ଗଛରୁ ଓହ୍ଲାଇଲେନି, ଟିକା ନେଲେନି

ଗଛରୁ ଓହ୍ଲାଇଲେନି, ଟିକା ନେଲେନି

ଗଛରୁ ଓହ୍ଲାଇଲେନି, ଟିକା ନେଲେନି


ଚେନ୍ନାଇ: ଏବେ ବି କେତେକ ଲୋକଙ୍କ ମୁଣ୍ଡରେ କରୋନା ଟିକାକୁ ନେଇ  ବିଭ୍ରାନ୍ତିକର ଗୁଜବ ବସା ବାନ୍ଧି ରହିଛି     । ଟିକା ନେବାକୁ କିଛି ଲୋକେ ଏବେ ବି ଡରୁଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ଏ ଘଟଣାଟି । ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖି ଗଛରେ ଚଢ଼ିଗଲେ ବ୍ୟକ୍ତିଜଣକ । ଯେତେ ବୁଝାଇଲେ ବି ଓହ୍ଲାଇଲେନି କି ଟିକା ନେଲେନି ।  ଏହିଭଳି ଘଟଣା ଦେଖିବାକୁ ମିଳିଛି ପୁଡୁଚେରୀର ଭିଲିଆନୁରଠାରେ । 

ସ୍ୱାସ୍ଥ୍ୟକର୍ମୀମାନେ ଟିକାକରଣ ପାଇଁ ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚିବା ପରେ ସେମାନଙ୍କୁ ଦେଖି ଜଣେ ୪୦ବର୍ଷୀୟ ବ୍ୟକ୍ତି ଗଛ ଉପରକୁ ଚଢି ଯାଇଥିଲେ ଓ ଆଉ ଓହ୍ଲାଇ ନଥିଲେ । ସ୍ୱାସ୍ଥ୍ୟକର୍ମୀ ଓ ଗ୍ରାମବାସୀ ଯେତେ ଅନୁରୋଧ କଲେ ମଧ୍ୟ ସେ ତଳକୁ ଆସି ନଥିଲେ । ଏମିତିକି ସ୍ୱାସ୍ଥ୍ୟକର୍ମୀ ଗଛରେ ଚଢି ଟିକା ଦେବେ ବୋଲି କହିବାରୁ ସେ ତଳକୁ ଡେଇଁ ପଡିବେ ବୋଲି ସେ ଧମକ ଦେଇଥିଲେ । ବାଧ୍ୟ ହୋଇ ସ୍ୱାସ୍ଥ୍ୟକର୍ମୀମାନେ ଫେରି ଯାଇଥିଲେ । ଏହାର କିଛି ସମୟ ପରେ ସଂପୃକ୍ତ ବ୍ୟକ୍ତି ତଳକୁ ଓହ୍ଲାଇ ଥିଲେ । 

ସୂଚନା ଅନୁସାରେ କିଛି ଦିନ ପୂର୍ବେ ପୁଡୁଚେରୀ ଅନ୍ତର୍ଗତ ମେଟୁପାଳାୟମ୍ର ଜଣେ ମହିଳା ଟିକାକରଣ ପାଇଁ ଯାଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖି କାଳେସୀ ଲାଗିବା ଅଭିନୟ କରିଥିଲେ ଓ ସେ ନିଜକୁ ମାରିୟାମ୍ମାନ ଠାକୁରାଣୀ ବୋଲି ଦାବି କରିଥିଲେ ।