ଢେ଼ଙ୍କାନାଳ ଯିବେ ରାଜଧାନୀ ଷଣ୍ଢ
ଢେ଼ଙ୍କାନାଳ ଯିବେ ରାଜଧାନୀ ଷଣ୍ଢ
admin
Feb 1, 2020 - 08:26
Updated: Feb 1, 2020 - 08:26
ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ଦିନକୁ ଦିନ ଗାଈ ଓ ଷଣ୍ଢଙ୍କ ଉତ୍ପାତ ବଢ଼ିଚାଲିଛି । କେଉଁଠି ଷଣ୍ଢ ଆକ୍ରମଣରେ କାହାକ ଜୀବନ ଗଲାଣି ତ ଆଉ କେଉଁଠି ରାସ୍ତାରେ ବୁଲା ଗୋରୁଙ୍କ ଯୋଗୁଁ ଦୁର୍ଘଟଣା ଘଟୁଛି । ଏହି ବୁଲା ଗାଈ ଓ ଷଣ୍ଢଙ୍କ ଉତ୍ପାତ ରୋକିବାକୁ ବିଏମ୍ସି ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛି ।
ଏଣିକି ରାଜଧାନୀ ରାସ୍ତାରେ ବୁଲା ଗୋରୁ ଦେଖିଲେ ବିଏମ୍ସିର ସ୍ୱତନ୍ତ୍ର ସ୍କ୍ୱାର୍ଡ କାଞ୍ଜିଆହୁଦାକୁ ନେଇଯିବ । ଆଉ ସେଠାରୁ ଯିଏ ନିଜ ଗୃହପାଳିତ ଗୋରୁକୁ ନେବାକୁ ଆସିବେ ସେମାନଙ୍କୁ ୫ ହଜାର ଟଙ୍କା ଜରିମାନା ଗଣିବାକୁ ପଡ଼ିବ । ଏହା ଦ୍ୱାରା ବାହାରେ ଗାଈ ଗୋରୁଙ୍କୁ ଛାଡ଼ିବା ଉପରେ ରୋକ୍ ଲାଗିପାରିବ ବୋଲି ବିଏମ୍ସି ବୈଠକରେ ନିଷ୍ପତ୍ତି ହୋଇଛି । ଯଦି ଦ୍ୱିତୀୟ ଥର ପାଇଁ କାହାର ଗାଈ ବାହାରେ ବୁଲୁଥିବା ଦେଖିବାକୁ ମିଳେ ତେବେ ମାଲିକଙ୍କୁ ଆଉ ଫେରିବ ନାହିଁ । ଉକ୍ତ ଗାଈ ପାଖ ଜିଲ୍ଲାରେ ଗୋପାଳନ କରୁଥିବା ସ୍ୱୟଂସହାୟକ ଗୋଷ୍ଠୀ (ଏସଏଚ୍ଜି) କୁ ହସ୍ତାନ୍ତର କରାଯିବ । ସେମାନେ ଏହାକୁ ନେଇ ଗୋପାଳନ କରିବେ । ଆସନ୍ତା ମାର୍ଚ୍ଚ ମାସରୁ ଏହି ନିୟମ ଲାଗୁ ହେବ ।
ବିଏମ୍ସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏବେ ସହରରେ ପ୍ରାୟ ୧୨ ହଜାର ଗୃହପାଳିତ ପଶୁ ଅଛନ୍ତି ବୋଲି ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ତଥ୍ୟ ଦିଆଯାଇଛି । କିନ୍ତୁ ଅନେକ ଲୋକ ନିଜ ଗୃହପାଳିତ ଗାଈକୁ ବାହାରକୁ ଛାଡ଼ି ଦେଉଛନ୍ତି । ଏଥିପାଇଁ ସହରରେ ଅନେକ ସମସ୍ୟା ସୃଷ୍ଟି ହେଉଛି । କେବଳ ଗାଈ ନୁହେଁ, ଷଣ୍ଢ ଉପଦ୍ରବ ରୋକିବାକୁ ମଧ୍ୟ ଆଲୋଚନା ହୋଇଥିଲା । ପ୍ରାଣୀ ସମ୍ପଦ ବିକା ବିଭାଗ ପକ୍ଷରୁ ଷଣ୍ଢ ରଖିବାକୁ ଢେ଼ଙ୍କାନାଳରେ ଆଶ୍ରୟ ସ୍ଥଳୀ କରାଯାଇଛି । ଏଠାରେ ୧୦୦ ଷଣ୍ଢ ରହିବା ଭଳି ସୁବିଧା ଅଛି । ସହରର ବୁଲା ଷଣ୍ଢଙ୍କୁ ଏଠାକୁ ନେଇ ରଖିବାକୁ ବିଏମ୍ସି ଯୋଜନା କରିଛି । ଏଥିପାଇଁ ପ୍ରାଣୀ ସମ୍ପଦ ବିଭାଗ ସହ ଆଲୋଚନା କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏ ନେଇ ବିଏମ୍ସି ପକ୍ଷରୁ ଏକ ଷ୍ଟାଣ୍ଡାର୍ଡ ଅଫ ପ୍ରୋସିକୁ୍ୟଅର (ଏସ୍ଓପି) ପ୍ରସ୍ତୁତ କରାଯିବ । ବିଏମସି ଡେପୁଟି କମିଶନର ଶ୍ୟାମସୁନ୍ଦର ସେଠୀ, ଏସଡିଭିଓ ଡା. ସୁଧୀର କୁମାର ସେନାପତି, ନୋଡାଲ ଅଫିସର ତି୍ରଲୋଚନା ସାହୁ, ଗୋମଙ୍ଗଳ ପରାମର୍ଶଦାତା ଡା.ମହେଶ ମିଶ୍ର ଓ ଆଇନ ପରାମର୍ଶଦାତା ରାମକୃଷ୍ଣ ନନ୍ଦ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।