ଜମ୍ମୁ କାଶ୍ମୀରରେ ଗୁଳିବିନିମୟ, ୫ ଯବାନ ସହିଦ
ଜମ୍ମୁ କାଶ୍ମୀରରେ ଗୁଳିବିନିମୟ, ୫ ଯବାନ ସହିଦ
admin
May 4, 2020 - 09:28
Updated: May 4, 2020 - 09:28
ଶ୍ରୀନଗର: ଜମ୍ମୁ କାଶ୍ମୀରର ହନ୍ଦୱାଡାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଭୟଙ୍କର ଗୁଳିବିନିମୟ ଘଟି ସେନାବାହିନୀର ୨ ଜଣ ବରିଷ୍ଠ ଅଧିକାରୀ, ଜଣେ ପୁଲିସ ଅଧିକାରୀଙ୍କ ସମତେ ୫ ଜଣ ଯବାନ ସହିଦ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ମେଜର, ଜଣେ ଜର୍ନେଲ ଏବଂ ଜଣେ ପୁଲିସ ଏସଆଇ ରହିଛନ୍ତି । ଦୀର୍ଘ ୭-୮ ଘଣ୍ଟାର ଆତଙ୍କବାଦ ଦମନ ଅପରେସନରେ ଲସ୍କରର ଜଣେ ଶୀର୍ଷ କମାଣ୍ଡର ସମେତ ୨ ଜଣ ଆତଙ୍କବାଦୀ ମଧ୍ୟ ନିପାତ ହୋଇଛନ୍ତି । ଶ୍ରୀନଗରର ସେନା ମୁଖପାତ୍ରଙ୍କ କହିବା ଅନୁଯାୟୀ କୁପୱାଡା ଜିଲ୍ଲାର ହନ୍ଦୱାଡା ସ୍ଥିତ ଚଙ୍ଗିମୁଲ ଗ୍ରାମରେ କିଛି ବ୍ୟକ୍ତିଙ୍କୁ ଆତଙ୍କବାଦୀମାନେ ଉଠାଇ ନେଇ ପରେ ବନ୍ଦ କରି ରଖିଥିବା ସୂଚନା ମିଳିବା ପରେ ମିଳିତ ଅପରେସନ ଆରମ୍ଭ ହୋଇଥିଲା । ଉକ୍ତ ଟିମ୍ ଆତଙ୍କବାଦୀମାନେ ଲୁଚିଥିବା ଅଞ୍ଚଳକୁ ପ୍ରବେଶ କରିବା ସହ ସେମାନଙ୍କ କବଜାରେ ଥିବା ନାଗରିକମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । କିନ୍ତୁ ଏହି ପ୍ରକ୍ରିୟାରେ ଆତଙ୍କବାଦୀ ପଟୁ ଜୋରଦାର ଗୁଳିବର୍ଷା ହୋଇଥିଲା । ଫଳରେ ଜର୍ନେଲ ଏବଂ ମେଜରଙ୍କ ସମେତ ୫ ସୁରକ୍ଷା କର୍ମୀ ସହିଦ ହୋଇଯାଇଛନ୍ତି । ସହିଦ ଯବାନ ଓ ଅଧିକାରୀମାନଙ୍କୁ ଚିହ୍ନଟ କରାଯାଇଛି । ସେମାନେ ହେଉଛନ୍ତି ଜର୍ନେଲ ଆଶୁତୋଷ ଶର୍ମା, ମେଜର ଅନୁଜ ସୁଦ, ନାଏକ ରାଜେଶ, ଦିନେଶ ଏବଂ ଜମ୍ମୁ କାଶ୍ମୀର ପୁଲିସ ସେସ୍ପାଲ ଅପରେସନ ଗ୍ରୁପର ଏସଆଇ ମହମ୍ମଦ ସାଗିଅର ଜାଜି । ଜର୍ନେଲ ଶର୍ମାଙ୍କ ନେତୃତ୍ୱରେ ଉକ୍ତ ଅପରେସନ ପରିଚାଳନା ହୋଇଥିଲା । ତେବେ ହନ୍ଦୱାଡା ଅପରେସନରେ ଏଲଇଟିର ଜଣେ ଶୀର୍ଷ କମାଣ୍ଡର ନିହତ ହୋଇଥିବା ପୁଲିସ ଆଇଜି ବିଜୟ କୁମାର କହିଛନ୍ତି । ଏହି କମାଣ୍ଡରଙ୍କୁ ପାକିସ୍ତାନର ହାଇଦର ବୋଲି ଚିହ୍ନଟ କରାଯାଇଛି । ଏଥିସହ ଅନ୍ୟ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି । ଶନିବାର ଅପରାହ୍ନ ୩.୩୦ ଠାରୁ ଅପରେସନ ଆରମ୍ଭ ହୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଏହା ଶେଷ ହୋଇଛି । ଆତଙ୍କବାଦୀମାନେ ଏକ ଗାଈ ଗୁହାଳ ମଧ୍ୟକୁ କିଛି ନାଗରିକମାନଙ୍କୁ ଉଠାଇ ନେଇ ରଖିଥିଲେ ବୋଲି ଜଣାପଡ଼ିଥିଲା ।ୠୁ ଗୁଇନ୍ଦା ବିଭାଗ ପକ୍ଷରୁ ଏହି ସୂଚନା ପାଇବା ପରେ ସୁରକ୍ଷାକର୍ମୀମାନେ ଆତଙ୍କବାଦୀ ଲୁଚିଥିବା ଅଞ୍ଚଳକୁ ଘେରି ଯାଇଥିଲେ ଏବଂ ସମସ୍ତ ନାଗରିକଙ୍କୁ ବଞ୍ଚାଇବାକୁ ଯାଇ ୫ ଜଣ ସୁରକ୍ଷା କର୍ମୀ ସହିଦ ହୋଇଥିଲେ । ସହିଦ ଜର୍ନେଲ ଶର୍ମା ୨ ଥର ସେବା ବୀରତ୍ୱ ପଦକ ପାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହନ୍ଦୱାଡା ଅପରେସନରେ ସହିଦ ହୋଇଥିବା ସୈନିକ ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ସେମାନଙ୍କ ତ୍ୟାଗ ଓ ବୀରତ୍ୱକୁ କେବେ ବି ଦେଶ ଭୁଲିବନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶର ସୁରକ୍ଷା ଓ ଦେଶର ସେବା ଦିଗରେ ସେମାନେ ନିଜ ଜୀବନକୁ ବାଜି ଲଗାଇ କାମ କରୁଥିଲେ । ସେମାନଙ୍କ ପରିବାର ସଦସ୍ୟ ଓ ବନ୍ଧୁଙ୍କୁ ସମବେଦନା ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ।