ନିଆଁ ସହ ଖେଳନାହିଁ
ନିଆଁ ସହ ଖେଳନାହିଁ
admin
Dec 27, 2019 - 00:54
Updated: Dec 27, 2019 - 00:54
କୋଲକାତା - ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିବା ଛାତ୍ରମାନଙ୍କୁ ଆଗେଇଚାଲ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହ୍ୱାନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବିଜେପିକୁ ଚେତାବନୀ ଦେଇ ନିଆଁ ସହ ଖେଳ ନାହିଁ ବୋଲି ସେ କହିଛନ୍ତି। କେନ୍ଦ୍ରୀୟ କୋଲକାତାର ରାଜାବଜାରରୁ ମଲ୍ଲିକବଜାର ପର୍ୟ୍ୟନ୍ତ ଏକ ବିକ୍ଷୋଭ ସମାବେଶର ନେତୃତ୍ୱ ନେଇ ମମତା ସିଏଏକୁ ଦୃଢ଼ ବିରୋଧ କରିଛନ୍ତି। ସେ କହିଛନ୍ତି, ସିଏଏ ପ୍ରତ୍ୟାହାର ନହେବା ପର୍ୟ୍ୟନ୍ତ ତୃଣମୂଳ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଜାରି ରହିବ।ବିଜେପି ପକ୍ଷରୁ ଆନ୍ଦୋଳନକାରୀ ଛାତ୍ରମାନଙ୍କୁ ଧମକ ଦିଆଯାଉଥିବାରୁ ସେ କହିଛନ୍ତି, ସିଏଏକୁ ବିରୋଧ କରୁଥିବା ଜାମିଆ ମିଲିଆ, ଆଇଆଇଟି କାନପୁର ଓ ଅନ୍ୟ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ଆମର ଦୃଢ଼ ସମର୍ଥନ ରହିଛି। ବିଜେପିକୁ ଆହୁରି ସମାଲୋଚନା କରି ମମତା କହିଛନ୍ତି, ଏହି ଦଳ ତା’ର ପ୍ରତିଶ୍ରୁତି ପାଳନ କରୁନାହିଁ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରାପ୍ପା ପୁଲିସ ଗୁଳିରେ ନିହତ ହୋଇଥିବା ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କ ପରିବାରକୁ ସାହାଯ୍ୟ ମିଳିବ ନାହିଁ ବୋଲି କହିଥିବାରୁ ମମତା ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଗତ ୧୯ ତାରିଖରେ କର୍ଣ୍ଣାଟକରେ ୨ ଜଣ ଆନ୍ଦୋଳନକାରୀ ପୁଲିସ ଗୁଳିରେ ପ୍ରାଣ ହରାଇଥିଲେ।