ଜଙ୍ଗଲ ନିଆଁରେ ଓଡ଼ିଶା ୩ ନମ୍ବର

ଜଙ୍ଗଲ ନିଆଁରେ ଓଡ଼ିଶା ୩ ନମ୍ବର

ଜଙ୍ଗଲ ନିଆଁରେ ଓଡ଼ିଶା ୩ ନମ୍ବର

ଭୁବନେଶ୍ୱର: ଗତ ସପ୍ତାହକ ମଧ୍ୟରେ ଭାରତର ୧୪ ହଜାର ୮୬୮ଟି ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଛି । ଏହି ସମୟ ଭିତରେ ଓଡ଼ିଶାର ୧୯୯୩ଟି ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଛି । ରାଜ୍ୟର ପ୍ରତିଟି ଫରେଷ୍ଟ ସର୍କଲରେ ନିଆଁ ବ୍ୟାପି ଚାଲିଛି । ବନାଗ୍ନୀରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଛି। 

 ରାଜ୍ୟରେ ହୁତହୁତ ହୋଇ ଜଳୁଛି ଜଙ୍ଗଲ ।  ଏ ନିଆଁରୁ ବତ୍ତନି ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ, ଚନ୍ଦକା, ସାତକୋଶିଆ ଅଭୟାରଣ୍ୟ । ନିଆଁ ଲାଗିବାରୁ ବ୍ୟାପକ ଗଛଲତା ସହ ବହୁ ବନ୍ୟପ୍ରାଣୀ, କୀଟପତଙ୍ଗ ଜଳିପୋଡ଼ି ଗଲେଣି ।

ଗତ ସପ୍ତାହରେ କୋରାପୁଟ ସର୍କଲରେ ସର୍ବାଧିକ୭୩୧ଟି ସ୍ଥାନରେ ନିଆଁ ଲାଗିଛି । ଏଥିରୁ ମାଲକାନାଗିରି ଡ଼ିଭିଜନର ୨୯୦, ରାୟଗଡ଼ାର ୨୩୬, କୋରାପୁଟର ୧୦୧ ଓ ଜୟପୁର ଡ଼ିଭିଜନର ୮୯ଟି ସ୍ଥାନରେ ଜଙ୍ଗଲ ଜଳିଛି । ବ୍ରହ୍ମପୁର ସର୍କଲରେ ୩୬୭ଟି ସ୍ଥାନରେ ନିଆଁ ଲାଗି ଜଙ୍ଗଲକୁ ମାଡ଼ି ଚାଲିଛି। ବାଲିଗୁଡ଼ା ଡ଼ିଭିଜନରେ ସର୍ବାଧିକ ୧୮୭ଟି ସ୍ଥାନରେ ନିଆଁ ବ୍ୟାପିଛି । ଅନୁଗୁଳ ସର୍କଲର ୨୦୫ଟି ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଛି । ଏଥିରେ ମହାନଦୀ ଅଭୟାରଣ୍ୟର ୩ଟି, ସାତକୋଶିଆ ଅଭୟାରଣ୍ୟର ୨ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଅନୁଗୁଳ ଡ଼ିଭିଜନରେ ୪୬, ଆଠମଲ୍ଲିକରେ ୭୧, କଟକରେ ୪୭ଟି ସ୍ଥାନରେ ଜଙ୍ଗଲ ଜଳୁଛି । 

ଭବାନୀପାଟଣା ସର୍କଲର ୨୬୮ଟି ସ୍ଥାନରେ ନିଆଁ ଲାଗିଛି ଏଇ ସପ୍ତାହରେ । ତା’ ଭିତରେ କଳାହାଣ୍ଡି ଦକ୍ଷିଣ-ଉତ୍ତର ଡ଼ିଭିଜନର ୨୧୦ଟି ସ୍ଥାନ ସମେତ ସୁନାବେଡ଼ା ଅଭୟାରଣ୍ୟର ୩ଟି ଜାଗାରେ ନିଆଁ ବିସ୍ତାର କରିଚାଲିଛି । ରାଉରକେଲା ସର୍କଲର ୧୮୮ଟି ସ୍ଥାନରେ ନିଆଁ ଲାଗିଥିବାବେଳେ କେନ୍ଦୁଝର ଡ଼ିଭିଜନର ୭୨ଟି ସ୍ଥାନରେ ବ୍ୟାପିଛି । ସମ୍ବଲପୁର ସର୍କଲର ୯୧ଟି ସ୍ଥାନରେ ନିଆଁ ଲାଗିଛି । ବାରିପଦା ସର୍କଲର ୧୧୮ଟି ସ୍ଥାନରେ ନିଆଁ ଲାଗିଥିବା ସାଟେଲାଇଟ ତଥ୍ୟ ଦେଇଛି । ଚିନ୍ତାର ବିଷୟ ହେଲା, ଏହା ଭିତରେ କେନ୍ଦୁଝର ଅଭୟାରଣ୍ୟର ୬୮ଟି ସ୍ଥାନ ସହ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ୧୪ଟି ଜାଗାରେ ନିଆଁ ଲାଗିଛି ।