ବାହାର କରାଯାଉଛି ବୋଲି ପପୁ ସୋସିଆଲ ମିଡିଆରେ ଭିଡିଓ ଛାଡ଼ି ସଫେଇ ଦେଇଥିଲେ । ଆଗାମୀ ଦିନରେ ରିଲିଜ ହେବାକୁ ଥିବା ଓଡିଆ ଫିଲ୍ମ ମିଷ୍ଟର କହ୍ନେୟାଙ୍କ ପୋଷ୍ଟରକୁ ନେଇ ପୁଣି ବିବାଦରେ ଫସିଛନ୍ତି ପପୁ ପମପମ୍ । ଏହି ପୋଷ୍ଟରରେ ଏ ମହିଳାଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି । ପୋଷ୍ଟରରେ କିଛି ଯୁବତୀଙ୍କ ବେକରେ ରସି ବାନ୍ଧି ଲଗାମ ଧରିବା ପୋଜରେ ନଜର ଆସିଛନ୍ତି ପପୁ । ଯାହାକୁ ଦୂତି ଚାନ୍ଦଙ୍କ ଭଳି କିଛି ଖେଳାଳି ଓ ଅନ୍ୟ କିଛି ବ୍ୟକ୍ତିବିଶେଷ ଆପତି ଉଠାଇଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ୟୁଜର୍ସ ନାରୀମାନଙ୍କୁ ଏ କି ପ୍ରକାର ସମ୍ମାନ ବୋଲି ପ୍ରଶ୍ନ କରିବା ସହ ପପୁଙ୍କ ଏଭଳି ପୋଷ୍ଟରକୁ କଟାକ୍ଷ କରାଯାଇ ଟ୍ରୋଲ କରାଯାଇଛି ।