କାହିଁକି ପିପିଲି ଗଲେନି ନବୀନ, ଜାଣନ୍ତୁ

କାହିଁକି ପିପିଲି ଗଲେନି ନବୀନ, ଜାଣନ୍ତୁ

କାହିଁକି ପିପିଲି ଗଲେନି ନବୀନ, ଜାଣନ୍ତୁ

ଭୁବନେଶ୍ୱର : ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ  । ତିନି ତିନି ଥର ନିର୍ବାଚନ ଘୁଂଚିବା ପରେ ଏବେ ପିପିଲି ରାଜନୀତି ଆଉ ସେତେଟା ସରଗରମ ବି ନାହିଁ  । ଅନେକ ଦଳର ତାରକା ପ୍ରଚାରକମାନେ ସେଭଳି ଘମାସାନ ପ୍ରଚାର କରୁଥିବା ବି ଦେଖିବାକୁ ମିଳୁନାହିଁ  । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରତି ନିର୍ବାଚନକୁ ଗୁରୁତର ସହ ଗ୍ରହଣ କରି ପ୍ରଚାରରେ ଅବହେଳା କରୁନଥିବା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବି ପିପିଲି ପ୍ରଚାର ଉପରେ ଗୁରୁତ୍ୱ ଦେଇନାହାନ୍ତି  । ସେଠାକୁ ଯିବା କଥା ତ ଦୂରରେ ଥାଉ, ଭର୍ଚୁଆଲ ମାଧ୍ୟମରେ ବି ପ୍ରଚାର କରିବେ କି ନାହିଁ ତାହା ଜଣାପଡ଼ିନାହିଁ  ।

ପିପିଲି ପାଇଁ ଏବେ ପ୍ରଚାର ଚାଲିଛି  । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିପିଲିରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି  । ରୋଡ଼ଶୋ’ କରି ଜନମତକୁ ନିଜ ଆଡ଼କୁ ଟାଣିବା ପାଇଁ ପ୍ରୟାସ କରିଛନ୍ତି  । ଅପରପକ୍ଷରେ ନବୀନ କିନ୍ତୁ ଏବେ ଦିଲ୍ଲୀରେ  । ଆସନ୍ତା ୨୬ରେ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଯୋଗଦେବେ  । ଏହାପରେ ସେ ଭୁବନେଶ୍ୱର ଫେରିବେ  । ଯେତେବେଳେକି ନିର୍ବାଚନର ୭୨ ଘଂଟା ପୂର୍ବରୁ ପ୍ରଚାର ଶେଷ ହେବ  । ଅର୍ଥାତ ନବୀନ ଆଉ ପିପିଲି ଯାଇ ପ୍ରଚାର କରିବେ ନାହିଁ ବୋଲି ଆପାତତଃ ନିଶ୍ଚିତ ହୋଇଯାଇଛି  ।

ତେବେ କାହିଁକି ଗଲେନି ନବୀନ ? ଏହି ପ୍ରଶ୍ନ ଏବେ ରାଜନୀତିକ ଅଳିନ୍ଦରେ ଘୂରିବୁଲୁଛି  । ତେବେ ଆମକୁ ମିଳିଥିବା ଖବର ଅନୁଯାୟୀ, ପିପିଲିରେ ଦଳର ପଲା ଭାରିରହିଛି ବୋଲି ବିଜେଡ଼ି ଅଙ୍କ କଷିଛି  । ପିପିଲି ନିର୍ବାଚନ ପୂର୍ବରୁ ନବୀନ ସେଠାରେ ବହୁ ପ୍ରକଳ୍ପ ସଂକ୍ରାନ୍ତରେ ଘୋଷଣା କରିସାରିଛନ୍ତି  । ପ୍ରଥମ ଥର ନିର୍ବାଚନ ବାତିଲ ହୋଇଥିଲେବି ନବୀନ ଭର୍ଚୁଆଲ ମାଧ୍ୟମରେ ଉଦବୋଧନ ଦେଇଥିଲେ  । ସେତେବେଳେ ବିରୋଧୀଙ୍କର ଯେତିକି ଦବଦବା ଥିଲା ଆଉ ସେତିକି ଦବଦବା ନାହିଁ ବୋଲି ନବୀନଙ୍କୁ ବିଜେଡ଼ିର ନେତାମାନେ କହିସାରିଛନ୍ତି  । ଅର୍ଥାତ ବିଜେଡ଼ିର ବିଜୟ ପାଇଁ ଆଉ ନବୀନଙ୍କୁ ପ୍ରଚାର କରିବାକୁ ପଡ଼ିବ ନାହିଁ ଦଳର ନେତାମାନେ ତଥ୍ୟଭିତିକ ରିପୋର୍ଟ ପ୍ରଦାନ କରିଛନ୍ତି  ।

ଦ୍ୱିତୀୟ କଥାଟି ହେଉଛି, କୋଭିଡ଼ କଟକଣା ଭିତରେ ନିର୍ବାଚନ ପ୍ରଚାର କରାଯିବ  । ଅତିବେଶୀରେ ହଜାରେ ଲୋକ ଯୋଗଦେଇପାରିବେ  । ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସଭାରେ ସବୁବେଳେ ଅତିକମରେ ଦଶ କୋଡ଼ିଏ ହଜାର ଲୋକ ସାମିଲ ହୋଇଥା’ନ୍ତି  । ଏମିତିକି ଭର୍ଚୁଆଲ ସଭାରେ ବି ହଜାର ହଜାର ଲୋକ ଗଦା ହୋଇଥା’ନ୍ତି  । ତେଣୁ ଏଭଳି କରି ନବୀନ ବଦନାମ ହେବାକୁ ଚାହାନ୍ତି ନାହିଁ  । ଜଣେ ମୁଖ୍ୟମନ୍ତ୍ରୀ କୋଭିଡ଼ କଟକଣା ଭାଙ୍ଗୁଛନ୍ତି ବୋଲି ସେ ବାର୍ତା ଦେବାକୁ ଚାହୁଁନାହାଁନ୍ତି  । ଅନ୍ୟ ରାଜ୍ୟରେ ମୁଖ୍ୟମନ୍ତ୍ରୀମାନେ କୋଭିଡ଼ କଟକଣାକୁ ଖୁଲମଖୁଲା ଉଲ୍ଳଂଘନ କରୁଥିବାର ନଜିର ଥିବାବେଳେ ନବୀନଙ୍କ ନାମରେ ସେଭଳି ଅଭିଯୋଗ ନାହିଁ  । ତେଣୁ ଜାତୀୟସ୍ତରରେ ବି ନିଜର ଛବିକୁ ସେ ମଳିନ କରିବାକୁ ଚାହୁଁନାହାନ୍ତି  । ଯେଉଁଥିପାଇଁ ପିପିଲି ପ୍ରଚାର ଉପରେ ନବୀନ ଫୋକସ କରିନାହାନ୍ତି  ।